ମିଆଁମାରରେ ଆମେରିକାର ସାମ୍ବାଦିକଙ୍କୁ ୧୧ବର୍ଷର ଜେଲଦଣ୍ଡ, ଦେଶଦ୍ରୋହ ମାମଲାରେ ଦୋଷୀ ସାବ୍ୟସ୍ତ

ମିଆଁମାର: ଆଜି ବିଶ୍ୱ ସାମ୍ବାଦିକତା ଇତିହାସରେ ଏକ କଳା ଅଧ୍ୟାୟ ଯୋଡି ହୋଇଯାଇଛି | ସାମରିକ ଶାସିତ ମିଆଁମାରର ଏକ କୋର୍ଟ ଦ୍ୱାରା ଆଜି ଆମେରିକୀୟ ସାମ୍ବାଦିକ ଡାନିଏଲ ଫେନଷ୍ଟରଙ୍କୁ ୧୧ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ୩୭ ବର୍ଷୀୟ ସାମ୍ବାଦିକ ଫେନଷ୍ଟରଙ୍କୁ ଦେଶରେ ବେଆଇନ ସଂଗଠନ ସହ ସମ୍ପର୍କ ରଖିଥିବାରୁ ଏବଂ ଭିସା ନିୟମ ଉଲ୍ଲଂଘନ କରିଥିବାରୁ ୧୧ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ଅନଲାଇନ୍ ମାଗାଜିନ ଫ୍ରଣ୍ଟିଅର୍ ମିଆଁମାରର ପରିଚାଳନା ସମ୍ପାଦକ ଡାନିଏଲ୍ ଫେନଷ୍ଟରଙ୍କୁ ସାମରିକ ଶାସିତ ମିଆଁମାରରେ ବେଆଇନ ସଂଗଠନ ସହ ଯୋଗାଯୋଗ ରଖିବା ଏବଂ ଭିସା ନିୟମ ଉଲ୍ଲଂଘନ କରି ଦୋଷୀ ସାବ୍ୟସ୍ତ ହୋଇଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ ମିଆଁମାରରେ କ୍ଷମତା ବଦଳିବା ପରେ ଏହି ଆମେରିକୀୟ ସାମ୍ବାଦିକଙ୍କୁ ମେ ୨୪ ୨୦୨୧ରେ ଗିରଫ କରାଯାଇଥିଲା। ସାମ୍ବାଦିକ ଫେନଷ୍ଟରଙ୍କ ନାମରେ ଆତଙ୍କବାଦ ତଥା ଦେଶଦ୍ରୋହକୁ ପ୍ରୋତ୍ସାହିତ କରିବା ଭଳି ଗୁରୁତର ଅଭିଯୋଗ ରହିଛି । ସୂଚନାଯୋଗ୍ୟ ଯେ ଫେବୃଆରୀ ୧, ୨୦୨୧ରେ ବର୍ମା ସାମରିକ ବିଦ୍ରୋହ ପରେ ମିଆଁମାରରେ ନିର୍ବାଚିତ ସରକାରଙ୍କୁ ଗାଦିଚ୍ୟୁତ କରାଯାଇ ମିଆଁମାର ସେନା ଦେଶର ଶାସନ କ୍ଷମତା ନିଜ ହାତକୁ ନେଇଥିଲା | ଆମେରିକୀୟ ସାମ୍ବାଦିକ ଡାନି ହେଉଛନ୍ତି ଏକମାତ୍ର ବିଦେଶୀ ସାମ୍ବାଦିକ ଯାହାଙ୍କୁ ଏତେ କଠୋର ଦଣ୍ଡ ଦିଆଯାଇଛି ।

ଏପର୍ଯ୍ୟନ୍ତ ପ୍ରାୟ ୧୦୦ରୁ ଅଧିକ ସାମ୍ବାଦିକଙ୍କୁ ଗିରଫ କରାଯାଇଛି। ସେଥିମଧ୍ୟରୁ ୩୦ଜଣ ସାମ୍ବାଦିକଙ୍କୁ ଦେଶର ଅନେକ ଜେଲରେ ରଖାଯାଇଛି। ସାମରିକ କାର୍ଯ୍ୟାନୁଷ୍ଠାନ ଫଳରେ ଦେଶରେ ରକ୍ତପାତ ହୋଇଥିଲା। ଯେଉଁଥିରେ ହଜାର ହଜାର ନିରୀହ ଲୋକଙ୍କୁ ହତ୍ୟା କରାଯାଇଥିଲା |

ସମ୍ବନ୍ଧିତ ଖବର