ସେନା କାଶ୍ମୀରରେ ଯେତେ ମାରୁଛି, ସେତେ ଯୁବକ ଆତଙ୍କବାଦୀ ହେଉଛନ୍ତି

ଶ୍ରୀନଗର : କାଶ୍ମୀରରେ ଭାରତୀୟ ସେନାର ଆତଙ୍କବାଦୀ ନିପାତ ଅଭିଯାନର ବ୍ୟାପକ ସଫଳତା ସତ୍ତ୍ୱେ ତାହା ସ୍ଥାନୀୟ ଯୁବକଙ୍କୁ ଆତଙ୍କବାଦୀ ହେବାକୁ ଅଟକାଇପାରିନାହିଁ । ଅଧିକରୁ ଅଧିକ ଯୁବକ ଆତଙ୍କବାଦୀ ସଂଗଠନଗୁଡ଼ିକରେ ମିଶୁଛନ୍ତି । ଚଳିତ ବର୍ଷ ଏପର୍ଯ୍ୟନ୍ତ (ଜୁଲାଇ ୧୫ ସୁଦ୍ଧା) ସେନା ପ୍ରାୟ ୧୧୦ ଆତଙ୍କବାଦୀ ନିପାତ କରିଥିବାବେଳେ ଆହୁରି ୧୧୦ ଜଣ କାଶ୍ମୀର ଯୁବକ ଆତଙ୍କାବାଦୀ ସଂଗଠନରେ ମିଶିଛନ୍ତି ।

ସରକାରୀ ସୂଚନାରୁ ପ୍ରକାଶ ଯେ ଦକ୍ଷିଣ କାଶ୍ମୀରର ସୋପିଆନ ଜିଲ୍ଲାରୁ ସବୁଠାରୁ ଅଧିକ ୨୮ ଜଣ ଯୁବକ ଆତଙ୍କବାଦୀ ହୋଇଛନ୍ତି । ଏହାଛଡା ଦକ୍ଷିଣ କାଶ୍ମୀରର ଅନ୍ୟାନ୍ୟ ଜିଲ୍ଲା ଅନନ୍ତନାଗ, ଫୁଲଓ୍ଵାମା, ଅଓ୍ଵନ୍ତିପୁରା ଓ କୁଲଗାମରୁ ମଧ୍ୟ ଯୁବକମାନେ ଆତଙ୍କର ରାସ୍ତା ଗ୍ରହଣ କରିଛନ୍ତି । ଏହି ୫ଟି ଜିଲ୍ଲାରୁ ମୋଟ ୯୧ ଜଣ ଯୁବକ ବିଭିନ୍ନ ଆତଙ୍କବାଦୀ ସଂଗଠନରେ ଯୋଗ ଦେଇଛନ୍ତି । ଏହା ନୁହେଁ ଯେ କେବଳ ଗରିବ ପିଲାମାନେ ଆତଙ୍କବାଦୀ ହେଉଛନ୍ତି, ଉଚ୍ଚଶିକ୍ଷିତ ପିଲାମାନେ ମଧ୍ୟ ଆତଙ୍କବାଦର ରାସ୍ତା ଗ୍ରହଣ କରୁଛନ୍ତି । ଏହାକୁ ନେଇ ସରକାରଙ୍କ ଚିନ୍ତା ବଢିଯାଇଛି । ତେବେ ଆଶ୍ୱସ୍ତିର କଥା ହେଉଛି ରାଜ୍ୟରେ ରାଜ୍ୟପାଳ ଶାସନ ଲାଗୁ ହେବା ପରେ ଏହି ସଂଖ୍ୟା ହ୍ରାସ ପାଇଛି । ସୂଚନାଯୋଗ୍ୟ ଯେ ଭାରତୀୟ ସେନା ଚଳିତ ବର୍ଷ ଏପର୍ଯ୍ୟନ୍ତ ପ୍ରାୟ ୧୧୦ରୁ ଅଧିକ ଆତଙ୍କବାଦୀଙ୍କୁ ନିପାତ କରିସାରିଲାଣି । ଗତ ୨୦୧୭ରୁ ଆରମ୍ଭ ହୋଇଥିବା ଅପରେସନ ଅଲଆଉଟରେ ଏପର୍ଯ୍ୟନ୍ତ ପ୍ରାୟ ୩୩୦ ଜଣ ଆତଙ୍କବାଦୀ ନିପାତ ହୋଇସାରିଲେଣି ।

ସମ୍ବନ୍ଧିତ ଖବର