ମହାରାଷ୍ଟ୍ରରେ ୧୨ ଶିଶୁଙ୍କୁ ପୋଲିଓ ବୁନ୍ଦା ବଦଳରେ ସାନିଟାଇଜର, ସମସ୍ତେ ଡାକ୍ତରଖାନାରେ ଭର୍ତ୍ତି

ଯଵତମଲ(ମହାରାଷ୍ଟ୍ର) : ଏକ ଦୁର୍ଭାଗ୍ୟପୂର୍ଣ୍ଣ ଘଟଣାକ୍ରମରେ ମହାରାଷ୍ଟ୍ର ରାଜଧାନୀ ମୁମ୍ବାଇ ଠାରୁ ୭୦୦ କିମି ଦୂର ଯଵତମଲ୍‌ ଜିଲ୍ଲାରେ ଏକ ପୋଲିଓ ବୁନ୍ଦା ପ୍ରଦାନ କେନ୍ଦ୍ରରେ ୧୨ ଜଣ ଶିଶୁଙ୍କୁ ପୋଲିଓ ବୁନ୍ଦା ଦେବା ବଦଳରେ ସେମାନଙ୍କୁ ସାନିଟାଇଟର ପ୍ରୟୋଗ କରାଯିବା ଘଟଣା ଚାଞ୍ଚଲ୍ୟ ଖେଳାଇଦେଇଛି। ତେବେ ୫ ବର୍ଷରୁ କମ୍‌ ବୟସର ଏହି ଶିଶୁମାନଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ଏବଂ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ଜଣାଯାଇଛି। ଅପରପକ୍ଷେ, ଏଭଳି କର୍ତ୍ତବ୍ୟରେ ଅବହେଳା କରିଥିବା ତିନି ଜଣ ସ୍ବାସ୍ଥ୍ୟ କର୍ମୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜଣେ ଅଧିକାରୀ ସୂଚନା ଦେଇଛନ୍ତି।

ସୂଚନାନୁଯାୟୀ, ଗତ ରବିବାର ଜାତୀୟ ପୋଲିଓ ଟିକାକରଣ କାର୍ଯ୍ୟକ୍ରମ ଅବସରରେ ସଂପୃକ୍ତ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ବର୍ଷକରୁ ୫ ବର୍ଷ ବୟସର ଶିଶୁମାନଙ୍କୁ ପୋଲିଓ ବୁନ୍ଦା ପ୍ରଦାନ କରାଯାଉଥିଲା। ସେଠାରେ ଜଣେ ଡାକ୍ତର, ଜଣେ ଅଙ୍ଗନବାଡ଼ି କର୍ମୀ ଓ ଜଣେ ଆଶାକର୍ମୀ ଉପସ୍ଥିତ ଥିଲେ। ତେବେ ଜଣେ ଶିଶୁ ପୋଲିଓ ବୁନ୍ଦା ନେବା ପରେ ପ୍ରବଳ ବାନ୍ତି କରିବାରୁ ତନାଘନା ପରେ ଶିଶୁମାନଙ୍କୁ ସାନିଟାଇଟର ବୁନ୍ଦା ଦିଆଯାଇଥିବା ଜଣାପଡ଼ିଥିଲା। ସେତେବେଳକୁ ୧୨ ଜଣ ଶିଶୁ ବୁନ୍ଦା ନେଇ ସାରିଥିଲେ। ତେବେ କିଭଳି ସେମାନଙ୍କୁ ପୋଲିଓ ବୁନ୍ଦା ଦେବାରେ ଏଭଳି ତ୍ରୁଟି ରହିଲା, ତାହାର ତଦନ୍ତ ଜାରି ରହିଛି ଏବଂ ସଂପୃକ୍ତ ସ୍ବାସ୍ଥ୍ୟକର୍ମୀମାନଙ୍କୁ ନିଲମ୍ବନ ପାଇଁ ସୁପାରିସ କରାଯାଇଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର