୧୧ ଜଣଙ୍କୁ ଆଜୀବନ କାରାଦଣ୍ଡ

ଗୋରକ୍ଷା ହତ୍ୟା ମାମଲାର ପ୍ରଥମ ଦଣ୍ଡାଦେଶ

ରାଂଚି: ଗୋ ରକ୍ଷା ନାମରେ ନିରୀହ ଜନତାଙ୍କୁ ପିଟିପିଟି ହତ୍ୟା ମାମଲାରେ ଆଜି ପ୍ରଥମ ଦଣ୍ଡାଦେଶ ହୋଇଛି। ଝାଡ଼ଖଣ୍ଡର ଅଲିମୁଦ୍ଦିନ୍‌ ଅନ୍‌ସାରିଙ୍କୁ ୯ ମାସ ପୂର୍ବେ କିଛି ଗୋରକ୍ଷାକାରୀ ବିଶୃଙ୍ଖଳ ଜନତା ପିଟିପିଟି ମାରିଦେବା ଘଟଣାରେ ଆଜି ଅଦାଲତ ୧୧ ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ ଦେଇଛନ୍ତି। ଗତ ମାର୍ଚ୍ଚ ୧୬ ତାରିଖରେ ଅନ୍‌ସାରିଙ୍କ ହତ୍ୟାକାଣ୍ଡ ପାଇଁ ରାମଗଡ଼ ଜିଲ୍ଲାର ଏକ ସ୍ୱତନ୍ତ୍ର ଫାଷ୍ଟ ଟ୍ରାକ୍‌ କୋର୍ଟ ୧୨ ଅଭିଯୁକ୍ତଙ୍କ ମଧ୍ୟରୁ ୧୧ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଥିବାବେଳେ ଆଜି କୋର୍ଟ ସମସ୍ତଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ। ତେବେ ଜଣେ ଅଭିଯୁକ୍ତ ନାବାଳକ ହୋଇଥିବାରୁ ତାଙ୍କ ବିରୋଧରେ କୌଣସି ବିଚାର ହୋଇନାହିଁ ବୋଲି କୋର୍ଟ କହିଛନ୍ତି। ଉଲ୍ଲେଖଯୋଗ୍ୟ ୨୦୧୭ ମସିହା ଜୁନ୍‌ ୨୯ ତାରିଖରେ ଝାଡ଼ଖଣ୍ଡରେ ୫୫ ବର୍ଷୀୟ ଅନ୍‌ସାରି ତାଙ୍କ ଗାଡ଼ିରେ ଗୋମାଂସ ନେଉଥିବା ଅଭିଯୋଗରେ ବଜରଙ୍ଗ ଦଳ ସମେତ ଅନ୍ୟ କେତେକ ସଂଗଠନର ୧୦୦ରୁ ଊର୍ଦ୍ଧ୍ୱ ବିଶୃଙ୍ଖଳ ଜନତା ତାଙ୍କୁ ପିଟିପିଟି ହତ୍ୟା କରିଥିଲେ ଏବଂ ତାଙ୍କ ଗାଡ଼ିରେ ମଧ୍ୟ ନିଅାଁ ଲଗାଇ ଦେଇଥିଲେ। ଏହାର ୯ ମାସପରେ ଆଜି କୋର୍ଟ ଦୋଷୀଙ୍କ ବିରୋଧରେ ଦଣ୍ଡାଦେଶ ଶୁଣାଇଛନ୍ତି। ଆଜୀବନ କାରାଦଣ୍ଡରେ ଦଣ୍ଡିତ ହୋଇଥିବା ୧୧ ଗୋରକ୍ଷକଙ୍କ ମଧ୍ୟରେ ଜଣେ ସ୍ଥାନୀୟ ବିଜେପି ନେତା ମଧ୍ୟ ଅଛନ୍ତି। ହତ୍ୟା ଅଭିଯୋଗରେ ସେମାନଙ୍କୁ ଅତିରିକ୍ତ ଜିଲ୍ଲା ବିଚାରପତି ଓମ୍‌ ପ୍ରକାଶଙ୍କ କୋର୍ଟରେ ଗତ ୧୬ ତାରିଖରେ ଦୋଷୀ ସାବ୍ୟସ୍ତ କରାଯାଇଥିଲା। ଆଜୀବନ କାରାଦଣ୍ଡରେ ଦଣ୍ଡିତ ହୋଇଥିବା ଦୋଷୀ ହେଉଛନ୍ତି ସନ୍ତୋଷ ସିଂହ, ଦୀପକ ମିଶ୍ର, ବିକି ସ, ସିକନ୍ଦର ରାମ, ଉତ୍ତମ ରାମ, ବିକ୍ରମ ପ୍ରସାଦ, ରାଜୁ କୁମାର, ରୋହିତ ଠାକୁର, ଛୋଟୁ ବର୍ମା, କପିଲ ଠାକୁର ଏବଂ ସ୍ଥାନୀୟ ବିଜେପି ନେତା ନିତ୍ୟାନନ୍ଦ ମାହତୋ। ସେମାନଙ୍କ ଉପରେ ୨୦୦୦ ଟଙ୍କା ଲେଖାଏଁ ଜରିମାନା ମଧ୍ୟ ଲାଗୁ କରାଯାଇଛି। କେବଳ ଅନ୍‌ସାରୀ ହତ୍ୟା ମାମଲା ନୁହେଁ ଗତ ମେ’ ଏବଂ ଜୁନ୍‌ ମାସରେ ଗୋରକ୍ଷା ନାମରେ ଅନେକ ହିଂସାକାଣ୍ଡ ଦେଶବ୍ୟାପୀ ଉତ୍ତେଜନା ସୃଷ୍ଟି କରିଥିଲା। ଏହି ପ୍ରସଙ୍ଗ ବିରୋଧରେ ମଧ୍ୟ ସଂସଦରେ ବିରୋଧୀଦଳ ନେତାମାନେ ସରକାରଙ୍କୁ କଡ଼ା ସମାଲୋଚନା କରିଥିଲେ।

ସମ୍ବନ୍ଧିତ ଖବର