ନୂଆଦିଲ୍ଲୀ: ରେମାଲ୍ ବାତ୍ୟା ଗତକାଲି ରାତିରେ ଲ୍ୟାଣ୍ଡଫଲ୍ କରିଛି। ରବିବାର ରାତି ୮ଟା ୩୦ରେ ସାଗର ଦ୍ବୀପ ଏବଂ ବାଂଲାଦେଶର ଖେପୁପଡ଼ା ମଧ୍ୟରେ ଉକ୍ତ ସାମୁଦ୍ରିକ ଝଡ଼ ଲ୍ୟାଣ୍ଡଫଲ୍ କରିବା ସହିତ ବ୍ୟାପକ କ୍ଷୟକ୍ଷତି କରିଛି। ପଶ୍ଚିମବଙ୍ଗ ଏବଂ ବାଂଲାଦେଶରେ ମୋଟ ୧୨ ଜଣଙ୍କର ମୃତ୍ୟୁ ହୋଇଛି। ବାଂଲାଦେଶରେ ୧୦ ଜଣ ଏବଂ ପଶ୍ଚିମବଙ୍ଗରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି। ବାତ୍ୟା ଦୁର୍ବଳ ହେବାପରେ କଲିକତା ବିମାନବନ୍ଦରରେ ବିମାନ ଚଳାଚଳ ସ୍ବାଭାବିକ ହୋଇଛି। ବାଂଲାଦେଶର ବ୍ୟାପକ ଅଞ୍ଚଳରେ ବିଦ୍ୟୁତ ବିଚ୍ଛିନ୍ନ ହୋଇଛି। ଏଥିଯୋଗୁ ୧୫ ନିୟୁତ ଲୋକ ପ୍ରଭାବିତ ହୋଇଛନ୍ତି। କୋଲକାତାର ବିବିବାଗାନରେ ଏକ ପୁରୁଣା କୋଠା ଭୁଶୁଡ଼ି ପଡ଼ିବା ଯୋଗୁ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବାବେଳେ ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲାର ମୌସୁନି ଦ୍ବୀପରେ ଗଛ ପଡ଼ିଯିବାରୁ ଜଣେ ୮୦ ବର୍ଷୀୟ ମହିଳାଙ୍କର ମୃତ୍ୟୁ ହୋଇଛି।
ସୋମବାର ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ରେମାଲ୍ ଦୁର୍ବଳ ହୋଇଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବାତ୍ୟା ପରିସ୍ଥିତିର ସମୀକ୍ଷା କରିବା ସହିତ ଏହା ରାଜ୍ୟରେ ବ୍ୟାପକ କ୍ଷତି କରିଛି ବୋଲି କହିଛନ୍ତି। ନିର୍ବାଚନ ଆଚରଣବିଧି ଉଠିବା ପରେ ତୁରନ୍ତ କ୍ଷତିଗ୍ରସ୍ତଙ୍କ ପାଇଁ ଆର୍ଥିକ ସହାୟତା ପ୍ରଦାନ ନେଇ ଘୋଷଣା କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ବାତ୍ୟା ସ୍ଥଳଭାଗ ଛୁଇଁବା ବେଳେ ପବନର ବେଗ ଘଣ୍ଟାପ୍ରତି ୧୩୫ କିଲୋମିଟର ଥିଲା। ୨୪ଟି ବ୍ଲକ ଏବଂ ୭୯ଟି ମ୍ୟୁନିସିପାଲିଟି ୱାର୍ଡରେ ଅତିକମ୍ରେ ୧୫ ହଜାର ଘର ଭାଙ୍ଗିଛି। ଏହା ମୁଖ୍ୟତଃ ପଶ୍ଚିମବଙ୍ଗର ଦକ୍ଷିଣ ଉପକୂଳ ଅଞ୍ଚଳରେ ଅଧିକ କ୍ଷତି ଘଟାଇଛି। ୨ ଲକ୍ଷ ୭ ହଜାର ଲୋକଙ୍କୁ ୧୪୩୮ଟି ନିରାପଦ ଆଶ୍ରୟସ୍ଥଳକୁ ନିଆଯାଇଛି। ବାତ୍ୟା ପାଇଁ ଆସାମର ୭ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବ। ଏଥିପାଇଁ ରେଡ୍ ଆଲର୍ଟ ଏବଂ ୧୧ଟି ଜିଲ୍ଲାରେ ଅରେଞ୍ଜ୍ ଆଲର୍ଟ ଜାରି କରାଯାଇଛି। ସୋମବାର ଓ ମଙ୍ଗଳବାର ଆସାମ ସମେତ ଉତ୍ତର ପୂର୍ବାଞ୍ଚଳର ଅନ୍ୟ ରାଜ୍ୟରେ ବ୍ୟାପକ ବର୍ଷା ହେବ ବୋଳି ପାଣିପାଗ ବିଭାଗ କହିଛି। ସୋମବାର ଦକ୍ଷିଣ ଆସାମ ଏବଂ ମେଘାଳୟରେ ଘଣ୍ଟାପତି ପବନର ବେଗ ୬୦ କିମି ପର୍ଯ୍ୟନ୍ତ ରହିବା ନେଇ ଆକଳନ କରାଯାଇଛି।
ବାତ୍ୟା ରେମାଲର ମୁକାବିଲା ପାଇଁ ହୋଇଥିବା ପ୍ରସ୍ତୁତିର ସମୀକ୍ଷା ଗତକାଲି ରାତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରିଥିଲେ। ପଶ୍ଚିମବଙ୍ଗର ଉତ୍ତର ଏବଂ ଦକ୍ଷିଣ ୨୪ ପ୍ରଗଣା ଏବଂ ପୂର୍ବ ମିଦନାପୁର ଜିଲ୍ଲାରେ ଚାଳଘର ଗୁଡ଼ିକର ଛପର ଉଡ଼ିଯାଇଛି। ବିଦ୍ୟୁତ ଖୁଣ୍ଟ ବଙ୍କା ହୋଇଯାଇ ଥିବାବେଳେ ଅନେକ ସ୍ଥାନରେ ଗଛ ଉପୁଡ଼ି ପଡ଼ିଛି। କୋଲକାତା ନିକଟସ୍ଥ ତଳୁଆ ଅଞ୍ଚଳରେ ଥିବା ଘରଗୁଡ଼ିକ ପାଣିଘେରରେ ରହିଛି।