ବାଗେଶ୍ବର: ଉତ୍ତରାଖଣ୍ଡର ବାଗେଶ୍ବର ଜିଲ୍ଲାରେ ଯୋଶୀମଠ ଭଳି ମାଟି ଦବୁଛି। ସାଂଘାତିକ ଭାବେ ମାଟି ଦବୁଥିବାରୁ ୪୫୦ରୁ ଅଧିକ ଘର ଭୁଶୁଡ଼ି ପଡ଼ିବା ଆଶଙ୍କା କରାଯାଉଛି। ବାଗେଶ୍ବର ଜିଲ୍ଲାର କୁମାଓଁରେ ଘର, ରାସ୍ତା ଏବଂ ଜମିବାଡ଼ି ସବୁଠି ବଡ଼ ବଡ଼ ଫାଟ ଦେଖିବାକୁ ମିଳିଛି। ପ୍ରବଳ ବର୍ଷା ସାଙ୍ଗକୁ ସମ୍ପୃକ୍ତ ଅଞ୍ଚଳରେ ଖଣି ଖନନ କାର୍ଯ୍ୟ ପାଇଁ ପରିସ୍ଥିତି ଅଧିକ ବିଗିଡ଼ି ଯାଉଛି। ୟୁଡିଏମ୍ଏ (ଉତ୍ତରାଖଣ୍ଡ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ) ଜିଲ୍ଲାରେ ଦବି ଯାଉଥିବା ୧୧ଟି ଗ୍ରାମ ଚିହ୍ନଟ କରିଛନ୍ତି।
କୁୱାଡ଼ି ଏବଂ ସେରି ଭଳି ଗ୍ରାମରେ ୧୩୧ ପରିବାର ଭୂସ୍ଖଳନ ଯୋଗୁଁ ପ୍ରଭାବିତ। ଖଣି ଅଞ୍ଚଳର ନିକଟସ୍ଥ ଗ୍ରାମ ତଥା କଣ୍ଡେଲକନ୍ୟାଲ ଏବଂ ପାପନ୍ ପରି ଗ୍ରାମ ଗୁଡ଼ିକରେ ମାଟି ଦବୁଛି। କାଣ୍ଡା ଏବଂ ରିମା ଭ୍ୟାଲିରେ ଘର, ପଡ଼ିଆ ଏବଂ ରାସ୍ତା ଦବୁଥିବାରୁ ଲୋକେ ଆତଙ୍କିତ ହୋଇ ରହିଛନ୍ତି। କାଣ୍ଡେକନ୍ୟାଲରେ ୭୦ ଘର ପ୍ରଭାବିତ ହୋଇଛି। ଅନେକ ଗ୍ରାମବାସୀ ସୁରକ୍ଷା ପାଇଁ ଘର ଛାଡ଼ିବାକୁ ବାଧ୍ୟ ହେଉଛନ୍ତି। ସ୍ଥାନୀୟ ଲୋକେ ସେମାନଙ୍କ ଘରେ ଫାଟ ପାଇଁ ସ୍ଥାନୀୟ ଖଣି ଖନନ କାର୍ଯ୍ୟକୁ ଦାୟୀ କରୁଛନ୍ତି। ଅଞ୍ଚଳରେ ଖନନ କାର୍ଯ୍ୟ ବଢ଼ିବାରୁ ମାଟି ଦବିବା ସହ ବିପଦ ସୃଷ୍ଟି ହେଉଛି। କାଣ୍ଡେକନ୍ୟାଲର ଜଣେ ବାସିନ୍ଦା କହିଛନ୍ତି, ଭୟରେ ଆମେ ରାତିରେ ଶୋଇପାରୁନୁ। କାଳେ ଶୋଇଥିବା ବେଳେ ଆମ ଘର ଭୁଶୁଡ଼ି ପଡ଼ିବ ସେହି ଭୟରେ ଆମେ ରାତିରେ ଶୋଇ ପାରୁନୁ।
କାଣ୍ଡେକନ୍ୟାଲର ଅନ୍ୟ ଜଣେ ବାସିନ୍ଦା ସାଧୁ ରାମ କହିଛନ୍ତି, ତାଙ୍କ ଘର ଓ ଜମି ଦବୁଛି। କୌଣସି କାର୍ଯ୍ୟାନୁଷ୍ଠାନ ନେବାପାଇଁ ସେ ତହସିଲ ଅଫିସ ଦୌଡ଼ିଦୌଡ଼ି ଚପଲ ଘୋରି ହୋଇଯାଇଥିଲେ ବି କିଛି ଫଳ ମିଳିନାହିଁ। ଆଦି ଶଙ୍କରାଚାର୍ଯ୍ୟଙ୍କ ଦ୍ବାରା ପ୍ରତିଷ୍ଠା ହୋଇଥିବା କାଳିକା ମନ୍ଦିର ବି ବିପଦରେ। ମନ୍ଦିରର ପବିତ୍ର ପୂଜାସ୍ଥଳ ମାଟି ଦବୁଛି ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ପାପନ୍ ଗ୍ରାମରେ ୧୫ଟି ଘର ଅଧିକ ପ୍ରଭାବିତ ହୋଇଥିବା ବେଳେ ୬ଟି ଘର ଭୁଶୁଡ଼ି ପଡ଼ିଛି। ସେହିପରି ଗଡ଼ୱା ସିରମୌଲି ଗ୍ରାମରେ ମଧ୍ୟ ୨୦ଟି ଘର ଭୁଶୁଡ଼ିବା ସ୍ଥିତିରେ ରହିଛି।