ନୂଆଦିଲ୍ଲୀ: ଭାରତରେ କରୋନା ବିରୋଧୀ ଲଢ଼େଇ ଜୋରଦାର ହୋଇଥିବା ବେଳେ ଘୋଷଣା ହୋଇଥିବା ୧୨,୦୦ ଅବରୋଧ ଅଞ୍ଚଳରେ ସବୁଠୁ ଅଧିକ ଫୋକସ୍ ରହିଛି। ଯେଉଁସବୁ ରାଜ୍ୟରେ ୧୦୦ରୁ ଅଧିକ ମାମଲା ରହିଛି ସେଠାରେ କେତେକ ନିର୍ଦ୍ଦିଷ୍ଟ ଅଂଚଳକୁ ‘କୋଭିଡ୍ କଣ୍ଟେନମେଣ୍ଟ୍ ଜୋନ୍’ ବା ଅବରୋଧ ଅଞ୍ଚଳ ଘୋଷଣା କରାଯାଇଛି। ଏସବୁ ସ୍ଥାନମାନଙ୍କରେ ଲକ୍ଡାଉନ୍କୁ ଅଧିକ କଡ଼ାକଡ଼ି କରାଯାଇଛି। ଗତ କିଛି ଦିନ ମଧ୍ୟରେ ସ୍ବାସ୍ଥ୍ୟ ମନ୍ତ୍ରାଳୟ ନିର୍ଦ୍ଦେଶାବଳୀ ଅନୁଯାୟୀ ରାଜ୍ୟ ସରକାର ଅନେକ ଅଞ୍ଚଳକୁ ଅବରୋଧ ଅଞ୍ଚଳ ଘୋଷଣା କରିଛନ୍ତି। କେବଳ ମହାରାଷ୍ଟ୍ରରେ ୪୦୧ଟି ଅବରୋଧ ଅଞ୍ଚଳ ଚିହ୍ନଟ କରାଯାଇଛି। ଏଥି ମଧ୍ୟରୁ ମୁମ୍ବାଇରେ ୩୮୧ଟି ଏବଂ ପୁନେରେ ୨୦ଟି, ଉତ୍ତରପ୍ରଦେଶରେ ୧୦୧, ରାଜସ୍ଥାନରେ ୩୮, ମଧ୍ୟପ୍ରଦେଶରେ ୧୮୦, ତାମିଲନାଡ଼ୁରେ ୨୨୦, ଦିଲ୍ଲୀରେ ୨୩, ତେଲେଙ୍ଗାନାରେ ୧୨୫, ହାଇଦ୍ରାବାଦ୍ରେ ୩୬ ଏବଂ ଆନ୍ଧ୍ରପ୍ରଦେଶରେ ୧୨୧ଟି ଅଞ୍ଚଳକୁ ଅବରୋଧ ଅଞ୍ଚଳ ଘୋଷଣା କରାଯାଇଛି। ଅବରୋଧ ଅଞ୍ଚଳରେ ପୁଲିସ ଏବଂ ସେନା କମାଣ୍ଡୋର ସ୍ବତନ୍ତ୍ର ଟିମ୍ ୨୪ ଘଣ୍ଟିଆ ଡ୍ୟୁଟି କରନ୍ତି। ଏଠାରେ କ୍ୟାମେରା ଏବଂ ଡ୍ରୋନ୍ର ସହଯୋଗ ନିଆଯାଏ। ସାଧାରଣ ଲୋକଙ୍କୁ ଏଠାରୁ ଘରୁ ବାହାରକୁ ବାହାରିବାକୁ ଦିଆଯାଏନା। ସ୍ବେଚ୍ଛାକର୍ମୀଙ୍କ ଦ୍ବାରା ଆବଶ୍ୟକ ସାମଗ୍ରୀ ଯାଇ ଲୋକଙ୍କ ଘରେ ପହଞ୍ଚୁଛି।
ନିୟମିତ ବ୍ୟବଧାନରେ ସଫେଇ କର୍ମୀମାନେ ଅବରୋଧ ଅଞ୍ଚଳରେ ବିଶୋଧନ ସ୍ପ୍ରେ କରୁଛନ୍ତି। ସ୍ବାସ୍ଥ୍ୟ କର୍ମୀମାନେ ଏଠାରେ ଘରକୁ ଘର ଯାଇ କମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରୁଛନ୍ତି। ଏହି ସବୁ ଅବରୋଧ ଅଞ୍ଚଳକୁ ପରିଚାଳନା କରିବାପାଇଁ ରାଜ୍ୟ ସରକାରମାନେ ବିଭିନ୍ନ ରଣନୀତି ଆପଣାଇଛନ୍ତି। ଓଡ଼ିଶା, ମହାରାଷ୍ଟ୍ର ଏବଂ ତାମିଲନାଡ଼ୁ ପକ୍ଷରୁ ଅବରୋଧ ଅଞ୍ଚଳ ଚିହ୍ନଟ ପାଇଁ ଏକ ମ୍ୟାପ୍ ଜାରି କରାଯାଇଛି। ଚେନ୍ନାଇରେ ଦୁଇ ସ୍ତରୀୟ ଅବରୋଧ ଜୋନ୍ ରହିଛି। ୯ଟି ବୃହତ୍ତର ଜୋନ୍ରେ ୭୦ଟି କ୍ଷୁଦ୍ର ଅବରୋଧ ଅଞ୍ଚଳ ରହିଛି। ମୁମ୍ବାଇରେ ଗତ ୨ ଦିନ ମଧ୍ୟରେ ଅବରୋଧ ଅଞ୍ଚଳ ୩୮୧କୁ ବୃଦ୍ଧି ପାଇଛି। ଦିଲ୍ଲୀରେ ଅବରୋଧ ଅଞ୍ଚଳର ୨ କିମି ମଧ୍ୟରେ କାହାକୁ ପ୍ରବେଶ ଅନୁମତି ମିଳୁନି। ଜୟପୁରରେ ୨୦ ଅବରୋଧ ଅଞ୍ଚଳରେ ପ୍ରତ୍ୟେକଙ୍କ ଘରକୁ ୨ ଥର ବିଶୋଧନରେ ଧୁଆଯାଉଛି। ଭୋପାଳରେ ୭୦ ଅବରୋଧ ଅଞ୍ଚଳରେ ଫସି ରହିଛନ୍ତି ୩ ଲକ୍ଷ ଲୋକ।