ମାଲପ୍ପୁରମ୍: ପାଖରେ ୨୫ଟଙ୍କା ଭଳି ସାମାନ୍ୟ ଅର୍ଥରାଶି ନ ଥିବା କେରଳର ୧୧ଜଣ ମହିଳା ନିଜ ନିଜ ଭିତରେ ଚାନ୍ଦା କରି କିଛି ସପ୍ତାହ ତଳେ ୨୫୦ଟଙ୍କିଆ ଲଟେରି ଟିକେଟ୍ କିଣି ୧୦ କୋଟି ଟଙ୍କା ଜିଣିଥିବା କଥା ‘ଏନ୍ଡିଟିଭି’ ରିପୋର୍ଟ କରିଛି।
ଉଲ୍ଲେଖଯୋଗ୍ୟ, ସେମାନଙ୍କ ମଧ୍ୟରୁ ଜଣେ ଉଧାର ଆଣି ଉକ୍ତ ଲଟେରି ଟିକେଟ୍ କିଣା ପାଇଁ ତାଙ୍କ ଭାଗର ଟଙ୍କା ଦେଇଥିଲେ।
ପ୍ରାପ୍ତ ସୂଚନା ଅନୁସାରେ, ଏହି ୧୧ଜଣ ମହିଳା ହେଉଛନ୍ତି, କେରଳର ପରାପ୍ପାନାନ୍ଗାଡ଼ି ପୌରପାଳିକା ଅନ୍ତର୍ଗତ ସବୁଜ ବାହିନୀ ‘ହରିତ କର୍ମ ସେନା’ର ସଦସ୍ୟା। ଗୋଟିଏ ଲଟେରି ଟିକେଟ୍, ତାହା ପୁଣି ଥରକରେ କୋଟିପତି କରିଦେବ ବୋଲି ସେମାନେ କଳ୍ପନା କରି ନ ଥିଲେ।
କିନ୍ତୁ, ବୁଧବାର ଦିନ ‘ମନ୍ସୁନ୍ ବମ୍ପର୍’ ଲଟେରି ଉଠାଣ ପରେ ସେମାନେ ୧୦ କୋଟି ଟଙ୍କା ଜିଣିଥିବା କଥା ‘କେରଳ ଲଟେରି ବିଭାଗ’ ଘୋଷଣା କରିଥିଲା।
/sambad/media/post_attachments/40cc8d983ca69d7b07bfbcb21f3dddebbb248378b9f1b38d76b8ff9fe45e4cc0.jpg)
ସହକର୍ମିଣୀମାନଙ୍କଠାରୁ ଚାନ୍ଦା ଆଦାୟ କରି ଏହି ଲଟେରି ଟିକେଟ୍ କିଣିଥିବା ରାଧା କହନ୍ତି, ଆଗରୁ ମଧ୍ୟ ଆମେ ଟଙ୍କା ଆଦାୟ କରି କେତେ ଥର ଲଟେରି ଟିକେଟ୍ କିଣିଥିଲୁ। କିନ୍ତୁ, ପ୍ରଥମ କରି ଏତେ ପରିମାଣର ଅର୍ଥରାଶି ଜିଣିଲୁ।
ଅନ୍ୟ ଜଣେ ମହିଳା କହିଛନ୍ତି ଯେ, ସୋମନେ ବ୍ୟାକୁଳ ହୋଇ ଲଟେରି ଉଠାଣକୁ ଚାହିଁ ବସିଥିଲେ। କିନ୍ତୁ, ନିକଟବର୍ତ୍ତୀ ପଲକ୍କଡ଼ରେ ବିକ୍ରୟ କରାଯାଇଥିବା ଲଟେରି ଟିକେଟ୍ଟି ପ୍ରଥମ ପୁରସ୍କାର ପାଇଥିବା କଥା କେହି ଜଣେ କହିବାରୁ ଆମକୁ ଦୁଃଖ ଲାଗିଥିଲା।
ସେ ଆହୁରି ମଧ୍ୟ କହିଛନ୍ତି, ପରିଶେଷରେ ଲଟେରି ଜିଣିଛୁ ବୋଲି ଜାଣିବା ପରେ ଆମ ଚଞ୍ଚଳତା ଓ ଆନନ୍ଦର ସୀମା ରହିଲା ନାହିଁ। ଆମ୍ଭମାନଙ୍କ ମଧ୍ୟରୁ ସମସ୍ତେ ଜୀବନରେ ଦୁଃଖକଷ୍ଟ ଭୋଗିଛୁ। ଏଇ ଟଙ୍କା ଆମ ସମସ୍ୟା ସବୁକୁ କିଛି ପରିମାଣରେ ସମାଧାନ କରିବାରେ ସହାୟକ ହେବ।
‘ହରିତ କର୍ମ ସେନା’ ସଦସ୍ୟ ଭାବେ ପାଉଥିବା ସାମାନ୍ୟ ବେତନରେ ସେମାନେ ଦୁଃଖେକଷ୍ଟେ ପରିବାର ପ୍ରତିପୋଷଣ କରନ୍ତି। ତାହା ପୁଣି ସେମାନଙ୍କ ପରିବାରର ପାଇଁ ଆୟର ଏକମାତ୍ର ପନ୍ଥା।