ନୂଆଦିଲ୍ଲୀ: ଦିଲ୍ଲୀର ବୁରାଡ଼ିରେ ଗୋଟିଏ ପରିବାରର ୧୧ ଜଣଙ୍କ ରହସ୍ୟଜନକ ମୃତ୍ୟୁ ଘଟଣାର ପୁଲିସକୁ ଅନେକ ସୁରାକ୍ ମିଳିଛି। ପରିବାରର ସଦସ୍ୟମାନେ ଅନ୍ଧବିଶ୍ୱାସରେ ସମ୍ପୂର୍ଣ୍ଣ ବୁଡ଼ିଥିଲେ। କୌଣସି ବାବାଙ୍କ ପ୍ରରୋଚନାରେ ପଡ଼ି ସେମାନେ ମୋକ୍ଷ ପାଇବାକୁ ଚାହିଥିଲେ ଏବଂ ଆତ୍ମହତ୍ୟାର ରାସ୍ତା ବାଛିନେଲେ ବୋଲି ପୁଲିସ କହିଛି। ଅନ୍ୟପକ୍ଷରେ ବ୍ୟବଚ୍ଛେଦ ରିପୋର୍ଟରୁ ବି ସେମାନଙ୍କୁ ହତ୍ୟା କରାଯାଇଥିବା ନେଇ ସଙ୍କେତ ମିଳି ନ ଥିବାରୁ ଏହା ଆତ୍ମହତ୍ୟା ମାମଲା ବୋଲି ପୁଲିସ ସ୍ପଷ୍ଟ କରିଛି। ତଦନ୍ତ ବେଳେ ପୁଲିସକୁ ମୋବାଇଲ୍ ଫୋନ୍ ଓ ଘରର ଦୁଇଟି ରେଜିଷ୍ଟର ମିଳିଥିଲା। ସେଥିରୁ ଅନ୍ଧବିଶ୍ୱାସର ସୁରାକ ମିଳିଛି। ପରିବାରର ସଦସ୍ୟମାନେ ତାନ୍ତ୍ରିକ ବାବା ଜାନୁଗଡ଼େଙ୍କ ସହ ସମ୍ପର୍କରେ ରହିଥିଲେ। ତାଙ୍କ ପରାମର୍ଶକ୍ରମେ ଘର ମଧ୍ୟରେ ପୂଜାପାଠ ଓ ତନ୍ତ୍ରସାଧନା କରୁଥିଲେ। ଘଟଣା ସମ୍ପର୍କରେ ଜାଣିବା ପରେ ପୁଲିସ ସମ୍ପୃକ୍ତ ତାନ୍ତ୍ରିକଙ୍କୁ ଧରିବା ପାଇଁ ଚଢ଼ଉ ଅଭିଯାନ ଆରମ୍ଭ କରିଛି। ସେପଟେ ବ୍ୟବଚ୍ଛେଦ ରିପୋର୍ଟ ଯାହା ଦର୍ଶାଇଛି ମୃତକଙ୍କ ଉପରେ କୌଣସି ଜୋରଜବରଦସ୍ତି କିମ୍ବା ନିର୍ଯାତନାର ଚିହ୍ନ ମିଳିନାହିଁ। ତେଣୁ ଅନ୍ୟ କେହି ଏହି ହତ୍ୟାକାଣ୍ଡ ଘଟାଇ ନ ଥିବା ପୁଲିସ କହିଛି। ଅତିରିକ୍ତ ପୁଲିସ କମିସନର (କ୍ରାଇମ୍ ବ୍ରାଞ୍ଚ) ଆଲୋକ କୁମାର କହିଛନ୍ତି, ୧୧ ମୃତକଙ୍କ ମଧ୍ୟରୁ ୬ ଜଣଙ୍କର ବ୍ୟବଚ୍ଛେଦ ସମ୍ପନ୍ନ ହୋଇଛି। ଦୁଇ ପୁଅ, ଦୁଇ ଝିଅ ଓ ସେମାନଙ୍କ ମାଆଙ୍କର ବ୍ୟବଚ୍ଛେଦ କରାଯାଇଛି। ରିପୋର୍ଟ ଦର୍ଶାଉଛି ଯେ ସେମାନେ ସମସ୍ତେ ଝୁଲନ୍ତା ଅବସ୍ଥାରେ ପ୍ରାଣ ହରାଇଛନ୍ତି। ତଣ୍ଟି ଚିପି ହତ୍ୟା କରାଯାଇଥିବା ନେଇ କୌଣସି ସୁରାକ୍ ମିଳିନାହିଁ।
