ଆଧାର ଲିଙ୍କ୍‌ ହୋଇନଥିବାରୁ ରଦ୍ଦ ହୋଇଥିଲା ରାସନକାର୍ଡ, ଭୋକରେ ଗଲା ନାବାଳିକା ଜୀବନ

ରାଞ୍ଚି: ଝାଡ଼ଖଣ୍ଡରେ ଦେଖିବାକୁ ମିଳିଛି ଏକ ହୃଦୟବିଦାରକ ଘଟଣା। ଭୋକରେ ଝାଡ଼ଖଣ୍ଡର ୧୧ ବର୍ଷୀୟା ନାବାଳିକା ସନ୍ତୋଷୀ କୁମାରୀଙ୍କ ମୃତ୍ୟୁ ପରେ ସମଗ୍ର ଅଞ୍ଚଳରେ ହଙ୍ଗମା ସୃଷ୍ଟି ହୋଇଛି। ଲୋକଙ୍କ ହିତ ପାଇଁ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରୁଛନ୍ତି। କିନ୍ତୁ ଅନେକ ଯୋଜନା ଲୋକଙ୍କ ପାଖରେ ପହଞ୍ଚି ପାରୁ ନାହିଁ। ବିଭିନ୍ନ ବର୍ଗର ବ୍ୟକ୍ତିଙ୍କ ନିମନ୍ତେ ସରକାରଙ୍କ ଦ୍ୱାରା ପ୍ରଣୀତ ଯୋଜନା କାର୍ଯ୍ୟକାରୀ ହୋଇଆସୁଛି। ଖଟିଖିଆ, ଦିନମଜୁରିଆ, ବୃଦ୍ଧ, ଭିନ୍ନକ୍ଷମଲୋକ, ଅସହାୟ ଓ ଦାରିଦ୍ର୍ୟ ସୀମାରେଖା ତଳେ ବସବାସ କରୁଥିବା ଲୋକଙ୍କ ପାଇଁ ସରକାରଙ୍କ ଦ୍ୱାରା ପ୍ରଣୀତ ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନାର ବ୍ୟବସ୍ଥା ରହିଛି। ତେବେ ଏହି ଯୋଜନା ଗୁଡ଼ିକ କେତେ କାର୍ଯ୍ୟକାରୀ ହେଉଛି ସେ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ଏତେ ଯୋଜନା ସତ୍ୱେ ଝାଡ଼ଖଣ୍ଡରେ ଜଣେ ନାବାଳିକା ଭୋକରେ ଜୀବନ ହାରିଛି। ଏପରି ଏକ ଦୁଃଖଦ ଘଟଣା ଘଟିଛି ସିମଡ଼େଗା ଜିଲ୍ଲା କରିମତି ଗାଁରେ। ଯେଉଁଠି ୨୮ ସେପ୍ଟଟରରେ ସନ୍ତ୍ରୋଷୀର ମୃତ୍ୟୁ ହୋଇଥିଲା।

ରାସନ କାର୍ଡ଼ ରଦ୍ଦ ହେବା ଯୋଗୁଁ ବାଳିକାଟି କିଛି ନଖାଇ ମୃତ୍ୟୁ ବରଣ କରିଛି ବୋଲି ଦାବି କରିଛନ୍ତି ପରିବାର ଲୋକ। ପରିବାର ସହ ମିଳିତ ରୂପେ କିଛି ସଂଗଠନ ଦାବି କରିଛନ୍ତି ତାଙ୍କ ପାଖରେ ଥିଲା ରାସନ କାର୍ଡ଼ ଯାହାକୁ ସେମାନେ ଆଧାର ସହ ଲିଙ୍କ କରିପାରିନଥିଲେ। ଅଧାର ସହ ଲିଙ୍କ ନହୋଇ ପାରିବାରୁ ରାସନ କାର୍ଡକୁ ରଦ୍ଦ କରି ଦିଆଯାଇଥିଲା।

ସନ୍ତୋଷୀଙ୍କ ମା’ ମିଡ଼ିଆକୁ କହିଛନ୍ତି ଫେବୃୟାରୀ ମାସରୁ ତାଙ୍କୁ ରାସନ ମିଳୁନାହିଁ। ସେବେଠାରୁ ତାଙ୍କ ପୂରା ପରବାର ଭୋକ ବିକଳରେ ଦିନ କାଟୁଥିଲା। ସ୍କୁଲ ଯାଉଥିବାରୁ ସନ୍ତୋଷୀକୁ ମଧ୍ୟାହ୍ନ ଭୋଜନରେ ଗୋଟିଏ ବେଳର ଖାଦ୍ୟ ମିଳିଯାଉଥିଲା । କିନ୍ତୁୁ ସେପ୍ଟେଟର ମାସ ଶେଷରେ ଦୁର୍ଗାପୂଜା ଯୋଗୁଁ ସ୍କୁଲ ବନ୍ଦ ହୋଇଗଲା ଏବଂ ଏହି ସମୟ ମଧ୍ୟରେ ହିଁ ସନ୍ତୋଷୀର ମୃତ୍ୟୁ ହୋଇଥିଲା। ଉକ୍ତ ଅଂଚଳର ବିକାଶ ଅଧିକାରୀ ସଞ୍ଜୟ କୁମାର କହିଛନ୍ତି, ମୁୁଁ ସ୍ୱୀକାର କରୁଛି ଯେ ପରିବାରର ରାସନ କାର୍ଡ଼ ରଦ୍ଦ ହୋଇଯାଇଛି। କିନ୍ତୁ ସନ୍ତୋଷୀର ମୃତ୍ୟୁ ଭୋକ ବିକଳରେ ନୁହେଁ ମ୍ୟାଲେରିଆ ଯୋଗୁଁ ହୋଇଛି ବୋଲି ସେ ପ୍ରକାଶ କରିଛନ୍ତି। ସନ୍ତୋଷୀର ମା’ଙ୍କ କହିବା ଅନୁସାରେ ଘଟଣା ଦିନ ସନ୍ତୋଷୀର ପେଟରେ ଯନ୍ତ୍ରଣା ହେଉଥିଲା। ଯନ୍ତ୍ରଣାର ୨୪ ଘଣ୍ଟା ମଧ୍ୟରେ ସେ ମୃତ୍ୟୁ ବରଣ କରିଥିଲା। ମୃତ୍ୟୁର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ। ତେବେ ପରିବାର ଲୋକ ଆଧାରକାର୍ଡ ସଯୋଗକୁକୁ ହିଁ ଏଥିପାଇଁ ଦାୟୀ କରିଛନ୍ତି। ତେବେ, ସରକାରଙ୍କର ଏହି ଯୋଜନା ଜନ କଲ୍ୟଣ କରୁଛି କି ନାହିଁ ତାହା ଏବେ ଏକ ପ୍ରଶ୍ନବାଚୀ!

ସମ୍ବନ୍ଧିତ ଖବର