ନୂଆଦିଲ୍ଲୀ: ଇଜିପ୍ଟରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଅନଲାଇନ ଭିଡିଓ ଗେମ୍ ଖେଳୁଥିବା ବେଳେ ଜଣେ ୧୨ବର୍ଷ ଶିଶୁର ହୃଦଘାତରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏହି ଘଟଣାକୁ ନେଇ ଅଭିଭାବକ ମହଲରେ ଚାଞ୍ଚଲ୍ୟ ଖେଳି ଯାଇଛି। କାରଣ ପିଲାମାନେ ଏବେ ଅଧିକ ସମୟ ଏଭଳି ଅନଲାଇନ ଗେମରେ ବିତାଉଥିବା ଦେଖିବାକୁ ମିଳୁଛି।
ସୂଚନାଯୋଗ୍ୟ, ଘରେ ବସି ଘଣ୍ଟାଘଣ୍ଟା ଅନଲାଇନରେ ଗେମ୍ ଖେଳୁଥିବା ବେଳେ ଶିଶୁର ହୃଦୟରେ ହଠାତ ଯନ୍ତ୍ରଣା ହୋଇଥିଲା। କିଛି ସମୟ ପରେ ସେ ଚଟାଣରେ ଟଳି ପଡ଼ିଥିଲା। ଶିଶୁର ବାପା-ମା’ ଯେତେବେଳେ କୌଣସି କାମରେ ଶିଶୁର ରୁମକୁ ଯାଇଥିଲେ ତାକୁ ଅଚେତ ଅବସ୍ଥାରେ ପାଇଥିଲେ। ସଙ୍ଗେସଙ୍ଗେ ଶିଶୁକୁ ସେଠାରୁ ଉଦ୍ଧାର କରି ଅଲ-ସଲାମ ହସ୍ପିଟାଲ ନେଇ ଯାଇଥିଲେ। ତେବେ ହସ୍ପିଟାଲରେ ପହଞ୍ଚିବା ପୂର୍ବରୁ ୧୨ବର୍ଷ ଶିଶୁର ମୃତ୍ୟୁ ହୋଇ ଯାଇଥିବା ଡାକ୍ତର କହିଥିଲେ।
/sambad/media/post_attachments/9f5656c026d923280bdda94fb27051fdd7ef8993bb06fb89851587c68e4aa78f.jpg)
ଶିଶୁର ମୃତ୍ୟୁ ପରେ ଅଲ-ଅଜହର ଫତୱା ସେଣ୍ଟର ପବଜୀ ଭଳି ଇଲେକ୍ଟ୍ରୋନିକ୍ସ ଖେଳକୁ ନେଇ ଚେତାବନୀ ଦେଇଛି। ଏହି ଖେଳ ପ୍ରଥମେ ସରଳ ଲାଗିଥାଏ, କିନ୍ତୁ ଧୀରେଧୀରେ ଏହା ବ୍ୟବହାରକାରୀଙ୍କୁ ନିଜ ଆୟତ୍ତକୁ ନେଇ ଯାଇଥାଏ।
ଏଥିସହିତ ଅଲ-ଅଜହର ଫତୱା ସେଣ୍ଟର ଅଭିଭାବକଙ୍କୁ ଅନୁରୋଧ କରିଛି କି ସେମାନେ ଶିଶୁଙ୍କ ଉପରେ ଯଥାସମ୍ଭବ ଦୃଷ୍ଟି ଦିଅନ୍ତୁ। ପିଲାମାନେ ଫୋନରେ କେଉଁ ଖେଳ କେତେ ସମୟ ଖେଳୁଛନ୍ତି ତାହା ଉପରେ ନଜର ରଖନ୍ତୁ। ଯଦି ଅଧିକ ସମୟ ଖେଳରେ ବିତାଉଛନ୍ତି ତେବେ ଅନ୍ୟ କୌଣସି ଦିଗରେ ସେମାନଙ୍କ ମନକୁ ପରିବର୍ତ୍ତନ କରିବାକୁ ଚେଷ୍ଟା କରନ୍ତୁ।