୧୧ ସାଉଦି ଯୁବରାଜଙ୍କ ପାଇଁ ପଞ୍ଚତାରକା ଜେଲ୍‌

ନୂଆଦିଲ୍ଲୀ: ଦୁର୍ନୀତି ଅଭିଯୋଗରେ ଗିରଫ ହୋଇଥିବା ସାଉଦି ଯୁବରାଜମାନଙ୍କ ପାଇଁ ଏବେ ସରକାର ପଞ୍ଚତାରକା ଜେଲ୍‌ ବ୍ୟବସ୍ଥା କରିଛନ୍ତି। ଆରବ ଶାସକ ମହମ୍ମଦ ବିନ୍‌ ସଲମାନ୍‌ଙ୍କ ନେତୃତ୍ୱରେ ଦେଶରୁ ଦୁର୍ନୀତି ହଟାଇବା ଦିଗରେ ଗଠିତ ହୋଇଥିବା ଏକ କମିସନ ନିକଟରେ ୧୧ ସାଉଦି ଯୁବରାଜଙ୍କ ସହ କେତେକ ମନ୍ତ୍ରୀଙ୍କୁ ଗିରଫ କରିଥିଲେ। ରିୟାଦ୍‌ର ଏକ ପଞ୍ଚତାରକା ହୋଟେଲ୍‌ ରିଜ୍‌ କାର୍ଲଟନ୍‌କୁ ଅସ୍ଥାୟୀ ଭାବେ କାରାଗାରରେ ପରିଣତ କରି ଗିରଫ ଯୁବରାଜ ଏବଂ ମନ୍ତ୍ରୀମାନଙ୍କୁ ସେଠାରେ ରଖାଯାଇଛି। ବିଳାସପୂର୍ଣ୍ଣ ହୋଟେଲ୍‌ରେ ରାଜକୁମାରମାନଙ୍କ ସହ ଅନ୍ୟ ଅଭିଯୁକ୍ତମାନେ ମଉଜ ମଜଲିସ କରୁଛନ୍ତି। ଦୁର୍ନୀତି ବିରୋଧୀ ଅଭିଯାନରେ ଯୁବରାଜ ଅଲଓ୍ଵଲିଦ୍‌ ବିନ୍‌ ତଲାଲ୍‌ ଏବଂ ଅକିଲ ଅଲ ତୟାରଙ୍କ ଗିରଫ ସବୁଠାରୁ ବିସ୍ମୟକର ହୋଇଛି। ସେମାନେ କ୍ରାଉନ୍‌ ପ୍ରିନ୍‌୍‌ସ ସଲମାନ୍‌ଙ୍କ ଖୁବ୍‌ ନିକଟତର ଥିଲେ। ତେବେ ଗିରଫ ଯୁବରାଜମାନଙ୍କୁ ଜେଲ୍‌ରେ ରଖିବା ଉଚିତ୍‌ ମନେ ନକରି ସଲମାନ୍‌ ଏହାର ବିକଳ୍ପ ଭାବେ ପଞ୍ଚତାରକା ହୋଟେଲ୍‌କୁ ସେମାନଙ୍କ ଲାଗି କାରଗାରରେ ପରିଣତ କରିଛନ୍ତି। ପଞ୍ଚତାରକା ହୋଟେଲର ବିଳାସ ଭିତରେ ଏହି ବନ୍ଦୀମାନେ କେତେଦିନ ରହିବେ ତାହାକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି।

କ୍ରାଉନ୍‌ ପ୍ରିନ୍ସ ମହମ୍ମଦ ବିନ୍‌ ସଲ୍‌ମାନଙ୍କ ନେତୃତ୍ୱରେ ଦେଶରେ ଏକ ଦୁର୍ନୀତି ପ୍ରତିରୋଧ କମିସନ ଗଠନ କରାଯାଇଛି ଏବଂ ଦୁର୍ନୀତି ରୋକିବା ପାଇଁ ଏହି ସଂସ୍ଥା କଠୋର ପଦକ୍ଷେପ ନେଉଛି। ରାଷ୍ଟ୍ରର ସୁରକ୍ଷା ମୁଖ୍ୟ ମିତେବ ବିନ୍‌ ଅବଦୁଲ୍ଲାଙ୍କ ସମେତ ଦେଶର ୧୧ ଜଣ ଯୁବରାଜଙ୍କୁ ଗିରଫ କରାଯିବା ବିଶ୍ୱବ୍ୟାପୀ ଚହଳ ସୃଷ୍ଟି କରିଥିଲା। ସେହିପରି ଡଜନେରୁ ଅଧିକ ବର୍ତ୍ତମାନର ମନ୍ତ୍ରୀଙ୍କୁ ବରଖାସ୍ତ କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ଅନେକ ଗିରଫ ହୋଇଛନ୍ତି। ଏପରିକି ଉଚ୍ଚ ପଦପଦବିରେ ଥିବା ଦୁର୍ନୀତିଖୋର ନେତାମାନେ ଦେଶରୁ ଖସି ନପଳାଇବା ପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି । ଦେଶର ସରକାରୀ ଖବର ସରବରାହ ସଂସ୍ଥା ସାଉଦି ପ୍ରେସ୍‌ ଏଜେନ୍ସିର ସୂଚନାନୁଯାୟୀ, ନବଗଠିତ ଦୁର୍ନୀତି ପ୍ରତିରୋଧ କମିସନର ମୂଳ ଲକ୍ଷ୍ୟ ହେଉଛି ସର୍ବସାଧାରଣଙ୍କ ପାଣ୍ଠିକୁ ସୁରକ୍ଷିତ ରଖିବା ଏବଂ ଉଚ୍ଚ ପଦପଦବିର ଅପବ୍ୟବହାରକାରୀ ଏବଂ ଦୁର୍ନୀତିଖୋର୍‌ ସାଧାରଣ ଜନତାଙ୍କୁ ଦଣ୍ଡିତ କରିବା।

ସମ୍ବନ୍ଧିତ ଖବର