ଉତ୍ତରାଖଣ୍ଡ : ଗଭୀର ଖାତକୁ ଖସିପଡ଼ିଲା ବସ, ୧୨ ମୃତ

ଜୋଶୀମଠ : ଉତ୍ତରାଖଣ୍ଡର ଜୋଶୀମଠଠାରେ ଶୁକ୍ରବାର ଏକ ଭୟଙ୍କର ସଡ଼କ ଦୁର୍ଘଟଣା ହୋଇଛି । ଏହି ସଡ଼କ ଦୁର୍ଘଟଣାରେ ଦୁଇ ମହିଳାଙ୍କ ସମେତ ଅତି କମରେ ୧୨ ଜଣଙ୍କର ମୃତ୍ୟୁ ଘଟିଛି । ଯୋଶୀମଠ ବ୍ଲକର ଉର୍ଗାମ-ପଲ୍ଲା ଜାଖୋଲା ପାର୍ବତ୍ୟ ରାସ୍ତାରେ ଯାଉଥିବାବେଳେ ବସଟି ଭାରସାମ୍ୟ ହରାଇ ଗଭୀର ଖାଇରେ ଖସିପଡ଼ିଥିଲା ।

ନିହତ ୧୨ ଜଣଙ୍କ ମଧ୍ୟରୁ ୧୦ ଜଣ ପୁରୁଷ ଓ ୨ ଜଣ ନାରୀ ଅଛନ୍ତି ।  ଏହି ଦୁର୍ଘଟଣାରେ ତିନି ଜଣ ଆହତ ହୋଇଛନ୍ତି । ଆହତମାନଙ୍କୁ ଏକ ସ୍ଥାନୀୟ ହସପିଟାଲରେ ଭର୍ତ୍ତି କରାଯାଇଛି । ସ୍ଥାନୀୟ ଲୋକ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାମ ଜାରି ରଖିଛନ୍ତି ।

ଜିଲ୍ଲାପାଳ ହିମାଂଶୁ ଖୁରାନା, ଏସପି ପ୍ରମାନ୍ଦ୍ର ଡୋଭାଲ, ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବାହିନୀ (ଏସଡିଆରଏଫ), ଜାତୀୟ ବିପର୍ଯ୍ୟୟ ପ୍ରଶମନ ବାହିନୀ (ଏନଡିଆରଏଫ) ଏବଂ ସ୍ଥାନୀୟ ପ୍ରଶାସନର ଅଧିକାରୀମାନେ ଦୁର୍ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟର ସମୀକ୍ଷା କରୁଛନ୍ତି ।

ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଏହି ଘଟଣାକୁ ନେଇ ଦୁଃଖ ପ୍ରକଟ କରିବା ସହ ଉଦ୍ଧାର କାର୍ଯ୍ୟକୁ ତ୍ବରାନ୍ବିତ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଗତ ନଭେମ୍ବର ୧୪ ଶିଶୁ ଦିବସରେ ଗୋଟିଏ ସ୍କୁଲର ପିଲାମାନେ ବଣଭୋଜୀ କରିବାକୁ ଯାଇଥିବାବେଳେ ବସଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏଥିରେ ଜଣେ ଶିକ୍ଷକ ଓ ଜଣେ ଛାତ୍ର ନିହତ ହୋଇଥିବାବେଳେ ୨୫ରୁ ଅଧିକ ପିଲା ଆହତ ହୋଇଥିଲେ ।

 

ସମ୍ବନ୍ଧିତ ଖବର