କିଷାନ ସମ୍ମାନ ନିଧି, ୬ କୋଟି କୃଷକଙ୍କୁ ମିଳିଛି ୧୨ହଜାର କୋଟି

ସିଏଏ ପ୍ରସଙ୍ଗରେ ବିରୋଧୀଙ୍କୁ ମୋଦୀଙ୍କ ପ୍ରଶ୍ନ, ପାକିସ୍ତାନର ଅତ୍ୟାଚାର ନେଇ ମୁହଁ ଖୋଲୁନାହଁ କାହିଁକି?

ତୁମାକୁରୁ: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ଯୋଜନାରେ ସାମିଲ ‌ହୋଇନଥିବା ରାଜ୍ୟମାନଙ୍କୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଡ଼ା ସମାଲୋଚନା କରିଛନ୍ତି। ଯେଉଁ ରାଜ୍ୟମାନେ ଏହି ଯୋଜନାରେ ସାମିଲ ହୋଇନାହାନ୍ତି ସେମାନେ କୃଷକଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ସାମିଲ ହୋଇଯିବାକୁ ପ୍ରଧାନମନ୍ତ୍ରୀ ଗୁରୁତ୍ବାରୋପ କରିଛନ୍ତି। କେତେକ ରାଜ୍ୟ ସରକାରଙ୍କ ଏଭଳି ରାଜନୀତି କୃଷି ସମ୍ପ୍ରଦାୟ ପ୍ରତି ବ୍ୟାପକ କ୍ଷତି ପହଞ୍ଚାଇଛି। ଏହି ‌ଯୋଜନା ଅଧୀନରେ କେନ୍ଦ୍ର ସରକାର ୬ କୋଟି ହିତାଧିକାରୀଙ୍କୁ ୧୨,୦୦୦ କୋଟି ଟଙ୍କା ପ୍ରଦାନ କରିସାରିଛନ୍ତି। କିଛି ମନୋନୀତ କୃଷକଙ୍କୁ କୃଷି ସମ୍ମାନ ପୁରସ୍କାର ପ୍ରଦାନ କରାଯାଇଛି। ୬ କୋଟି ହିତାଧିକାରୀଙ୍କ ବ୍ୟାଙ୍କ ଖାତାରେ ସେମାନଙ୍କ ଅର୍ଥ ଜମା କରାଯାଇଛି ବୋଲି ପ୍ରଧାନମନ୍ତ୍ରୀ ଆଜି କର୍ଣ୍ଣାଟକର ତୁମକୁରର ଏକ କାର୍ଯ୍ୟକ୍ରମରେ କହିଛନ୍ତି। ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ନାଗରିକତା ସଂଶୋଧନ ଆଇନ (ସିଏଏ)କୁ ବିରୋଧ କରୁଥିବାରୁ କଂଗ୍ରେସ ଏବଂ ଏହାର ସହଯୋଗୀମାନଙ୍କୁ କଡ଼ା ବାର୍ତ୍ତା ଦେଇଛନ୍ତି। ମୋଦୀ କହିଛନ୍ତି ସିଏଏ ବିରୋଧୀ ଆନ୍ଦୋଳନକାରୀମାନେ ପାକିସ୍ତାନରେ ନୃଶଂସତାର ଶିକାର ‌ହେଉଥିବା ଲୋକଙ୍କୁ ସହାୟତା କରାଯିବାକୁ ବିରୋଧ କରୁଛନ୍ତି। ପାକିସ୍ତାନ ଧର୍ମ ଭିତ୍ତିରେ ପ୍ରତିଷ୍ଠିତ। ତେଣୁ ସେଠାରେ ହିନ୍ଦୁ, ଶିଖ୍‌ ଏବଂ ଖ୍ରିଷ୍ଟିଆନ୍‌ଙ୍କ ପରି ସଂଖ୍ୟାଲଘୁଙ୍କ ଉପରେ ନିର୍ଯାତନା ବଢ଼ିଚାଲିଛି। କିନ୍ତୁ କଂଗ୍ରେସ ଏବଂ ଏହାର ସହଯୋଗୀମାନେ ପାକିସ୍ତାନ ବିରୋଧରେ ପାଟି ଫିଟାଉନାହାନ୍ତି। ଯେଉଁମାନେ ସିଏଏକୁ ବିରୋଧ କରୁଛନ୍ତି ସେମାନେ ପାକିସ୍ତାନର ନିର୍ଯାତନା ବିରୋଧରେ କାହିଁକି ମୁହଁ ଖୋଲୁନାହାନ୍ତି ବୋଲି ମୋଦୀ ପ୍ରଶ୍ନ କରିଛନ୍ତି।। ମୋଦୀ ଏବେ ୨ ଦିନିଆ କର୍ଣ୍ଣାଟକ ଗସ୍ତରେ ଥିବାବେଳେ ସେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ। ମୋଦୀ କହିଛନ୍ତି ଯଦି ସ୍ବର ଉତ୍ତୋଳନ କରିବାର ଅଛି ତେବେ ପାକିସ୍ତାନରେ ସଂଖ୍ୟାଲଘୁମାନେ ଯେଭଳି ଅତ୍ୟାଚାରର ଶିକାର ହେଉଛନ୍ତି ତା’ ବିରୋଧରେ ସ୍ବର ଉତ୍ତୋଳନ କରିବା ଆବଶ୍ୟକ। ଯଦି ଶୋଭାଯାତ୍ରା କରିବାକୁ ବିରୋଧୀମାନେ ଚାହୁଛନ୍ତି ତେବେ ପାକିସ୍ତାନରେ ନିର୍ଯାତନାର ଶିକାର ହୋଇ ଭାରତ ଚାଲି ଆସିଥିବା ହିନ୍ଦୁ ସଂଖ୍ୟାଲଘୁଙ୍କ ସପକ୍ଷରେ ଶୋଭାଯାତ୍ରା ବାହାରିବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ସମ୍ବନ୍ଧିତ ଖବର