ନମପେନ: କାମ୍ବୋଡ଼ିଆର ପ୍ରେ ଭେଙ୍ଗ ପ୍ରଦେଶରେ ବାର୍ଡ ଫ୍ଲୁ ଭାତାଣୁ ଏଚ୍‌୫ଏ୧ ସଂକ୍ରମଣ ଯୋଗୁ ଜଣେ ୧୧ ବର୍ଷୀୟା ବାଳିକାର ମୃତ୍ୟୁ ଘଟିଛି। ୨୦୧୪ ପରେ ଦକ୍ଷିଣ ଏସୀୟ ଦେଶରେ ଏହା ପ୍ରଥମ ଏଚ୍‌୫ଏନ୍୧ ଭୂତାଣୁ ସଂକ୍ରମଣଜନିତ ମୃତ୍ୟୁ ବୋଲି କାମ୍ବୋଡ଼ିଆ ସ୍ବାସ୍ଥ୍ୟମନ୍ତ୍ରୀ ମାମ ବୁନହେଙ୍ଗ କହିଛନ୍ତି। ବାଳିକାଟି ପ୍ରବଳ ଜ୍ବର ଓ କାଶରେ ପୀଡ଼ିତ ଥିଲା। ଅବସ୍ଥା ଗୁରୁତର ହେବାରୁ ତାକୁ ବୁଧବାର ନମପେନସ୍ଥିତ ଜାତୀୟ ଶିଶୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଚିକିତ୍ସା ସତ୍ତ୍ବେ ସେଠାରେ ତା’ର ମୃତ୍ୟୁ ଘଟିଥିଲା। ବାଳିକାର ପିତା ଓ ଅନ୍ୟ ୧୧ ଜଣଙ୍କୁ ମଧ୍ୟ ଉକ୍ତ ଭୂତାଣୁ ସଂକ୍ରମଣ ହୋଇଥିବା ପରୀକ୍ଷାରୁ ଜଣାପଡ଼ିଛି।

Advertisment

ଏହି ଘଟଣାକୁ ନେଇ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ)ର ମହାମାରୀ ପ୍ରସ୍ତୁତି ଓ ନିରାକରଣ ନିର୍ଦ୍ଦେଶକ ସିଲଭି ବ୍ରିୟାଣ୍ଡ ଉଦ୍‌ବେଗ ପ୍ରକାଶ କରିଛନ୍ତି। ସେ କାମ୍ବୋଡ଼ିଆ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରିବା ସହ କହିଛନ୍ତି ଯେ, ଏହି ରୋଗ ମଣିଷରୁ ମଣିଷକୁ ସଂକ୍ରମିତ ହୋଇଛି କି ଚଢ଼େଇଠାରୁ ବା ଭୂତାଣୁଯୁକ୍ତ ପରିବେଶରୁ ମଣିଷକୁ ଆକ୍ରାନ୍ତ କରିଛି ତାହା ଜଣାପଡ଼ିନାହିଁ। କାମ୍ବୋଡ଼ିଆ ସ୍ବାସ୍ଥ୍ୟ ଅଧିକାରୀମାନେ ମୃତ ବାଳିକାର ଗ୍ରାମ ଆଖପାଖରୁ ମୃତ ଚଢ଼େଇଙ୍କ ନମୁନା ସଂଗ୍ରହ କରିଛନ୍ତି ଏବଂ ରୁଗ୍‌ଣ ବା ମୃତ ପଶୁପକ୍ଷୀଙ୍କୁ ନ ଛୁଇଁବା ପାଇଁ ସ୍ଥାନୀୟ ଲୋକଙ୍କୁ ପରାମର୍ଶ ଦେଇଛନ୍ତି। ବାର୍ଡ ଫ୍ଲୁ ବା ଏଭିଆନ ଇନ୍‌ଫ୍ଲୁଏଞ୍ଜା ମଣିଷକୁ ସଂକ୍ରମିତ ହେବା ଏକ ବିରଳ ଘଟଣା। ତେବେ ମଣିଷର ଆଖି, ନାକ ବା ପାଟି ଯଦି ଭୂତାଣୁ ସଂସ୍ପର୍ଶରେ ଆସେ ବା ମଣିଷ ଭୂତାଣୁଯୁକ୍ତ ବାୟୁ ନାକରେ ଆଘ୍ରାଣ କରେ ତେବେ ରୋଗ ସଂକ୍ରମଣ ହୋଇପାରେ ବୋଲି ଡାକ୍ତରମାନେ ପ୍ରକାଶ କରିଛନ୍ତି।