ଜମ୍ମୁ ଓ କଶ୍ମୀରର ମାତା ବୈଷ୍ଣୋଦେବୀ ପୀଠରେ ଦଳାଚକଟା: ୧୨ ମୃତ, ୨୦ ଆହତ

ଶ୍ରୀନଗର: ଆଜି ପ୍ରତ୍ୟୁଷରେ ଜମ୍ମୁ ଓ କଶ୍ମୀରସ୍ଥିତ ମାତା ବୈଷ୍ଣୋ ଦେବୀ ପୀଠରେ ଦଳାଚକଟା ଘଟଣାରେ ୧୨ଜଣ ତୀର୍ଥଯାତ୍ରୀଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉ ୨୦ଜଣ ଆହତ ହୋଇଥିବା କଥା ପୁଲିସ ସୂତ୍ରରୁ ପ୍ରକାଶ।

ଜଣେ ବରିଷ୍ଠ ସରକାରୀ ଅଧିକାରୀଙ୍କ କହିବା ଅନୁସାରେ,୧୨ଜଣ ତୀର୍ଥଯାତ୍ରୀଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ୟୂନ ୨୦ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ନାରାୟଣା ହସ୍ପିଟାଲ୍‌କୁ ନିଆଯାଇଛି। ସେମାନଙ୍କ ମଧ୍ୟରୁ ଅନେକଙ୍କ ସ୍ବାସ୍ଥ୍ୟାବସ୍ଥା ସାଙ୍ଘାତିକ ଅଛି।

ନବବର୍ଷ ଉପଲକ୍ଷେ ତ୍ରିକୁଟ ପର୍ବତରେ ଥିବା ଉପରୋକ୍ତ ଧର୍ମପୀଠ ପରିସରରେ ଜନଗହଳି ପ୍ରବଳ ହେବାରୁ ଦଳାଚକଟା ଘଟିଥିବା ଜଣାପଡ଼ିଛି। ସ୍ଥାନୀୟ ସରକାରୀ ଅଧିକାରୀଙ୍କ ସୂତ୍ରରୁ ପ୍ରକାଶ ଯେ, ଅନୁମତି ଚିଟାଉ (ପର୍‌ମିସନ୍‌ ସ୍ଲିପ୍‌) ବିନା ବହୁସଂଖ୍ୟକ ଦର୍ଶନାର୍ଥୀ ବୈଷ୍ଣୋଦେବୀ ଭବନ ମଧ୍ୟକୁ ପ୍ରବେଶ କରିବାରୁ ଦଳାଚକଟା ପରିସ୍ଥିତି ଉପୁଜିଥିଲା।

Image Courtesy of Zee News

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ରାଷ୍ଟ୍ରମନ୍ତ୍ରୀ ଥିବା କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ କହିଛନ୍ତି ଯେ, ମାତା ବୈଷ୍ଣୋ ଦେବୀ ମନ୍ଦିର ପରିସରରେ ଘଟିଥିବା ଉକ୍ତ ଦୁଃଖଦ ପରିସ୍ଥିତି ଉପରେ ପ୍ରଧାନମନ୍ତ୍ରୀ ମୋଦୀ ବ୍ୟକ୍ତିଗତ ଭାବେ ଧ୍ୟାନ ଦେଉଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦୀ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରିଛନ୍ତି। ଆହତମାନଙ୍କୁ ସବୁ ପ୍ରକାର ସମ୍ଭାବ୍ୟ ଡାକ୍ତରୀ ଚିକିତ୍ସା ଏବଂ ସହାୟତା ଯୋଗାଇଦେବାକୁ ନିର୍ଦେଶ ଦେଇଛନ୍ତି।

ଏହା ବ୍ୟତିରେକେ, ପ୍ରଧାନମନ୍ତ୍ରୀ ମୃତ ବ୍ୟକ୍ତିଙ୍କ ପରିବାରବର୍ଗଙ୍କ ପାଇଁ ୨ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଏବଂ ଆହତମାନଙ୍କ ଚିକିତ୍ସା ନିମନ୍ତେ ୫୦ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଘୋଷଣା କରିଛନ୍ତି।

ସ୍ଥାନୀୟ ସରକାରୀ ଅଧିକାରୀଙ୍କ କହିବା ଅନୁସାରେ, ରାତି ୨ଟାରୁ ୩ଟା ମଧ୍ୟରେ ଉପରୋକ୍ତ ଘଟଣା ଘଟିଛି। ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର ଓ ଜନସ୍ଥାନାନ୍ତରଣ କାର୍ଯ୍ୟ ଆରମ୍ଭ କରିଥିଲା।

ମୃତବ୍ୟକ୍ତିମାନଙ୍କ ମଧ୍ୟରୁ କେତେକ ଦିଲ୍ଲୀ, ହରିୟାଣା, ପଞ୍ଜାବର ହୋଇଥିବା ବେଳେ ଜଣେ ଜମ୍ମୁ ଓ କଶ୍ମୀରର ବାସିନ୍ଦା ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର