ମହାରାଷ୍ଟ୍ରରେ ଋଣଛାଡ଼ ସତ୍ତ୍ବେ କୃଷି ସଙ୍କଟ ଜଟିଳ, ୪ ବର୍ଷରେ ୧୨ ହଜାର କୃଷକଙ୍କ ଆତ୍ମହତ୍ୟା

‌ମୁମ୍ବାଇ : ମହାରାଷ୍ଟ୍ରରେ ଗତ ୪ ବର୍ଷ ମଧ୍ୟରେ ୧୨,୦୦୦ରୁ ଅଧିକ କୃଷକ ଆତ୍ମହତ୍ୟା କରିଛନ୍ତି। ବିଜେପି ନେତୃତ୍ବାଧୀନ ମହାରାଷ୍ଟ୍ର ସରକାରଙ୍କ ଦ୍ବାରା ରାଜ୍ୟରେ କୃଷକମାନଙ୍କ ପାଇଁ ବିଭିନ୍ନ କୃଷକ କଲ୍ୟାଣ କାର୍ଯ୍ୟକ୍ରମ ଏବଂ ଋଣଛାଡ଼ ଯୋଜନା କାର୍ଯ୍ୟକାରୀ କରାଯିବା ସତ୍ତ୍ବେ କୃଷକ ଆତ୍ମହତ୍ୟା ବୃଦ୍ଧି ପାଇବା ସରକାରଙ୍କ ଚିନ୍ତା ବଢ଼ାଇଛି। କୃଷକ ଆତ୍ମହତ୍ୟା ପ୍ରସଙ୍ଗରେ ଏବେ ବି‌ରୋଧୀ ଦଳମାନେ ମହାରାଷ୍ଟ୍ର ସରକାରଙ୍କୁ ‌ଘେରିବା ଆରମ୍ଭ କରିଛନ୍ତି। ୨୦୧୫ରୁ ୨୦୧୮ ମଧ୍ୟରେ ମହାରାଷ୍ଟ୍ରରେ ୧୨,୦୨୧ କୃଷକ ଆତ୍ମହତ୍ୟା କରିଛନ୍ତି ବୋଲି ସରକାର ବିଧାନସଭାରେ ସ୍ବୀକାର କରିଛନ୍ତି। କେବଳ ଔରଙ୍ଗାବାଦ୍‌ରେ ୪,୧୨୪ ଜଣ କୃଷକ ଗତ ୪ ବର୍ଷ ମଧ୍ୟରେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଏନେଇ ରାଜ୍ୟ ମନ୍ତ୍ରୀ ସୁଭାଷ ‌ଦେଶମୁଖ ଲିଖିତ ଆକାରରେ ବିଧାନସଭାରେ ଜଣାଇଛନ୍ତି। ଆତ୍ମହତ୍ୟା କରିଥିବା ୧୨,୦୨୧ କୃଷକଙ୍କ ମଧ୍ୟରୁ ୬,୮୮୮ ଜଣ ରାଜ୍ୟ ସରକାରଙ୍କ ୧ ଲକ୍ଷ ଟଙ୍କାର ସହାୟତା ପାଇବା ପାଇଁ ଯୋଗ୍ୟ ଥିଲେ ବୋଲି ଦେଶମୁଖ କହିଛନ୍ତି।

ଉଲ୍ଲେଖଯୋଗ୍ୟ ରାଜ୍ୟ ସରକାର ୨୦୧୭ ଜୁନ୍‌ରେ ୩୪,୦୦୦ କୋଟି ଟଙ୍କାର ଋଣଛାଡ଼ ଯୋଜନା ଘୋଷଣା କରିଥିଲେ। କିନ୍ତୁ ଏହି ‌ପଦକ୍ଷେପ କୃଷକମାନଙ୍କୁ ବିଶେଷ ଲାଭ ଦେଇନାହିଁ ବୋଲି ଜଣାପଡ଼ୁଛି। ସରକାର ଋଣଛାଡ଼ ‌ଯୋଜନା ଆଣିବାପରେ ୪,୫୦୦ କୃଷକ ଆତ୍ମହତ୍ୟା କରିଛନ୍ତି ବୋଲି ପୂର୍ବରୁ ପ୍ରକାଶ ପାଇଥିବା ଏକ ରିପୋର୍ଟରୁ ଜଣାପଡ଼ିଛି। ଏନ୍‌ଏଚଆରସି (ଜାତୀୟ ମାନବାଧିକାର କମିସନ୍‌)କୁ ରାଜ୍ୟ ସରକାରଙ୍କ ଦ୍ବାରା ଦିଆଯାଇଥିବ‌ା ତଥ୍ୟ ଅନୁଯାୟୀ ମହାରାଷ୍ଟ୍ରରେ ୨୦୧୧ ଜାନୁଆରିରୁ ୨୦୧୪ ଡିସେମ୍ବର ମଧ୍ୟରେ କଂଗ୍ରେସ-ଏନ୍‌ସିପି ଶାସନ କାଳରେ ୬୨୬୮ କୃଷକ ଆତ୍ମହତ୍ୟା ମାମଲା ରୁଜୁ ହୋଇଥିଲା।

ସମ୍ବନ୍ଧିତ ଖବର