ନୂଆଦିଲ୍ଲୀ: ଲିକ୍ୟୁଡ ନାଇଟ୍ରୋଜେନ୍ ଥିବା ପାନ ଖାଇବାରୁ ପେଟରେ ହୋଇଗଲା କଣା। ବେଙ୍ଗାଲୁରୁରେ ଜଣେ ୧୨ବର୍ଷୀୟ ଝିଅ ସହିତ ଘଟିଛି ଏଭଳି ଘଟଣା। ବିବାହ ଭୋଜିରେ ଲିକ୍ୟୁଡ ନାଇଟ୍ରୋଜେନ୍ ଥିବା ପାନର ବ୍ୟବସ୍ଥା କରାଯାଇଥିବା ବେଳେ ଏହାକୁ ଖାଇ ପୀଡ଼ିତାଙ୍କ ପେଟରେ କଣା ହୋଇଯାଇଥିବା ଜଣାଯାଇଛି।
ମିଳିଥିବା ସୂଚନା ମୁତାବକ, ପାନ ଖାଇବା ପରେ ହଠାତ୍ ପେଟରେ ଅସହ୍ୟ ଯନ୍ତ୍ରଣା ହୋଇଥିଲା। କାରଣ ଜାଣିବା ପାଇଁ ପୀଡ଼ିତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯିବା ପରେ ବିଭିନ୍ନ ପରୀକ୍ଷା କରିଥିଲେ ଡାକ୍ତର। ଏହା ପରେ ପେଟରେ ୪×୫ ସେଣ୍ଟିମିଟରର କଣା ହୋଇଯାଇଥିବା ଜଣାପଡ଼ିଥିଲା। ସର୍ଜରୀ ମାଧ୍ୟମରେ ଏହାକୁ କାଢ଼ିବାକୁ ହେବ ଏବଂ ଏହା ହିଁ ଏକମାତ୍ର ବାଟ ବୋଲି କହିଥିଲେ ଡାକ୍ତର। ଏବେ ପୀଡ଼ିତାଙ୍କ ସର୍ଜରୀ ଶେଷ ହୋଇଥିବା ବେଳେ ୬ଦିନ ଡାକ୍ତରଖାନାରେ ରହି ଡିସଚାର୍ଜ ହୋଇଥିବା ଜଣାପଡ଼ିଛି।
ଡାକ୍ତରଙ୍କ କହିବା ମୁତାବକ, ଏଭଳି ଘଟଣା ଭାରତରେ ଅନେକ ଘଟିଲାଣି। ଏଭଳି ଖାଦ୍ୟରେ ଲିକ୍ୟୁଡ ନାଇଟ୍ରୋଜେନ୍ ବ୍ୟବହାର କରିବା ଦ୍ବାରା ଅନେକ ଲୋକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହାକୁ ବନ୍ଦ କରାଯିବ ଉଚିତ୍।