ଓଡ଼ିଶା ହାଇକୋର୍ଟରେ ୧୨ ବିଚାରପତି ପଦ ଖାଲି: ୫ ଜଣଙ୍କ ନାମ ସୁପାରିସ କଲା ହାଇକୋର୍ଟ କଲେଜିୟମ୍

ନୂଆଦିଲ୍ଲୀ : ଓଡ଼ିଶା ହାଇକୋର୍ଟରେ ଏବେ ୧୨ଟି ବିଚାରପତି ପଦ ଖାଲି ପଡ଼ିଛି। ମଞ୍ଜୁରିପ୍ରାପ୍ତ ବିଚାରପତି ପଦସଂଖ୍ୟା ୨୭ ହୋଇଥିବା ବେଳେ ଏବେ ମୁଖ୍ୟବିଚାରପତିଙ୍କ ସମେତ ୧୫ ଜଣ କାର୍ଯ୍ୟ କରୁଛନ୍ତି। ସେମାନଙ୍କ ମଧ୍ୟରୁ ଚଳିତମାସରେ ଜଣେ ଓ ଆସନ୍ତାମାସରେ ଆଉ ଜଣେ ଅବସର ନେବେ। ଅର୍ଥାତ୍ ଜୁଲାଇ ମଧ୍ୟଭାଗ ବେଳକୁ ଓଡ଼ିଶା ହାଇକୋର୍ଟରେ ବିଚାରପତିଙ୍କ ସଂଖ୍ୟା ୧୩କୁ ଖସିଆସିବ। ଅନ୍ୟପଟେ ଓଡ଼ିଶା ହାଇକୋର୍ଟ କଲେଜିୟମ୍ ଖାଲି ପଡିଥିବା ବିଚାରପତି ପଦ ପୂରଣ ପାଇଁ ୫ଜଣଙ୍କ ନାମ ସୁପାରିସ କରିଥିବା ବିଶ୍ବସ୍ତ ସୂତ୍ରରୁ ଜଣାପଡିଛି। ସୁପ୍ରିମ୍‌କୋର୍ଟ କଲେଜିୟମ୍‌କୁ ହାଇକୋର୍ଟ କଲେଜିୟମ୍‌ ଦ୍ବାରା ସୁପାରିସ କରାଯାଇଥିବା ୫ ଜଣଙ୍କ ମଧ୍ୟରୁ ୩ଜଣ ଆଇନଜୀବୀ ଏବଂ ୨ ଜଣ ଜିଲ୍ଲା ଜଜ୍ ପାହ୍ୟାର ଅଧିକାରୀ ଅଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ହାଇକୋର୍ଟ ବିଚାରପତି ପଦ ପାଇଁ ନାମ ସୁପାରିସ କରିବାକୁ ମୁଖ୍ୟ ବିଚାରପତିଙ୍କ ସହିତ ଦୁଇଜଣ ବରିଷ୍ଠ ବିଚାରପତିଙ୍କୁ ନେଇ କଲେଜିୟମ୍‌ ଗଠିତ ହୋଇଥାଏ। କଲେଜିୟମ୍‌ର ପ୍ରସ୍ତାବିତ ନାମକୁ ନେଇ ଚର୍ଚ୍ଚା ହେବା ପରେ ସହମତି ଆଧାରରେ ସୁପାରିସ କରାଯାଇଥାଏ। ସୁପ୍ରିମ୍‌କୋର୍ଟର ପ୍ରଧାନବିଚାରପତି ଓ ୪ ବରିଷ୍ଠ ବିଚାରପତିଙ୍କୁ ନେଇ ଗଠିତ କଲେଜିୟମ୍‌ ଏହି ପ୍ରସଙ୍ଗରେ ଚର୍ଚ୍ଚା କରି ନାମ ଅନୁମୋଦନ କରିଥାନ୍ତି ଏବଂ ଏହାକୁ କେନ୍ଦ୍ର ସରକାରଙ୍କ ନିକଟକୁ ପଠାଯାଇଥାଏ। ବର୍ତ୍ତମାନ ସୁପ୍ରିମ୍‌କୋର୍ଟର ପ୍ରଧାନବିଚାରପତି ଜଷ୍ଟିସ୍‌ ଏନ୍‌.ଭି. ରମଣା, ଜଷ୍ଟିସ୍‌ ଆର୍‌.ଏଫ୍‌. ନାରିମନ, ଜଷ୍ଟିସ୍‌ ୟୁ.ୟୁ. ଲଳିତ, ଜଷ୍ଟିସ୍‌ ଏ.ଏମ୍‌. ଖାନୱିଲକର ଏବଂ ଜଷ୍ଟିସ୍‌ ଡି.ୱାଇ. ଚନ୍ଦ୍ରଚୂଡ଼ଙ୍କୁ ନେଇ କଲେଜିୟମ୍‌ ଗଠିତ ହୋଇଛି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯୋଗ୍ୟତା, ବୃତ୍ତିଗତ ରୋଜଗାରଜନିତ ଆୟ ମାପଦଣ୍ଡକୁ ନେଇ ମଧ୍ୟ ସୁପ୍ରିମ୍‌କୋର୍ଟ କଲେଜିୟମ୍‌ ତର୍ଜମା କରିଥାନ୍ତି।

