୨୦୧୯ ପଦ୍ମ ପୁରସ୍କାର ପାଇଁ ଏପର୍ଯନ୍ତ ୧୨୦୦ରୁ ଅଧିକ ଆବେଦନ ମିଳିଛି, ଆପଣ ବି ଆବେଦନ କରିପାରିବେ

ନୂଆଦିଲ୍ଲୀ : ଆସନ୍ତା ବର୍ଷର ସାଧାରଣତନ୍ତ୍ର ଦିବସରେ ଘୋଷଣା ହେବାକୁ ଥିବା ପଦ୍ମ ପୁରସ୍କାର ପାଇଁ ଅନଲାଇନରେ ମନୋନୟନ ଏବଂ ସୁପାରିସ ଗ୍ରହଣ କରିବାର ଶେଷ ତାରିଖ ୨୦୧୮ ସେପ୍ଟେମ୍ବର ୧୫ ତାରିଖ । ୨୦୧୮ ମେ ୧ ତାରିଖରେ ଏହି ପ୍ରକ୍ରିୟା ଆରମ୍ଭ ପରଠାରୁ ଏ ପର୍ଯ୍ୟନ୍ତ ୧୬୫୪ ଜଣ ୱେବସାଇଟରେ ପଞ୍ଜୀକରଣ କରିଥିବା ବେଳେ ୧୨୦୭ଟି ସୁପାରିସ/ମନୋନୟନ ସମ୍ପୂର୍ଣ୍ଣ ଭାବେ ଦାଖଲ ହୋଇଛି ।

କେନ୍ଦ୍ରୀୟ ମନ୍ତ୍ରଣାଳୟ/ବିଭାଗ, ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ, ଭାରତରତ୍ନ ଏବଂ ପଦ୍ମ ପୁରସ୍କାର ପ୍ରାପ୍ତ ବ୍ୟକ୍ତି, ଉତ୍କର୍ଷ କେନ୍ଦ୍ର ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ଏହି ସୁପାରିସ/ମନୋନୟନ ଆହ୍ୱାନ କରାଯାଇଛି । ୨୦୧୮ ଏପ୍ରିଲ ୨୫ ତାରିଖରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଉପରୋକ୍ତ ବିଭାଗ/ସଂସ୍ଥାମାନଙ୍କୁ ଉପଯୁକ୍ତ ବ୍ୟକ୍ତିଙ୍କ ନାମ ସୁପାରିସ କରିବାକୁ ବିଜ୍ଞପ୍ତି ଜରିଆରେ କୁହାଯାଇଥିଲା । ପଦ୍ମ ପୁରସ୍କାର ପାଇଁ ସୁପାରିସ/ମନୋନୟନ କେବଳ ପଦ୍ମ ପୋର୍ଟାଲ ମାଧ୍ୟମରେ ଅନଲାଇନରେ ଗ୍ରହଣ କରାଯାଉଛି । ଦେଶର ଯେକୌଣସି ନାଗରିକ ଏଭଳି ସୁପାରିସ କରିପାରିବେ ଏବଂ ନିଜ ନାମକୁ ମଧ୍ୟ ପ୍ରସ୍ତାବିତ କରିପାରିବେ । ସୁପାରିସ କରାଯାଉଥିବା ବ୍ୟକ୍ତି/ସଂସ୍ଥାଙ୍କ କାର୍ଯ୍ୟାବଳୀ ବିଷୟରେ ୱେବସାଇଟରେ ଅତି ବେଶୀରେ ୮୦୦ ଶବ୍ଦରେ ବର୍ଣ୍ଣନା ରହିଥିବା ଆବଶ୍ୟକ । ଅନଲାଇନରେ ଆବେଦନ କରିବା ବେଳେ ଏହା ନିଶ୍ଚିତ ହେବା ଉଚିତ ଯେ ସଂପୃକ୍ତ ବ୍ୟକ୍ତିଙ୍କ ବାବଦରେ ଆବଶ୍ୟକ ସବିଶେଷ ସୂଚନା ଉଲ୍ଲେଖ କରାଯାଇଛି ।

ପଦ୍ମ ବିଭୂଷଣ, ପଦ୍ମଭୂଷଣ ଏବଂ ପଦ୍ମଶ୍ରୀ ଦେଶର ସର୍ବୋଚ୍ଚ ବେସାମରିକ ପୁରସ୍କାର । ୧୯୫୪ ରେ ଆରମ୍ଭ ହୋଇଥିବା ଏହି ପୁରସ୍କାର ପ୍ରତିବର୍ଷ ଜନରାଜ୍ୟ ଦିବସ ଅବସରରେ ଘୋଷଣା କରାଯାଇଥାଏ ।

ସମ୍ବନ୍ଧିତ ଖବର