ସୌର ଶକ୍ତି ପାଇଁ ୧୨୧ ଦେଶ ଏକାଠି

ମୋଦି ରଖିଲେ ୧୦ ସୂତ୍ରୀ ଯୋଜନା

ନୂଆଦିଲ୍ଲୀ: ଆଜି ଏଠାରେ ଆୟୋଜିତ ଅନ୍ତଃରାଷ୍ଟ୍ରୀୟ ସୌର ମେଣ୍ଟର ପ୍ରତିଷ୍ଠା ସମ୍ମିଳନୀ ଆରମ୍ଭ ହୋଇଛି। ପ୍ରତି ଦେଶ ସୁବିଧାରେ ଏବଂ କମ୍‌ ଖର୍ଚ୍ଚରେ ଅଣପାରମ୍ପରିକ ସୌରଶକ୍ତି ଉପଲବ୍ଧି ପାଇଁ ୧୨୧ ଦେଶ ମିଳିତ ହୋଇଥିବା ଏହି ସମ୍ମିଳନୀର ମୁଖ୍ୟ ସ୍ଥପତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଦ୍ୟମକୁ ସଦସ୍ୟ ରାଷ୍ଟ୍ର ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ୍‌ ମାକ୍ରନ୍‌ ବେଶ ତାରିଫ କରିଥିଲେ। ଏହି ଅବସରରେ ମୋଦି ବ୍ୟାପକ ସୌରଶକ୍ତି ଉତ୍ପନ୍ନ ଓ ବିନିଯୋଗ ପାଇଁ ୧୦ ଦଫାର କାର୍ଯ୍ୟନ୍ଵୟନ ଯୋଜନା ଉପସ୍ଥାପନା କରିଛନ୍ତି। ବିଶ୍ୱରେ ବାୟୁ ପ୍ରଦୂଷଣକାରୀ ଅଙ୍ଗାରକାମ୍ଳ ନିର୍ଗମନ କମାଇବା ସହ ଶସ୍ତାରେ ବିଦ୍ୟୁତ୍‌ ଶକ୍ତି ଉପଲବ୍ଧ ପାଇଁ ସୌର ଶକ୍ତିର ବିନିଯୋଗ ଉପରେ ଗୁରୁତ୍ୱ ଦେଇ ୨୦୧୫ ମସିହାରେ ଏପରି ଅନ୍ତଃରାଷ୍ଟ୍ରୀୟ ସୌର ମେଣ୍ଟର ପରିକଳ୍ପନା କରାଯାଇଛି। ଏହାର ସ୍ଥାପନ ଦିଗରେ ଭାରତ ଓ ଫ୍ରାନ୍ସ ମିଳିତ ଭାବେ ପ୍ରାରମ୍ଭିକ ପ୍ରୟାସ କରିଥିଲେ। ଆଜି ଏହାର ପ୍ରଥମ ସମ୍ମିଳନୀରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍‌ ମାକ୍ରନ୍‌ ଏବଂ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମିଳିତ ଭାବେ ଅଧ୍ୟକ୍ଷତା କରିଥିଲେ। ଏଥିରେ ଜାତିସଂଘ ମହାସଚିବ ଆଣ୍ଟୋରିଓ ଗୁଟେରେସ୍‌ଙ୍କ ସମେତ ୨୩ ରାଷ୍ଟ୍ରମୁଖ୍ୟ ଏବଂ ୧୦ ରାଷ୍ଟ୍ରର ମନ୍ତ୍ରୀସ୍ତରୀୟ ପ୍ରତିନିଧି ଯୋଗଦେଇଥିଲେ। ୨୦୩୦ ମସିହା ସୁଦ୍ଧା ଏହି ମେଣ୍ଟର ସଦସ୍ୟ ରାଷ୍ଟ୍ରମାନେ ୧,୦୦୦ ଗିଗାଓ୍ଵାଟ୍‌ ସୌରଶକ୍ତି ଉତ୍ପାଦନ କରିବାର ଧାର୍ଯ୍ୟ ଲକ୍ଷ୍ୟ ରଖିଛି। ସେଥିପାଇଁ ଏକ ଲକ୍ଷ କୋଟି ଆମେରିକୀୟ ଡଲାରର ଆବଶ୍ୟକତା ରହିଥିବା ବେଳେ ସହଯୋଗୀ ରାଷ୍ଟ୍ରମାନେ ଏଥିରେ ପୁଞ୍ଜିନିବେଶ କରିବା ଲାଗି ଆଗେଇ ଆସିବାକୁ ମୋଦି ଆହ୍ଵାନ କରିଛନ୍ତି। ସଂକୀର୍ଣ୍ଣ ବ୍ୟକ୍ତିଗତ ସୁବିଧାରୁ ପ୍ରତ୍ୟେକ ଓହରି ଆସି ମାନବ ସମାଜର ସାମୂହିକ ହିତ ପାଇଁ ଏହି ପରିକଳ୍ପନାକୁ ସାକାର କରିବାକୁ ମୋଦି ସଦସ୍ୟ ରାଷ୍ଟ୍ରଙ୍କୁ ଆହ୍ଵାନ କରିଛନ୍ତି।