୩୫-୩୫ ପୃଷ୍ଠା ସମ୍ବଳିତ ଉକ୍ତ ରେଜିଷ୍ଟରରୁ ତନ୍ତ୍ରସାଧନା ସହ ଜଡ଼ିତ କିଛି ତଥ୍ୟ ମିଳିଛି। ଏଥିରେ ଆତ୍ମହତ୍ୟାର ତାରିଖ ଓ ସମୟ ବି ଉଲ୍ଲେଖ କରାଯାଇଛି। ଏଥିରୁ ପୁଲିସ ଅନୁମାନ ଲଗାଇଛି ଯେ ବାବା ଜାନୁଗଡ଼େଙ୍କ ନିର୍ଦ୍ଦେଶକ୍ରମେ ତନ୍ତ୍ରମନ୍ତ୍ରର ଶିକାର ହୋଇ ଶେଷରେ ପରିବାର ସଦସ୍ୟମାନେ ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଇଛନ୍ତି। ତା’ଛଡ଼ା ପୁଲିସକୁ ମନ୍ଦିର ନିକଟରୁ ୭ ମୃତକଙ୍କ ମୋବାଇଲ୍ ଫୋନ୍ ଓ ଗୋଟିଏ ଟ୍ୟାବ୍ ମିଳିଛି। ଗୋଟିଏ ପଲିଥିନ୍ରେ ଏହା ଗୁଡ଼ା ହୋଇଥିବା ବେଳେ ସବୁ ଫୋନ୍ ଓ ଟ୍ୟାବ୍ ସାଇଲେଣ୍ଟ ମୋଡ୍ରେ ରହିଥିଲା। ରେଜିଷ୍ଟର ଓ ମୋବାଇଲ୍ ଫୋନ୍ରୁ ମିଳିଥିବା ତଥ୍ୟକୁ ଏକାଠି କରିବା ପରେ ସଦସ୍ୟମାନେ ଆତ୍ମହତ୍ୟା କରିଛନ୍ତି ବୋଲି ପୁଲିସ ଜାଣିବାକୁ ପାଇଛି। ତେବେ କୌଣସି ଧାର୍ମିକ ଅନୁଷ୍ଠାନ ପାଇଁ ଏମାନେ ଏଭଳି ପଦକ୍ଷେପ ନେଇଛନ୍ତି। ଘଟଣାସ୍ଥଳରୁ ମିଳିଥିବା ଅନ୍ୟ ଏକ କାଗଜରେ ‘କେହି ମରିବେ ନାହିଁ, ବରଂ କିଛି ମହାନ୍ ହାସଲ କରିହେବ’ ବୋଲି ଉଲ୍ଲେଖ ରହିଛି। ଅନ୍ୟଏକ ଚିଠିରେ ଉଲ୍ଲେଖ ଥିଲା ‘ଜୁନ୍ ୩୦ ପୂର୍ବରୁ ଈଶ୍ୱରଙ୍କୁ ଭେଟିବାକୁ ହେବ, କେବଳ ଗୁରୁବାର କି ରବିବାର ଏଥିପାଇଁ ପ୍ରକୃଷ୍ଟ ସମୟ ହେବ।’ ପୁଲିସ ସୂଚନା ଅନୁସାରେ ଶବ ବ୍ୟବଚ୍ଛେଦ ପରେ ସତ୍କାର ପାଇଁ ସେମାନଙ୍କ ପରିବାର ସଦସ୍ୟମାନଙ୍କୁ ଏହା ହସ୍ତାନ୍ତର କରାଯିବ। ସ୍ଥାନୀୟ ଲୋକଙ୍କ କହିବାନୁସାରେ ମୃତକଙ୍କ ମଧ୍ୟରେ ଥିବା ୨୩ ବର୍ଷୀୟା ମୋନୁ ପ୍ରବେଶିକା ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ବେଳେ ୨୫ ବର୍ଷୀୟା ନିତୁ ସ୍ନାତକୋତ୍ତର ଛାତ୍ରୀ ଥିଲେ।!
ଗୋଟିଏ ପରିବାରର ୧୧ ଜଣଙ୍କ ରହସ୍ୟଜନକ ମୃତ୍ୟୁ :ମୋକ୍ଷ ପାଇଁ ଆତ୍ମହତ୍ୟା
ମୋବାଇଲରୁ ମିଳିଲା ବାବାଙ୍କ ଲିଙ୍କ୍ ରେଜିଷ୍ଟରରେ ଆତ୍ମହତ୍ୟାର ତାରିଖ:ଚିଠିରେ ରହସ୍ୟମୟ ତଥ୍ୟ
/sambad/media/post_attachments/wp-content/uploads/2018/07/suicidee.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)