ପୁଣି ୧୨୦୦ କୋଟିର ବ୍ୟାଙ୍କ୍ ଜାଲିଆତି, ପଳାତକ ଅଭିଯୁକ୍ତଙ୍କୁ ଚାଲିଛି ଖୋଜା

ନୂଆଦିଲ୍ଲୀ:  ପୁଣି ୧୨୦୦ କୋଟି ଟଙ୍କାର ବ୍ୟାଙ୍କ ଠକେଇ। ଦିଲ୍ଲୀସ୍ଥିତ କମ୍ପାନି ‘ଆମିର ପିଓର୍ ଫୁଡ୍’ ୧୨ଟି ବ୍ୟାଙ୍କକୁ ପ୍ରାୟ ୧୨୦୦ କୋଟି ଟଙ୍କା ଠକିଥିବା ଅଭିଯୋଗରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇ ସେହି କମ୍ପାନିର ନିର୍ଦ୍ଦେଶକଙ୍କ ନାମରେ ଦୁର୍ନୀତି ଏବଂ ଠକେଇ ମାମଲା ରୁଜୁ କରିଛି। ଅନୁମାନ କରାଯାଉଛି ଯେ ଅଭିଯୁକ୍ତଙ୍କ ନାମରେ ମାମଲା ରୁଜୁ ହେବା ପରେ ସେ ଭୟରେ ଦେଶ ଛାଡ଼ି ପଳାୟନ କରିଛନ୍ତି।
ବିଶେଷ ସୂତ୍ରରୁ ଜାଣିବାକୁ ମିଳିଛି ଯେ ସିବିଆଇ ବୁଧବାର ସର୍ଚ୍ଚ ଅପରେସନ ଆରମ୍ଭ କରିବା ପରେ ଅଭିଯୁକ୍ତ କେଉଁଆଡ଼େ ପଳାଇ ଯାଇଥିବା ଅନୁମାନ କରୁଛି।
ସୂଚନା ରହିଛି ଯେ ସିବିଆଇ ଅଭିଯୁକ୍ତକୁ ଧରିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରୁଥିବା ବେଳେ ନ୍ୟାସନାଲ କମ୍ପାନି ଲ ଟ୍ରିବୁନାଲ୍(ଏନ୍ସିଏଲ୍ଟି) ତାଙ୍କ ବିରୋଧରେ ଜାମିନ ବିହୀନ ପରୱାନା ଜାରି କରିଛି।
ଏହି ମାମଲା ପାଇଁ ନିଯୁକ୍ତ ହୋଇଥିବା ‘ଲିକ୍ୟୁଡେଟର୍’ ଆକାଶ ସିଂଘଲ କହିଛନ୍ତି କି ‘ଅଭିଯୁକ୍ତ ନିର୍ଦ୍ଦେଶକ ତଦନ୍ତରେ ସହଯୋଗ କରୁନାହାନ୍ତି।’
ତେବେ ଏହି ମାମଲାରେ ଅଭିଯୁକ୍ତମାନେ ହେଉଛନ୍ତି କରଣ ଏ ଚନ୍ନା, ତାଙ୍କ ପତ୍ନୀ ଅନୀତା ଦିଆଙ୍ଗ, ଅପର୍ଣ୍ଣା ପୁରି, ରାଜେଶ ଆରୋରା ଏବଂ ଜୱାହର କପୁର୍।
୧୯୯୩ ମସିହାରୁ ସ୍ଥାପିତ ହୋଇଥିବା ଏହି କମ୍ପାନି ବାସୁମତି ଚାଉଳ, ଅଣ ବାସୁମତି ଚାଉଳ ଓ ଅନ୍ୟାନ୍ୟ କୃଷିଜାତୀୟ ଦ୍ରବ୍ୟର ବ୍ୟବସାୟ କରୁଥିଲା।

ସମ୍ବନ୍ଧିତ ଖବର