ସୂଚନା ଥାଉ କି, ଏହି ମେଣ୍ଟର ସଦସ୍ୟ ରାଷ୍ଟ୍ରଗୁଡ଼ିକର ଜନସଂଖ୍ୟା ବିଶ୍ୱ ଜନସଂଖ୍ୟାର ତିନି ଚତୁର୍ଥାଂଶ ହୋଇଥିବା ବେଳେ ୨୦ରୁ ୫୦ ପ୍ରତିଶତ ଲୋକଙ୍କ ପାଖରେ ସୌର ଶକ୍ତି ଏବେ ବି ଅପହଞ୍ଚ ହୋଇ ରହିଛି। ସେହିପରି ସୌର ଶକ୍ତି ଆହରଣ ପାଇଁ ବ୍ୟାପକ କ୍ଷେତ୍ର ରହିଥିବା କିଛି ରାଷ୍ଟ୍ରରେ ଶକ୍ତି ସଂକଟ ତୀବ୍ର ରୂପ ଧାରଣ କରିଛି। ତେଣୁ ମିଳିତ ଉଦ୍ୟମରେ ଏହା ଦୂର କରିବା ପାଇଁ ଶସ୍ତା ସୌରଶକ୍ତି ଉପନ୍ନ ଉପରେ ଗୁରୁତ୍ୱାରୋପ କରାଯାଇଛି। ବିଶେଷ କରି ଅପନ୍ତରା ଗ୍ରାମଞ୍ଚଳଗୁଡ଼ିକରେ ଯେଉଁଠି ପାରମ୍ପରିକ ପ୍ରଣାଳୀରେ ବିଦ୍ୟୁତ୍‌ ଶକ୍ତି ପହଞ୍ଚାଇବା କଷ୍ଟସାଧ୍ୟ ହେଉଛି, ସେଠାରେ ଏଭଳି ସୌର ଶକ୍ତିର ବିନିଯୋଗ ବେଶ ଉପଯୋଗୀ ହୋଇପାରିବ ବୋଲି ମାକ୍ରନ୍‌ କହିଛନ୍ତି। ଏହି ଅବସରରେ ଭାରତ ୨୦୨୨ ସୁଦ୍ଧା ୧୭୫ ଗିଗାଓ୍ଵାଟ୍‌ ଅଣପାରମ୍ପରିକ ଶକ୍ତି ଉତ୍ପନ୍ନ ପାଇଁ ଲକ୍ଷ୍ୟ ରଖିଥିବା ମୋଦି କହିଛନ୍ତି। ସେଥିରୁ ୧୦୦ ଗିଗା ଓ୍ଵାଟ୍‌ ସୌରଶକ୍ତି ଏବଂ ୬୦ ଗିଗାଓ୍ଵାଟ୍‌ ପବନଶକ୍ତିରୁ ସଂଗୃହୀତ ହେବାକୁ ଥିବା ବେଳେ ଅଦ୍ୟାବଧି ଦେଶ ୨୦ ଗିଗାଓ୍ଵାଟ୍‌ ସୌରଶକ୍ତି ଉତ୍ପନ୍ନ କରରିସାରିଥିବା ସେ ସୂଚନା ଦେଇଛନ୍ତି। ସେହିପରି ଏହି ମେଣ୍ଟ ପ୍ରତିଷ୍ଠା ବେଳେ ଫାନ୍ସ ୨୦୨୨ ସୁଦ୍ଧା ଫ୍ରାନ୍ସ ପ୍ରତିଶ୍ରୁତି ମୁତାବକ ୮୬ କୋଟି ଡଲାର ସୌରଶକ୍ତିରେ ବିନିଯୋଗ କରିବ ବୋଲି ମାକ୍ରନ୍‌ ଘୋଷଣା କରିଥିଲେ।

ସମ୍ବନ୍ଧିତ ଖବର