ବିହାର: ଦୁଇଟି ବଡ଼ଧରଣର ଦୁର୍ଘଟଣାରେ ୧୨ଜଣଙ୍କ ମୃତ୍ୟୁ

ପାଟନା: ବିହାରରେ ରବିବାର ଗୋଟିଏ ଦିନରେ ଦୁଇଟି ବଡ଼ ଧରଣ ଦୁର୍ଘଟଣା ଘଟି ୧୨ଜଣଙ୍କ ମୃତ୍ୟୁ ହେବା ଘଟଣାକୁ ନେଇ ସମଗ୍ର ଅଞ୍ଚଳରେ ଶୋକକୁଳ ବାତାବରଣ ଦେଖାଦେଇଛି। ଗୋଟିଏ ପଟେ ହାଜିପୁର ଗଙ୍ଗା ନଦୀରେ ଗାଧୋଉଥିବା ସମୟରେ ୯ଜଣ ବୁଡି ଯାଇ ମୃତ୍ୟୁ ହୋଇଯାଇଥିବା ବେଳେ ଅନ୍ୟପଟେ ସମସ୍ତିପୁରରେ ୧୨ଜଣକୁ ନେଇ ଯାଉଥିବା ଗୋଟିଏ ଡଙ୍ଗା ବାଗମତି ନଦୀରେ ବୁଡି ଯାଇଛି। ଏଥିରେ ତିନିଜଣଙ୍କ ମୃତ ହୋଇଥିବା ସୂଚନା ମିଳିଛି। ଦୁଇଟି ଦୁର୍ଘଟଣାରେ ୫ଜଣ ଶିଶୁଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

ଫଟୋ ସୌଜନ୍ୟ: ଏଏନ୍‌ଆଇ

ସୂଚନାଯୋଗ୍ୟ, ହାଜିପୁରର ଗଙ୍ଗା ନଦୀରେ ଗାଧୋଉଥିବା ସମୟରେ ୯ଜଣ ବୁଡି ଯାଇ ସେମାନଙ୍କ ମୃତ୍ୟୁ ହୋଇଛି। ଏହି ମାମଲାରେ ଅନ୍ୟ ୨୩ଜଣ ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ନିଖୋଜ ଥିଲେ। ଫତୁହା ଥାନା ଅଧିକାରୀଙ୍କ ନସିମ ଅହମତଙ୍କ କହିବାନୁସାରେ, ଏହି ଦୁର୍ଘଟଣା ବୈଶାଳୀ ଜିଲାର ରୋଶନପୁର ପୁଲିସ ଚୌକି ଅଞ୍ଚଳରେ ଘଟିଛି। ଏହି ଲୋକମାନେ ଗଙ୍ଗା ନଦୀର ମସ୍ତାନା ଘାଟକୁ ଭୋଜି କରିବାକୁ ଆସିଥିଲେ। ଏହି ସମୟରେ ନଦୀକୁ ଗାଧୋଇବାକୁ ଯାଇଥିଲେ। ପାଣିର ସୁଅ ଏତେ ଥିଲା ଜଣଙ୍କୁ ବଞ୍ଚାଇବାକୁ ଯାଉଥିବା ସମୟରେ ଅନ୍ୟ ୮ଜଣଙ୍କୁ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ଏମାନଙ୍କ ମଧ୍ୟରୁ ୫ଜଣ ମହିଳା ଓ ଅନ୍ୟ ୪ଜଣ ପୁରୁଷ ଥିଲେ ବୋଲି ଜଣାପଡ଼ିଛି।

ପାଟନା ଡିଏମ ସଞ୍ଜୟ କୁମାର ଅଗ୍ରଓ୍ଵାଲଙ୍କ କହିବାନୁସାରେ, ଏଯାବତ୍‌ ନିଖୋଜ ଥିବା ଲୋକଙ୍କ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ମୃତକଙ୍କ ପରିବାରବର୍ଗଙ୍କୁ ସରକାର ଚାରି ଲକ୍ଷ ଟଙ୍କା ସହାୟତା ରାଶିର ଘୋଷଣା କରିଛି।

ଅନ୍ୟପକ୍ଷରେ ସମସ୍ତିପୁର ଜିଲ୍ଲାରେ ୧୨ଜଣ ଲୋକଙ୍କୁ ନେଇ ଯାଉଥିବା ଡଙ୍ଗା ବାଗମତି ନଦୀରେ ବୁଡି ଯାଇଛି। ଏହି ଘଟଣାରେ ଏଯାବତ୍‌ ତିନିଜଣଙ୍କ ମୃତଦେହ ଉଦ୍ଧାର ହୋଇ ପାରିଛି। ଘଟଣାସ୍ଥଳରେ ପୁଲିସ ଓ ଉଦ୍ଧରକାରୀ ଦଳ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇପାରେ ବୋଲି ଅନୁମାନ କରାଯାଉଛି।

 

ସମ୍ବନ୍ଧିତ ଖବର