ମଧ୍ୟପ୍ରଦେଶ ଜଙ୍ଗଲରେ ୧୧ଟି ବାଘଛୁଆ

ଭୋପାଳ: ଏବର୍ଷ ଏପର୍ଯ୍ୟନ୍ତ ୧୪ଟି ବାଘଙ୍କର ମୃତ୍ୟୁ ଘଟିବା ପରେ ଗତ ସପ୍ତାହରେ ମଧ୍ୟପ୍ରଦେଶର ଅରଣ୍ୟରାଜି ମଧ୍ୟରେ ପ୍ରାୟ ୧୧ଟି ବାଘଛୁଆ ଦେଖିବାକୁ ମିଳିଛି। ପାନ୍ନା ବ୍ୟାଘ୍ର ସଂରକ୍ଷଣରେ ପାଞ୍ଚଟି, ନୌରାଦେହୀ ଅଭୟାରଣ୍ୟରେ ତିନିଟି ଓ ରତାପାଣି ଅଭୟାରଣ୍ୟରେ ବି ତିନିଟି ବାଘଛୁଆ ଦେଖାଯାଇଛି।

ଦାମୋ ଏବଂ ସାଗର ଜିଲ୍ଲାକୁ ବ୍ୟାପିଥିବା ନୌଦେହୀ ସଂରକ୍ଷଣ ଅରଣ୍ୟରେ ବନ କର୍ମଚାରୀମାନେ ଏବର୍ଷର ପ୍ରଥମ ବାଘଛୁଆମାନଙ୍କୁ ଦେଖିଥିଲେ। ସେମାନେ ହେଲେ ରାଧା ଓ କିଷେନ୍‌ର ଶାବକ। ସେମାନଙ୍କୁ ସେଠାରୁ ସଯତ୍ନ କାହ୍ନା ଓ ବାନ୍ଧବଗଡ଼ ଜାତୀୟ ଉଦ୍ୟାନକୁ ସ୍ଥାନାନ୍ତର କରାଯାଇଥିଲା। କର୍ମଚାରୀମାନଙ୍କ କହିବା ଅନୁସାରେ ଛୁଆ ତିନିଟିଙ୍କୁ ସେମାନେ ମେ ୯ ତାରିଖରେ ଦେଖିଥିଲେ। ସେମାନଙ୍କୁ ଏଡ଼େ ମୂଲ୍ୟବାନ ବୋଲି ବିଚାର କରାଗଲା ଯେ ତାଙ୍କର ସୁରକ୍ଷା ନିମନ୍ତେ ଆଖପାଖରେ ସଶସ୍ତ୍ର ପୁଲିସ କର୍ମଚାରୀ ମୁତୟନ କରାଯାଇଥିଲା।

ପାନ୍ନାରେ ମଧ୍ୟ ଦୁଇଟି ବାଘୁଣୀ ପାଞ୍ଚଟି ଛୁଆ ଦେଇଛନ୍ତି। କୋଲାର୍‌ବନ୍ଧା ବାଘୁଣୀ ଟି-ସିକ୍ସ ଦୁଇଟି ଛୁଆ ଓ କୋଲାର ବନ୍ଧା ଯାଇ ନ ଥିବା ବାଘୁଣୀ ତିନିଟି ଛୁଆ ପ୍ରସବ କରିଛନ୍ତି ବୋଲି ପାନ୍ନା କ୍ଷେତ୍ରୀୟ ନିର୍ଦେଶକ କେ ଏସ୍‌ ଭଦୋରିଆ କହିଛନ୍ତି। ପାନ୍ନାରେ ଏବେ ୫୨ଟି ବ୍ୟାଘ୍ର। ବାଘୁଣୀମାନେ ଘୋର ବନସ୍ତ ମଧ୍ୟରେ ଛୁଆମାନଙ୍କୁ ରଖିଛନ୍ତି।

ଭୋପାଳ ଠାରୁ ପ୍ରାୟ ୨୦ କିଲୋମିଟର୍‌ ଦୂର ରତାପାଣିର ଓବୈଦୁଲ୍ଲାଗଞ୍ଜ ଠାରେ ବନ କର୍ମଚାରୀମାନେ ତିନିଟି ବାଘଛୁଆ ଦେଖିଥିବା କଥା କହିଛନ୍ତି। ୮୨୪ ବର୍ଗ କିଲୋମିଟରବିଶିଷ୍ଟ ରତାପାଣିରେ ୨୦ଟି ବାଘ ଅଛନ୍ତି। ଏହି ଅରଣ୍ୟରୁ ଅର୍ଦ୍ଧାଧିକ ଭାଗ ଶାଗୁଆନ୍‌ ଗଛରେ ଭରା।

ସମ୍ବନ୍ଧିତ ଖବର