ଘରକୁ ୧୧ ହଜାର ଭୋଲ୍‌ଟ୍‌ ବିଜୁଳି ଯୋଗାଣ: ଟିଭି ଓ ଫ୍ରିଜ୍‌ ଫାଟି ଛାତ୍ର ମୃତ

ମିରଟ: ବିଜୁଳି ଲାଇନ୍‌ରେ ତ୍ରୁଟି ଯୋଗୁଁ ମିରଟର କୁଅାଁ ପତ୍ତି ଅଞ୍ଚଳର ୧୦୦ ଘରକୁ ୧୧, ୦୦୦ ଭୋଲ୍‌ଟ୍‌ ବିଜୁଳି ପ୍ରବାହିତ ହେବା ଯୋଗୁଁ ରବିବାର ଅପରାହ୍ଣରେ ଜଣେ ୨୦ ବର୍ଷିୟ ବି. ଟେକ୍‌ ଛାତ୍ରଙ୍କ ମୃତ୍ୟୁ ହେବା ସହ ଅନ୍ୟ ଚାରିଜଣଙ୍କ ଦେହରେ ପୋଡ଼ି ଯାଇ ଘା’ ହୋଇଛି। ହାଇ-ଭୋଲ୍‌ଟେଜ୍‌ ବିଜୁଳି ଯୋଗୁଁ ଘରମାନଙ୍କରେ ଥିବା ସବୁ ବୈଦ୍ୟୁତିକ ଉପକରଣ ଗୋଟିକ ପରେ ଗୋଟିଏ ଫୁଟିବାକୁ ଲାଗିଥିଲା। ଗୋଟିଏ ଘର ମଧ୍ୟ ପୋଡ଼ି ଯାଇଛି।

ଗ୍ରାମୀଣ ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ ରାଜେଶ କୁମାର କହନ୍ତି: ତ୍ରୁଟି ଦେଖା ଯିବା ବେଳେ ସବୁ ବୈଦ୍ୟୁତିକ ଉପକରଣ କାମ କରୁଥିବାରୁ ସେ ସବୁ ଫାଟି ଯାଇ ପୋଡ଼ି ଯାଇଥିଲା। ଜଣଙ୍କର ମୃତ୍ୟୁ ହୋଇଛି, ଚାରି ଜଣ ଆହତ ହୋଇଛନ୍ତି ଏବଂ ଗୋଟିଏ ଘର ପୋଡ଼ି ଯାଇଛି।

ବି. ଟେକ୍‌ ଛାତ୍ର ସତେନ୍ଦ୍ର ଦାସ ନିଜ ମୋବାଇଲ୍‌ ଫୋନ୍‌ ଚାର୍ଜର ପ୍ଲଗ୍‌ରେ ଲଗାଉଥିବାବେଳେ ବିଜୁଳି ଆଘାତରେ ମରିଥିଲେ। ୫୦ ବର୍ଷୀୟ ବିଜ୍ଜୋ, ୩୨ ବର୍ଷୀୟ ସାହିବା ୩୫ ବର୍ଷୀୟ ଅଞ୍ଜୁମ୍‌ ନାମ୍ନୀ ତିନି ଜଣ ମହିଳା ଏବଂ ୩୮ ବର୍ଷିୟ ସ୍ଥାନୀୟ ବ୍ୟକ୍ତି ମହମ୍ମଦ ଶାକିରଙ୍କ ଦେହରେ ଜୋର୍‌ ଆଘାତ ଲାଗିଛି। ୭୦% ପୋଡ଼ି ଯାଇଥିବାରୁ ବିଜ୍ଜୋଙ୍କ ଅବସ୍ଥା ସଙ୍କାଟାପନ୍ନ ହୋଇପଡ଼ିଛି। ଅନ୍ୟମାନେ ୩୦% ଭାଗ ପୋଡ଼ି ହୋଇଛନ୍ତି। ଟିଭି ଫାଟିବାରୁ ଶାତିର ଅହମ୍ମଦ ନାମକ ଜଣେ ବ୍ୟକ୍ତିଙ୍କ ଘର ପୋଡ଼ି ଯାଇଛି।

ରାଗରେ ଗ୍ରାମବାସୀମାନେ ୧୧୯ ନମ୍ବର ଜାତୀୟ ରାଜପଥ ଅବରୋଧ କରିବାରୁ ସ୍ଥାନୀୟ କର୍ତ୍ତୃପକ୍ଷମାନେ ତୁରନ୍ତ ଘଟଣାସ୍ଥଳକୁ ଯାଇ ବିକ୍ଷୋଭ ପ୍ରଦର୍ଶନକାରୀଙ୍କୁ ଶାନ୍ତ କରାଇଥିଲେ। ମୃତ ପିଲାର ପରିବାରକୁ ବିଜୁଳି ବିଭାଗ ୫ ଲକ୍ଷ ଟଙ୍କାର ଏକ ଚେକ୍‌ ଦେଇଥିଲେ। ଘଟଣା ଉପରେ ତଦନ୍ତ କରାଯିବାକୁ ଆଦେଶ ଦିଆଯାଇଛି।

ସମ୍ବନ୍ଧିତ ଖବର