ନୂଆଦିଲ୍ଲୀ: ଆଗାମୀ ଦିନରେ ଦେଶରେ ଜାରି ରହିଥିବା ଗଣଟିକାକରଣ କାର୍ଯ୍ୟକ୍ରମ ଆହୁରି ଦ୍ରୁତ ଓ ବ୍ୟାପକ ହେବ ବୋଲି ଅନୁମାନ କରାଯାଉଛି। ସମ୍ପ୍ରତି ଚାହିଦାନୁସାରେ କୋଭିଡ୍ ଟିକା ଉପଲବ୍ଧ ନଥିବାରୁ ବିଶ୍ବର ଏହି ବୃହତ୍ତମ ଟିକାକରଣ ଯୋଜନା ଟିକେ ଧିମେଇ ଯାଇଥିବା ବେଳେ ଜୁନ୍ ମାସରେ ପ୍ରାୟ ୧୨ କୋଟି ଟିକା ମିଳିଯିବ ବୋଲି ଆଜି କେନ୍ଦ୍ର ସରକାର ଘୋଷଣା କରିଛନ୍ତି। ଦେଶରେ ଟିକା ଯୋଗାଉଥିବା ଭେଷଜ କମ୍ପାନି ସେମାନଙ୍କର ଟିକାନିର୍ମାଣକୁ ତ୍ବରାନ୍ବିତ କରିଥିବାରୁ ବିଭିନ୍ନ ରାଜ୍ୟରେ ସମ୍ପ୍ରତି ଦେଖା ଦେଇଥିବା ଟିକା ଅଭାବ ଦୂରେଇଯିବା ସହ ଅଧିକରୁ ଅଧିକ ହିତାଧିକାରୀ ଉପକୃତ ହୋଇପାରିବେ ବୋଲି ଆଶା କରାଯାଉଛି।
ଅପରପକ୍ଷେ, ଶନିବାର ସନ୍ଧ୍ୟା ୭ଟା ସୁଦ୍ଧା ଦେଶରେ ମୋଟ ୨୧.୧୮ କୋଟି ହିତାଧିକାରୀଙ୍କର ଟିକାକରଣ କରାଯାଇଥିବା ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ସେଥି ମଧ୍ୟରୁ ଟିକାକରଣରେ ଚଳିତ ମାସ ପ୍ରାରମ୍ଭରେ ସାମିଲ ହୋଇଥିବା ୧୮ରୁ ୪୪ ବର୍ଷ ବୟସର ହିତାଧିକାରୀଙ୍କ ଭିତରୁ ୧୪.୧୫ ଲକ୍ଷ ସେମାନଙ୍କର ପ୍ରଥମ ମାତ୍ରା ନେଇଥିବା କେବଳ ଶନିବାର ୯,୦୭୫ ଜଣ ଏହି ବର୍ଗର ହିତାଧିକାରୀ ଦ୍ବିତୀୟ ମାତ୍ରା ନେଇଛନ୍ତି। ସେହିପରି ୯୮.୬୧ ଲକ୍ଷ ସ୍ବାସ୍ଥ୍ୟ କର୍ମୀ ପ୍ରଥମ ମାତ୍ରା ନେଇଥିବା ବେଳେ ୬୭.୭୧ ଲକ୍ଷ ଦ୍ବିତୀୟ ମାତ୍ରା ନେଇଛନ୍ତି।
ସିରମ୍ ଦେବ କୋଭିସିଲ୍ଡର ୧୦ କୋଟି ମାତ୍ରା
ନୂଆଦିଲ୍ଲୀ: ସିରମ୍ ଇନ୍ଷ୍ଟିଚ୍ୟୁଟ୍ ଆଜି ଟିକା ଯୋଗାଣ ନେଇ ବଡ଼ ଘୋଷଣା କରିଛି। ଜୁନ୍ ମାସରେ ପ୍ରାୟ ୧୦ କୋଟି କୋଭିସିଲ୍ଡ ମାତ୍ରା ତିଆରି କରିବା ସହ ଯୋଗାଣ ପାଇଁ ଏହା ସକ୍ଷମ ବୋଲି ସିରମ୍ ପକ୍ଷରୁ ଆଜି ସ୍ପଷ୍ଟ କରାଯାଇଛି। ଦେଶରେ କୋଭିଡ୍ ଟିକା ଯଥାସମ୍ଭବ ଅଧିକ ମାତ୍ରାରେ ଉପଲବ୍ଧ କରିବା ପାଇଁ କର୍ମଚାରୀମାନେ ଅହରହ କାମ କରୁଛନ୍ତି ବୋଲି ସିରମ୍ କହିଛି।