୨୦୨୦ରେ ହାଇକୋର୍ଟ କଲେଜିୟମ୍‌ ଦ୍ବାରା କୌଣସି ନାମ ସୁପାରିସ କରାଯାଇ ନ ଥିବାବେଳେ ଏଥର ୫ଜଣଙ୍କ ନାମ ସୁପାରିସ କରାଯାଇଛି। ଅପରପକ୍ଷେ, ‌ଦେଶର ବିଭିନ୍ନ ହାଇକୋର୍ଟରେ ଖାଲି ପଡିରହିଥିବା ବିଚାରପତି ପଦ ପୂରଣ ପାଇଁ ସୁପ୍ରିମ୍‌କୋର୍ଟରେ ଓକିଲାତି କରୁଥିବା ଆଇନଜୀବୀମାନଙ୍କ ନାମ ଚୟନ କରିବା ପାଇଁ ସୁପ୍ରିମ୍‌କୋର୍ଟ ବାର୍‌ ଆସୋସିଏସନ୍‌ ସାତଜଣିଆ ସର୍ଚ୍ଚ କମିଟି ଗଠନ କରିଛନ୍ତି। ଆଗକୁ ଏହି କମିଟି ନାମ ଚୟନ କରି ବିଭିନ୍ନ ହାଇକୋର୍ଟ କଲେଜିୟମ୍‌କୁ ସୁପାରିସ କରି‌ବ‌। ଏଥିରେ ମଧ୍ୟ କିଛି ନାମ ଓଡିଶା ହାଇକୋର୍ଟ କଲେଜିୟମ୍‌କୁ ସୁପାରିସ କରାଯିବାକୁ ନେଇ ଚର୍ଚ୍ଚା ଆରମ୍ଭ ହେଲାଣି। ସୁପ୍ରିମ୍‌କୋର୍ଟରେ ବର୍ତ୍ତମାନ ୨୦ରୁ ଅଧିକ ଓଡିଆ ଆଇନଜୀବୀ ଆଡ୍‌ଭୋକେଟ୍‌ ଅନ୍ ରେକର୍ଡ ରୂପେ ତଥା ୧୫ଜଣ ଆଇନଜୀବୀ ରାଜ୍ୟ ସରକାରଙ୍କ ପ୍ୟାନେଲ୍‌ରେ ଅଛନ୍ତି। ସୁପ୍ରିମ୍‌କୋର୍ଟ ବାର୍‌ ଆସୋସିଏସନ୍‌ ଏମାନଙ୍କ ମଧ୍ୟରୁ କିଛି ନାମ ସୁପାରିସ କରିପାରନ୍ତି। ତେବେ ସୁପ୍ରିମ୍‌କୋର୍ଟ ବାର୍‌ ଆସୋସିଏସନ୍‌ର ସୁପାରିସକୁ ହାଇକୋର୍ଟ କଲେଜିୟମ୍‌ କିଭଳି ବିଚାର କରିବେ ତାହା ସବୁଠାରୁ ବଡ ପ୍ରଶ୍ନ।

ସମ୍ବନ୍ଧିତ ଖବର