ନୂଆଦିଲ୍ଲୀ: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଆଜି ନୂଆଦିଲ୍ଲୀର ବିଜ୍ଞାନଭବନରେ ଓଡ଼ିଶା ସମେତ ୮ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ନେଇ ମାଓବାଦୀ ଦମନ ଅଭିଯାନର ସମୀକ୍ଷା କରାଯାଇଛି। ଓଡ଼ିଶାରେ ମାଓବାଦୀ ବିରୋଧୀ ଅଭିଯାନକୁ ଜୋର୍ଦାର କରିବା ପାଇଁ ଅତିରିକ୍ତ ୧୨ କମ୍ପାନି କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ଫୋର୍ସ (ସିଏପିଏଫ୍) ସହ ଗୋଟିଏ ହେଲିକପ୍ଟର ଯୋଗାଇଦେବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଅବସରରେ ଦାବି କରିଛନ୍ତି।
ବୈଠକରେ ଓଡ଼ିଶା ସମେତ ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ତେଲେଙ୍ଗାନା, ଝାଡ଼ଖଣ୍ଡ, ବିହାର, ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀମାନେ ଯୋଗ ଦେଇଥିଲେ। ଗତ ଶୁକ୍ରବାର ଛତିଶଗଡ଼ରେ ବଡ଼ ଧରଣର ଏନ୍କାଉଣ୍ଟର ପରବର୍ତ୍ତୀ ସ୍ଥିତି ସଂପର୍କରେ ଆଲୋଚନା ସହ ନକ୍ସଲ ଦମନ ଅଭିଯାନ ଓ ଉନ୍ନୟନମୂଳକ କାର୍ଯ୍ୟ ସଂପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା। ମାଓବାଦୀ ମୁକାବିଲା ନେଇ ମିଳିତ ରଣନୀତି ଉପରେ ମାନସ ମନ୍ଥନ ହୋଇଥିଲା। ୨୦୨୬ ମାର୍ଚ୍ଚ ସୁଦ୍ଧା ଦେଶକୁ ନକ୍ସଲ ମୁକ୍ତ କରିବା ପାଇଁ ଶ୍ରୀ ଶାହ ରାଜ୍ୟମାନଙ୍କୁ ଗୁରୁମନ୍ତ୍ର ଦେଇଥିଲେ। ଓଡ଼ିଶାର ଉପରୋକ୍ତ ଦୁଇଟି ଦାବି ନେଇ କେନ୍ଦ୍ର ସରକାରଙ୍କ ସହଯୋଗ ମିଳିଲେ ମାଓବାଦୀ ବିରୋଧୀ ଅଭିଯାନକୁ ଜୋର୍ଦାର କରିବା ପାଇଁ କୌଣସି ଅସୁବିଧା ହେବ ନାହିଁ ବୋଲି ଶ୍ରୀ ମାଝୀ ବୈଠକରେ ଦୃଢ଼ୋକ୍ତି ପ୍ରକାଶ କରିଥିଲେ। ଆଗାମୀ ୨ବର୍ଷ ଭିତରେ ଓଡ଼ିଶାକୁ ନକ୍ସଲମୁକ୍ତ କରାଯିବ। ଏହାକୁ ଚ୍ୟାଲେଞ୍ଜ ଭାବେ ଗ୍ରହଣ କରାଯାଇଛି ବୋଲି ବୈଠକ ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଗଣମାଧ୍ୟମକୁ କହିଥିଲେ।
ଓଡ଼ିଶାର ୧୦ଟି ଜିଲ୍ଲାରେ ମାଓ ଗତିବିଧି ରହିଛି। ସେ ମଧ୍ୟରୁ ଚାରି ପାଞ୍ଚଟି ଜିଲ୍ଲା ଉପରେ ଅଧିକ ଫୋକସ୍ କରାଯିବାର ଆବଶ୍ୟକତା ରହିଛି। ନୂଆପଡ଼ା ଓ ମାଲକାନଗିରି ଜିଲ୍ଲାରେ ଅପରସେନ ଜୋର୍ଦାର କରାଯିବା ନେଇ ସେ ସଙ୍କେତ ଦେଇଥିଲେ। ଛତିଶଗଡ଼ରେ ବଡ଼ ଧରଣର ଏନ୍କାଉଣ୍ଟର ପରେ ମାଓବାଦୀମାନେ ଓଡ଼ିଶାରେ ଅନୁପ୍ରବେଶ କରିପାରନ୍ତି ବୋଲି ଆଶଙ୍କା ରହିଛି। ଏହି କାରଣରୁ ରାଜ୍ୟରେ ଅଧିକ ସଂଖ୍ୟକ ଫୋର୍ସ ମୁତୟନ କରିବା ପାଇଁ କେନ୍ଦ୍ରର ସହଯୋଗ ଲୋଡ଼ାଯାଇଛି। କେନ୍ଦ୍ରୀୟ ଫୋର୍ସ ଓ ରାଜ୍ୟର ଫୋର୍ସର ମିଳିତ ଅଭିଯାନ ଚଳାଇଲେ ସଫଳତା ମିଳିବ ବୋଲି ସେ ଆଶା ପ୍ରକାଶ କରିଥିଲେ। ଓଏସ୍ଏସ୍ଏଫ୍ ଅର୍ଥାତ ଅବସରପ୍ରାପ୍ତ ସେନା ଅଧିକାରୀଙ୍କୁ ପୁନଃନିଯୁକ୍ତି ଦିଆଯାଇ ତିନିଟି ବାଟାଲିୟନ ଗଠନ କରାଯିବ।
ଏହି ବାହିନୀ ମାଓ ଅଭିଯାନରେ ସାମିଲ ହେବେ ବୋଲି ମୁଖ୍ୟମନ୍ତ୍ରୀ ବୈଠକରେ ଅବଗତ କରାଇଥିଲେ। ମାଓବାଦୀ ପ୍ରବଣ ଦୁର୍ଗମ ଅଞ୍ଚଳରେ ରାସ୍ତା, ମୋବାଇଲ୍ ସେବା, ସ୍ବାସ୍ଥ୍ୟ ସୁବିଧା ପହଞ୍ଚାଇବା ଉପରେ ସେ ଗୁରୁତ୍ବାରୋପ କରିଥିଲେ। ରାଜ୍ୟର ପୁଲିସ ମହାନିର୍ଦ୍ଦେଶକ ପ୍ରତି ୧୫ ଦିନ ବ୍ୟବଧାନରେ ମାଓବାଦୀ ପ୍ରଭାବିତ ଅଞ୍ଚଳ ଗସ୍ତ କରି ସ୍ଥିତିର ସମୀକ୍ଷା କରିବେ ବୋଲି ଶ୍ରୀ ମାଝୀ କହିଥିଲେ। ଏହି ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କ ସମେତ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଓ ପୁଲିସ ମହାନିର୍ଦ୍ଦେଶକ ୱାଇବି ଖୁରାନିଆ ଯୋଗ ଦେଇଥିଲେ। ସମୀକ୍ଷା ବୈଠକ ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କ ସରକାରୀ ବାସଭବନକୁ ଯାଇ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/aUZBdYXrJt9LfqBMQvW7.jpg)