ନୂଆଦିଲ୍ଲୀ: ପାକିସ୍ତାନ ସେନା ମଙ୍ଗଳବାର ସ୍ବୀକାର କରିଛି ଯେ ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ସହ ଆରମ୍ଭ ହୋଇଥିବା ସଂଘର୍ଷରେ ଏହା ନିଜର ୧୧ ସୈନିକଙ୍କୁ ହରାଇଛି। ଅନ୍ୟପକ୍ଷେ ୪ ଦିନର ସଂଘର୍ଷରେ ୭୮ ଜଣ ପାକ୍ ସୈନିକ ଆହତ ହୋଇଥିବା ପାକ୍ ସେନା ପକ୍ଷରୁ ଏକ ବିବୃତି ଜାରି କରି କୁହାଯାଇଛି। ପାକିସ୍ତାନ ବାୟୁସେନାର ସ୍କ୍ବାଡ୍ରନ ଲିଡର ଉସମାନ ୟୁସୁଫ, ମୁଖ୍ୟ ଟେକନିସିଆନ ଔରଙ୍ଗଜେବ, ବରିଷ୍ଠ ଟେକନିସିଆନ ନଜିବ, କର୍ପୋରୋଲ୍ ଟେକନିସିଆନ ଫାରୁକ ଏବଂ ବରିଷ୍ଠ ଟେକ୍ନିସିଆନ୍ ମୁବାଶିର ଭାରତ ସହ ସଂଘର୍ଷରେ ନିହତ ହୋଇଛନ୍ତି ବୋଲି ପାକ୍ ସେନା କହିଛି।
ଭାରତୀୟ ସେନା ପକ୍ଷରୁ କୁହାଯାଇଛି ଯେ ପହଲଗାମ ଆକ୍ରମଣର ପ୍ରତିଶୋଧ ନେବାପାଇଁ ଭାରତ ଆରମ୍ଭ କରିଥିବା ‘ଅପରେସନ୍ ସିନ୍ଦୂର’ରେ ପାକିସ୍ତାନର ୯ଟି ଆତଙ୍କବାଦୀ ଆଡ଼ା ସ୍ଥଳ ଧ୍ବଂସ ହୋଇଛି ଏବଂ ୧୦୦ରୁ ଅଧିକ ଆତଙ୍କବାଦୀ ନିପାତ ହୋଇଛନ୍ତି। ଭାରତର ଆକ୍ରମଣରେ ପ୍ରାୟ ୪୦ ପାକ୍ ସୈନିକ ନିହତ ହୋଇଥିବା ଭାରତୀୟ ସେନା ଦାବି କରିଛି। ଆତଙ୍କବାଦୀଙ୍କ ବିରୋଧରେ ଭାରତ ଆରମ୍ଭ କରିଥିବା କାର୍ଯ୍ୟାନୁଷ୍ଠାନର ଜବାବ ଦେଇ ପାକିସ୍ତାନ ଭାରତରେ ପ୍ରମୁଖ ସାମରିକ ପ୍ରତିଷ୍ଠାନ ଏବଂ ଜନବସତି ଅଞ୍ଚଳକୁ ଟାର୍ଗେଟ୍ କରି ଡ୍ରୋନ୍ ଆକ୍ରମଣ ଉଦ୍ୟମ କରିଥିଲା ଏବଂ ସୀମା ଅଞ୍ଚଳରେ ଗୁଳିଗୋଳା ମାଡ଼ କରିଥିଲା। ପାକିସ୍ତାନର ଆକ୍ରମଣ ଉଦ୍ୟମକୁ ଭାରତ ପଣ୍ଡ କରିଦେଇଛି।