ସରକାରଙ୍କ ସହ ଆଲୋଚନା ୧୨୦% ବିଫଳ : କୃଷକ ନେତା

ନୂଆଦିଲ୍ଲୀ : ସରକାର ଓ ଆନ୍ଦୋଳନରତ କୃଷକମାନଙ୍କ ମଧ୍ୟରେ ଆଜି ହୋଇଥିବା ୯ମ ପର୍ଯ୍ୟାୟ କଥାବାର୍ତ୍ତା ୧୨୦ ପ୍ରତିଶତ ବିଫଳ ହୋଇଛି ବୋଲି କୃଷକ ସଂଗଠନଗୁଡ଼ିକ କହିଛନ୍ତି । ସେମାନେ କହିଛନ୍ତି ଯେ ଯେକୌଣସି ମତେ ଜାନୁଆରି ୨୬ରେ ଟ୍ରାକ୍ଟର ଶୋଭାଯାତ୍ରା ଅନୁଷ୍ଠିତ ହେବ ।

କୃଷକ ନେତା ଦର୍ଶନ ପାଲ ସିଂ କହିଛନ୍ତି ଯେ, ଆଜିର ଆଲୋଚନା ବେଳେ ଅତ୍ୟାବଶ୍ୟକ ଆଇନକୁ ସଂପୂର୍ଣ୍ଣ ଉଚ୍ଛେଦ କରିବା ବଦଳରେ ସେଥିରେ କେତେକ ପରିବର୍ତ୍ତନ କରିବାକୁ ପ୍ରସ୍ତାବ ଦିଆଯାଇଥିଲା । କିନ୍ତୁ କୃଷିମନ୍ତ୍ରୀ ଏ ସମ୍ପର୍କରେ କିଛି କହିନଥିଲେ । ଏଣୁ  ଜାନୁଆରି ୨୬ରେ ଆମେ ଟ୍ରାକ୍ଟର ଶୋଭାଯାତ୍ରା କରିବୁ ।

ପରବର୍ତ୍ତୀ ପର୍ଯ୍ୟାୟ ଆଲୋଚନା ଆସନ୍ତା ୧୯ ତାରିଖରେ ଅନୁଷ୍ଠିତ ହେବ । ଏହି ଦିନ ସୁପ୍ରିମକୋର୍ଟ ନିଯୁକ୍ତ କମିଟି ବିଭିନ୍ନ ପକ୍ଷଙ୍କ ସହ ପରାମର୍ଶ ଆରମ୍ଭ କରିବ ।

ତେବେ ଏହି କମିଟି ଆଗରେ ହାଜିର ହେବାକୁ କୃଷକମାନେ ମନା କରିଦେଇଛନ୍ତି । କୌଣସି ମଧ୍ୟସ୍ଥିଙ୍କ ବଦଳରେ କେନ୍ଦ୍ର ସହିତ ସିଧାସଳଖ କଥାବାର୍ତ୍ତା କରିବାକୁ ସେମାନେ ଦାବି କରିଛନ୍ତି ।

ଏହି ବୈଠକ ପରେ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର କହିଛନ୍ତି ଯେ, ସରକାର ଓ କୃଷକମାନେ ଏହି ସମସ୍ୟାର ସମାଧାନ ଲାଗି କଥାବାର୍ତ୍ତା ଚାଲୁ ରଖିବା ଆବଶ୍ୟକ । ସେ ଆହୁରି ମଧ୍ୟ କହିଛନ୍ତି ଯେ ସରକାର ସୁପ୍ରିମକୋର୍ଟଙ୍କ ଆଦେଶ ମାନିବାକୁ ବଦ୍ଧପରିକର ।

 

ସମ୍ବନ୍ଧିତ ଖବର