୧୨ ପ୍ରତିଶତ ଜିଏସ୍‌ଟି ଉଚ୍ଛେଦ ହୋଇପାରେ

ନୂଆଦିଲ୍ଲୀ: ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ଅଧୀନରେ ଏବେ ମୁଖ୍ୟତଃ ୪ଟି ସ୍ଲାବ୍‌ରେ ଟିକସ ଆଦାୟ ହେଉଛି। ସେଗୁଡ଼ିକ ହେଲା ୫ ପ୍ରତିଶତ, ୧୨ ପ୍ରତିଶତ, ୧୮ ପ୍ରତିଶତ ଏବଂ ୨୮ ପ୍ରତିଶତ। ଜିଏସ୍‌ଟି ପରିଷଦ ପକ୍ଷରୁ ଟିକସ ହାର ଯୁକ୍ତିଯୁକ୍ତ କରିବା ଲାଗି ଗଠିତ କମିଟି ୧୨ ପ୍ରତିଶତ ସ୍ଲାବକୁ ଉଚ୍ଛେଦ କରିବାକୁ ବିଚାରବିମର୍ଶ କରୁଛି। କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବସବରାଜ ବୋମ୍ମାଇଙ୍କ ଅଧ୍ୟକ୍ଷତାରେ ଉକ୍ତ କମିଟି ଗଠନ ହୋଇଛି। ଟିକସ ହାରକୁ ଯୁକ୍ତିଯୁକ୍ତ କରିବା ସହିତ ସ୍ଲାବର ମିଶ୍ରଣ, ଛାଡ଼ ତାଲିକାରେ ଥିବା ସାମଗ୍ରୀ ଓ ସେବାର ସମୀକ୍ଷା କରିବା କାର୍ଯ୍ୟ ଉକ୍ତ ମନ୍ତ୍ରିଗୋଷ୍ଠୀ ଉପରେ ନ୍ୟସ୍ତ କରାଯାଇଛି। ଚୂଡ଼ାନ୍ତ ରିପୋର୍ଟ ଦାଖଲ କରିବା ପାଇଁ ଉକ୍ତ ମନ୍ତ୍ରିଗୋଷ୍ଠୀକୁ ଗତ ଜୁନରେ ଅଧିକ ୩ ମାସ ସମୟ ଦିଆଯାଇଛି।

ଏ ସଂପର୍କରେ ଅବଗତ ଥିବା ସଦସ୍ୟମାନେ ମତ ଦେଉଛନ୍ତି ଯେ ୧୨ ପ୍ରତିଶତ ଟିକସ ସ୍ଲାବରୁ ଜିଏସଟିର ମୋଟ ରାଜସ୍ବରୁ ସବୁଠୁ କମ୍‌ ବା ୮ ପ୍ରତିଶତ ଆସୁଛି। ତେଣୁ ଏହି ସ୍ଲାବକୁ ଉଚ୍ଛେଦ କରିବା ସହଜ। ୨୮ ପ୍ରତିଶତ ସ୍ଲାବ୍‌ରୁ ମୋଟ ଜିଏସ୍‌ଟି ରାଜସ୍ବର ୧୬ ପ୍ରତିଶତ ମିଳୁଥିବାବେଳେ ୧୮ ପ୍ରତିଶତ ବର୍ଗରୁ ସର୍ବାଧିକ ୬୫ ପ୍ରତିଶତ ରାଜସ୍ବ ମିଳୁଛି। ୫ ପ୍ରତିଶତ ଟିକସ ବର୍ଗରୁ ୧୦ ପ୍ରତିଶତ ରାଜସ୍ବ ମିଳୁଛି। ଗୋଟିଏ ସ୍ଲାବରୁ ଅନ୍ୟ ସ୍ଲାବକୁ ସାମଗ୍ରୀକୁ ନିଆଯିବା ଦ୍ବାରା ତାହାର ପ୍ରଭାବ ରାଜସ୍ବ ଉପରେ କ’ଣ ପଡ଼ିବ ତାହାର ଆକଳନ ମନ୍ତ୍ରିଗୋଷ୍ଠୀ କରୁଛି।

ବଡ଼ ଧରଣର ଅସ୍ଥିରତା ସୃଷ୍ଟି ନକରି ରାଜସ୍ବ ଆଦାୟ ରାଶିକୁ କିଭଳି ସର୍ବାଧିକ କରାଯାଇ ପାରିବ ତାହାକୁ ମନ୍ତ୍ରିଗୋଷ୍ଠୀ ଅନୁଧ୍ୟାନ କରୁଛି। ଚଳିତମାସରେ ହେବାକୁ ଥିବା ବୈଠକରେ ମନ୍ତ୍ରିଗୋଷ୍ଠୀ ଏ ସଂପର୍କରେ ଆଲୋଚନା କରିବା ସମ୍ଭାବନା ରହିଛି। ତେବେ ୧୨ ପ୍ରତିଶତ ସ୍ଲାବ ଉଚ୍ଛେଦ ସଂପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ଜିଏସ୍‌ଟି ପରିଷଦ ନେବ।

ସମ୍ବନ୍ଧିତ ଖବର