ବିଜେପି ବିରୋଧରେ ମହାମେଣ୍ଟ

୨୨ରେ ରଣନୀତି ବୈଠକ, ଯୋଗଦେବେ ୧୨ଟି ଦଳ

ନୂଆଦିଲ୍ଲୀ: ଆଗାମୀ ଲୋକସଭା ନିର୍ବାଚନରେ ବିଜେପିକୁ ଗାଦିଚ୍ୟୁତ କରିବା ପାଇଁ ବିରୋଧୀ ଦଳଗୁଡ଼ିକ ଏକାଠି ହେଉଛନ୍ତି। ଆସନ୍ତା ୨୨ ତାରିଖରେ ଏଥିପାଇଁ ଏକ ରଣନୀତି ବୈଠକ ରାଜଧାନୀ ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଯାଉଛି। ଏଥିରେ କଂଗ୍ରେସ, ଟିଏମ୍‌ସି, ଟିଡିପି, ନ୍ୟାସ୍‌ନାଲ୍‌ କନ୍‌ଫରେନ୍ସ, ଜେଡିଏସ୍‌, ସିପିଆଇ, ଆର୍‌ଜେଡି ଆଦି ୧୨ଟି ଦଳର ବରିଷ୍ଠ ନେତୃବୃନ୍ଦ ଯୋଗଦେଇ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିବେ। କେବଳ ଲୋକସଭା ନିର୍ବାଚନ ନୁହେଁ, ୫ଟି ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ମଧ୍ୟ ଦଳଗୁଡ଼ିକ ସୁଚିନ୍ତିତ ପଦକ୍ଷେପ ନେବେ ବୋଲି କୁହାଯାଉଛି। ଲୋକସଭା ନିର୍ବାଚନ ପୂର୍ବରୁ ଏହି ବିଧାନସଭା ନିର୍ବାଚନକୁ ସେମିଫାଇନାଲ୍‌ ବୋଲି କୁହାଯାଉଥିବାରୁ ଏହାକୁ ଦଳଗୁଡ଼ିକ ବେଶ୍‌ ଗୁରୁତ୍ବ ଦେଉଛନ୍ତି। ତେଣୁ ବିଜେପିକୁ ୨୦୧୯ରେ ମାତ୍‌ ଦେବାକୁ ହେଲେ ଏହି ନିର୍ବାଚନ ମହତ୍ତ୍ବପୂର୍ଣ୍ଣ ଭୂମିକା ‌‌ନେବ ବୋଲି ଏମାନେ ଚିନ୍ତା କରୁଛନ୍ତି। ଆଗାମୀ ୨୨ ତାରିଖ ବୈଠକରେ ଏଥିପାଇଁ ଠୋସ୍‌ ରଣନୀତି ତିଆରି କରିବା ଲାଗି ପ୍ରମୁଖ ଦଳ ଲକ୍ଷ୍ୟ ରଖିଛନ୍ତି। ଯଦିଓ ଏହି ମହାମେଣ୍ଟରେ କଂଗ୍ରେସ ପ୍ରମୁଖ ଜାତୀୟ ଦଳ ରହିଛି, କିନ୍ତୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ମହାମେଣ୍ଟକୁ ସଫଳ କରିବା ପାଇଁ ଜୋରଦାର ଉଦ୍ୟମ ଆରମ୍ଭ କରିଛନ୍ତି।

ସୂଚନା ମୁତାବକ, ଗୁରୁବାରର ବୈଠକ ପରେ ଡିସେମ୍ବରରୁ ଜାନୁଆରି ମଧ୍ୟରେ ମହାମେଣ୍ଟ ପକ୍ଷରୁ ଅତିକମ୍‌ରେ ୪ଟି ଜନସମାବେଶ ଅନୁଷ୍ଠିତ ହେବ ବୋଲି ଆଶା କରାଯାଉଛି। ତେବେ ଗୁରୁବାର ହେବାକୁ ଥିବା ବୈଠକରେ ଅଧିକାଂଶ ବିରୋଧୀ ଦଳ ଯୋଗଦେବାକୁ ଥିବାବେଳେ ବିଏସ୍‌ପି ସୁପ୍ରିମୋ ମାୟାବତୀ ଏଥିରେ ସାମିଲ ହୋଇନପାରନ୍ତି। ଛତିଶଗଡ଼, ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ଦଳ ଏକାକୀ ନିର୍ବାଚନ ଲଢ଼ିବାକୁ ନିଷ୍ପତ୍ତି ନେବା ପରେ ଏହାର ଆଭିମୁଖ୍ୟ ସ୍ପଷ୍ଟ ହୋଇପାରି ନାହିଁ। ତେବେ ୨୨ରେ ହେବାକୁ ଥିବା ବୈଠକରେ ଯୋଗଦେବା ପାଇଁ ସେ ସତୀଶ ମିଶ୍ରଙ୍କୁ ପଠାଇ ପାରନ୍ତି ବୋଲି ଏକ ସୂତ୍ରରୁ ଜଣାପଡ଼ିଛି। ଡିସେମ୍ବର ୧୧ରେ ସଂସଦର ଶୀତ ଅଧିବେଶନ ଆରମ୍ଭ ହେଉଥିବାରୁ ସରକାରଙ୍କୁ ଘେରିବା ପାଇଁ ବିରୋଧୀମାନେ ଉକ୍ତ ବୈଠକରେ ରଣନୀତି ପ୍ରସ୍ତୁତ କରିବେ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର