ନୂଆଦିଲ୍ଲୀ: ଗତ ଶନିବାର ଛତ୍ରପୁରରେ ମୋବାଇଲର ବ୍ୟାଟେରୀ ବିସ୍ଫୋରଣ ହେବା ହେତୁ ଜଣେ ୧୨ ବର୍ଷର ବାଳକ ଗୁରୁତର ଆହତ ହୋଇଛି। ଆହତ ବାଳକ କୁରାହା ଗ୍ରାମ ନିବାସୀ ଆଫଜାଲ ଖାନ ବୋଲି ଜଣାପଡିଛି।
ଆଫଜାଲର ମା’ ରୁଖସର କହିଛନ୍ତି ଯେ, ଆଫଜାଲ ରାସ୍ତାରେ ପଡ଼ିଥିବା ଏକ ମୋବାଇଲ୍ ବ୍ୟାଟେରୀ ପାଇଥିଲା। ଏହାକୁ ସେ ଘରକୁ ଆଣି ତାରରେ ଗୋଟିଏ ପଏଣ୍ଟରୁ ଅନ୍ୟ ପଏଣ୍ଟକୁ ସଂଯୋଗ କରୁଥିଲା। ଏହି ସମୟରେ ବ୍ୟାଟେରୀ ହଠାତ ବିସ୍ଫୋରଣ ହୋଇଥିଲା। ଆଉ ଆଫଜାଲ ଏହି ବିସ୍ଫୋରଣରେ ଗୁରୁତର ଆହତ ହୋଇଥିଲା। ଗୁରୁତର ଅବସ୍ଥାରେ ଆଫଜାଲକୁ ସଙ୍ଗେସଙ୍ଗେ ଜିଲ୍ଲା ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା।
ଆଫଜାଲର ଚିକିତ୍ସା କରୁଥିବା ଜିଲ୍ଲା ଡାକ୍ତରଖାନାର ବରିଷ୍ଠ ସର୍ଜନ ଡାକ୍ତର ଭି ପି ସେଶା କହିଛନ୍ତି, ଆଫଜାଲର ଅବସ୍ଥା ଗୁରୁତର ରହିଛି। ବ୍ୟାଟେରୀର ଖଣ୍ଡଗୁଡ଼ିକ ଶରୀରରେ ଗଭୀର ଭାବରେ ପ୍ରବେଶ କରିଛି। ଏହା ଶରୀରର ଭିତର ଅଂଶକୁ ଗୁରୁତର ଭାବରେ କ୍ଷତି ପହଞ୍ଚାଇଛି ।ବ୍ୟାଟେରୀର କିଛି ଖଣ୍ଡ ଯକୃତରେ ଏବଂ ଅନ୍ୟ ଖଣ୍ଡ ଫୁସଫୁସରେ ପଶି ଯାଇଛି। ଯକୃତରୁ କ୍ରମାଗତ ରକ୍ତସ୍ରାବ ହେଉଛି। ଯଦି ରକ୍ତସ୍ରାବ ବନ୍ଦ ନହୁଏ, ତେବେ ଅସ୍ତ୍ରୋପଚାର ଆବଶ୍ୟକ ହେବ ବୋଲି ଆଫଜାଲର ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି। ଫୁସଫୁସ ବ୍ୟତୀତ ହାତ, ପାଦ, ପାଟି, ପେଟ ଏବଂ ଛାତିରେ ବି ଆଫଜାଲର ଆଘାତ ଲାଗିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/11/Untitled-1-copy-30.jpg)