କରୋନା ଭାଇରସ : ଉହାନରୁ ଭାରତ ଫେରିଥିବା ୧୧୨ ଲୋକ ସଂକ୍ରମିତ ହୋଇନାହାନ୍ତି

ନୂଆଦିଲ୍ଲୀ : ଚୀନର କରୋନା ଭାଇରସ ପ୍ରପୀଡ଼ିତ ଉହାନ ସହରରୁ ଭାରତକୁ ଅଣାଯାଇଥିବା ଲୋକମାନେ ସଂକ୍ରମିତ ହୋଇନଥିବା ଖବର ମିଳିଛି । ସେମାନଙ୍କ ରକ୍ତ ନମୁନା ନେଗେଟିଭ ବାହାରିଥିବା ସରକାରୀ ସୁତ୍ରରୁ ଜଣାପଡ଼ିଛି ।

ଚୀନର ହୁବେଇ ପ୍ରଦେଶର ଉହାନ ନଗରୀରେ ଥିବା ପ୍ରାୟ ୧୧୨ ଭାରତୀୟ ଓ ଅନ୍ୟକିଛି ପଡ଼ୋଶୀ ଦେଶର ନାଗରିକମାନଙ୍କୁ ଭାରତ ସରକାର ଗତ ୨୭ ତାରିଖରେ ଏକ ସ୍ୱତନ୍ତ୍ର ବିମାନଯୋଗେ ଭାରତ ଫେରାଇଆଣିଥିଲେ । ସେମାନଙ୍କୁ ଦିଲ୍ଲୀର ଛାଓ୍ଵଲା ଅଞ୍ଚଳରେ ଥିବା ଇଣ୍ଡୋ ତିବ୍ଦତୀୟ ସୀମା ପୁଲିସ (ଆଇଟିବିପି)ର କ୍ୟାମ୍ପ ନିର୍ମିତ ଏକ ସ୍ୱତନ୍ତ୍ର କ୍ୱାରାଣ୍ଟାଇନ କ୍ୟାମ୍ପ (ବାହ୍ୟଜଗତଠାରୁ ଅଲଗା ରଖାଯାଇଥିବା କ୍ୟାମ୍ପ)ରେ ରଖାଯାଇଥିଲା । ଏମ୍ସକୁ ପଠାଯାଇଥିବା ସେମାନଙ୍କର ରକ୍ତ ପରୀକ୍ଷା ନେଗେଟିଭ ବାହାରିଥିବା ଜଣାଯାଇଛି । ଏହି ଖବର ସେମାନଙ୍କ ପାଇଁ ଆଶ୍ୱସ୍ତି ଆଣିଦେଇଛି । ତେବେ ସେମାନଙ୍କୁ ଏହି କ୍ୟାମ୍ପରେ ଆଉ କିଛି ଦିନ ରଖାଯିବ । ପ୍ରାୟ ୧୪ ଦିନ ପରେ ଏମାନଙ୍କ ଆଉ ଥରେ ରକ୍ତ ପରୀକ୍ଷା କରାଯିବ । ଏହି ୧୧୨ ଜଣଙ୍କ ମଧ୍ୟରୁ ୭୬ ଜଣ ଭାରତୀୟ ହୋଇଥିବାବେଳେ ୩୬ ଜଣ ବିଦେଶୀ ଅଛନ୍ତି । ବିଦେଶୀଙ୍କ ମଧ୍ୟରେ ବାଂଲାଦେଶର ୨୩ ଜଣ, ଚୀନର ୬ ଜଣ ଅନ୍ତର୍ଭୁକ୍ତ । ପ୍ରଥମ ପର୍ଯ୍ୟାୟରେ ଭାରତ ଉହାନରୁ ପ୍ରାୟ ୬୫୦ ଲୋକଙ୍କୁ ଉଦ୍ଧାର କରି ମାନେସର ସ୍ଥିତଇଣ୍ଡୋ ତିବ୍ଦତୀୟ ସୀମା ପୁଲିସର କ୍ୱାରାଣ୍ଟାଇନ କ୍ୟାମ୍ପରେ ରଖିଥିଲା ।

ସମ୍ବନ୍ଧିତ ଖବର