ନୂଆଦିଲ୍ଲୀ: ଦେଶର ଶୀର୍ଷ ମେଡିକାଲ ସଂସ୍ଥା ଏମ୍‌ସ ଏବେ ବଡ଼ ଧରଣର ସାଇବର ଅପରାଧର ଶିକାର ହୋଇଛି। ସାଇବର ଅପରାଧୀମାନେ ଚେକ୍‌ କ୍ଲୋନିଂ ମାଧ୍ୟମରେ ଦିଲ୍ଲୀ ଏମ୍‌ସର ଦୁଇଟି ପୃଥକ୍‌ ବ୍ୟାଙ୍କ ଖାତାରୁ ୧୨ କୋଟି ଟଙ୍କା ଉଠାଇ ନେଇଛନ୍ତି। ଏହି ଘଟଣା ଜଣାପଡ଼ିବା ପରେ ଏମ୍‌ସ ପ୍ରଶାସନରେ ହଇଚଇ ସୃଷ୍ଟି ହୋଇଛି। ଏମ୍‌ସ ବ୍ୟାଙ୍କ୍‌ ଖାତାରୁ ଏତେ ବିପୁଳ ପରିମାଣର ଟଙ୍କା ହଡ଼ପ ନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ କର୍ତ୍ତୃପକ୍ଷଙ୍କଠାରୁ ବିସ୍ତୃତ ତଥ୍ୟ ମାଗିଥିବା ବେଳେ ସାଇବର୍‌ ସେଲ୍‌ର ୩ଟି ଟିମ୍‌ ଏହି ମାମଲାର ତଦନ୍ତ କରୁଛନ୍ତି। ଉଚ୍ଚସ୍ତରୀୟ ତଦନ୍ତ ଚାଲିଥିବାରୁ ଏମ୍ସ ପ୍ରଶାସନ ଏବଂ ତଦନ୍ତକାରୀ ଦିଲ୍ଲୀ ପୁଲିସ ଅଧିକ ତଥ୍ୟ ପ୍ରଘଟ କରିନାହାନ୍ତି।

Advertisment

ଯେଉଁ ଦୁଇଟି ଆକାଉଣ୍ଟ୍‌ରୁ ଟଙ୍କା ଗାଏବ ହୋଇଛି ତାହା ଏସ୍‌ବିଆଇର ବୋଲି ଜଣାପଡ଼ିଛି। ବ୍ୟାଙ୍କ୍‌ ପକ୍ଷରୁ ମଧ୍ୟ ଏହି ମାମଲାର ଆଭ୍ୟନ୍ତରୀଣ ତଦନ୍ତ ଆରମ୍ଭ ହୋଇଯାଇଛି। ପ୍ରଥମେ ଦିଲ୍ଲୀ ଏମ୍‌ସର ମୁଖ୍ୟ ଆକାଉଣ୍ଟ୍‌ରୁ ୭ କୋଟି ଟଙ୍କା ଗାଏବ ହୋଇଥିଲା। ଏହି ଆକାଉଣ୍ଟ୍‌ ଏମ୍‌ସ ନିର୍ଦ୍ଦେଶକଙ୍କ ଦ୍ବାରା ପରିଚାଳିତ ହେଉଥିଲା। ଏହାପରେ ଡିନ୍‌ଙ୍କ ଦ୍ବାରା ପରିଚାଳିତ ହେଉଥିବା ଆକାଉଣ୍ଟ୍‌ରୁ ୫ କୋଟି ଟଙ୍କା ଗାଏବ ହୋଇଥିଲା। ଏ ସଂପର୍କରେ କିଛି ଦିନ ତଳେ ଜଣାପଡ଼ିଥିଲା ଏବଂ ନକଲି ଚେକ୍‌ ମାଧ୍ୟମରେ ମାସକ ମଧ୍ୟରେ ଏହି ଅର୍ଥ ଗାଏବ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଡେରାଡୁନ୍‌ ଏବଂ ମୁମ୍ବାଇରେ ମଧ୍ୟ କ୍ଲୋନିଂ ଚେକ୍‌ ଦ୍ବାରା ଟଙ୍କା ଉଠାଇବାକୁ ଗତ ସପ୍ତାହରେ ଉଦ୍ୟମ ହୋଇଥିଲା। ତେବେ ଏଥିରେ ସାଇବର୍‌ ଅପରାଧୀମାନେ ସଫଳ ହୋଇନଥିଲେ। ଏହି ଘଟଣା ପରେ କ୍ଲୋନିଂ ଚେକ୍‌ ବାବଦରେ ଏସ୍‌ବିଆଇ ତା’ର ସମସ୍ତ ଶାଖାକୁ ସତର୍କ କରାଇ ଦେଇଛି।