ଭାରତରେ କରୋନା: ୨୪ ଘଣ୍ଟାରେ ୧୨୧୧ ନୂଆ ଆକ୍ରାନ୍ତ, ଲକ୍‌ଡାଉନ୍‌ ହୋଇନଥିଲେ ୧ ଲକ୍ଷରେ ପହଞ୍ଚିଥାନ୍ତା

ନୂଆଦିଲ୍ଲୀ: ଦିଲ୍ଲୀରେ କ‌ରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୫୦୦ ଟପିଛି। କରୋନା ମୁକାବିଲା ପାଇଁ ଦିଲ୍ଲୀ ସରକାର ବିଭିନ୍ନ ବଳିଷ୍ଠ ପଦକ୍ଷେପ ଗ୍ରହଣ କରିଛନ୍ତି। ଦିଲ୍ଲୀରେ ୪୭ଟି ଅଞ୍ଚଳକୁ ଅବରୋଧ ଅଞ୍ଚଳ ଘୋଷଣା କରାଯାଇଛି । ତେବେ ଦିଲ୍ଲୀ ସ୍ବାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ କହିଛନ୍ତି, ଦିଲ୍ଲୀରେ ଲକ୍‌ଡାଉନ୍‌ ଘୋଷଣା ହୋଇନଥିଲେ ଏବେ କରୋନା ମାମଲା ୫୦,୦୦୦ରୁ ୧ ଲକ୍ଷରେ ପହଞ୍ଚିଥାନ୍ତା। ପରବର୍ତ୍ତୀ ୨ ସପ୍ତାହର ଲକ୍‌ଡାଉନ୍‌ ପାଇଁ ସଂକ୍ରମଣ ବହୁତ କମିଯିବ ବୋଲି ସେ କହିଛନ୍ତି। ଜୈନ କହିଛନ୍ତି, ଆମ ନିକଟରେ ଏବେ ୧୩,୫୦୦ ପିପିଇ କିଟ୍‌ ଅଛି । ଅଧିକ କିଟ୍‌ ପାଇଁ କେନ୍ଦ୍ରକୁ କୁହାଯାଇଛି। ଆସନ୍ତା ୨ଦିନ ମଧ୍ୟରେ ଏହା ମିଳିଯିବ ବୋଲି ଆଶା କରାଯାଉଛି। ସରକାରଙ୍କ ନିକଟରେ ଏବେ ମାତ୍ର ୭ ଦିନ ପାଇଁ ଷ୍ଟକ୍‌ ଅଛି। ଆମକୁ ଆଉ ଅଧିକ ପିପିଇ କିଟ୍‌ ଦରକାର। କେନ୍ଦ୍ରଠାରୁ ୨ ଲକ୍ଷ ପିପିଇ କିଟ୍‌ ଦାବି କରାଯାଇଛି। ସରକାର ମଧ୍ୟ ପୃଥକ୍‌ ଭାବେ ୧,୪୦,୦୦ ପିପିଇ କିଟ୍‌ ଅର୍ଡର କରିଛନ୍ତି ବୋଲି ସେ କହିଛନ୍ତି। ଆସନ୍ତା ସପ୍ତାହ ମଧ୍ୟରେ ସରକାର ୧୦,୦୦୦ରୁ ଅଧିକ କୋଭିଡ୍‌ ଟେଷ୍ଟ୍‌ ପାଇଁ ‌ଯୋଜନା କରିଛନ୍ତି ଏବଂ ହଟ୍‌ସ୍ପଟ୍‌ ଅଞ୍ଚଳରେ ସ୍ବତନ୍ତ୍ର ଟିମ୍‌ ମୁତୟନ ହେବେ ବୋଲି ସେ କହିଛନ୍ତି। ଦିଲ୍ଲୀରେ ଏଯାବତ୍‌ ୧୨,୦୦୦ ଟେଷ୍ଟ୍‌ କରାଯାଇଛି।

ନୂଆଦିଲ୍ଲୀ: ଦେଶରେ କରୋନା ଭାଇରସ୍‌ର ପ୍ରକୋପ ଲଗାତାର ବଢ଼ିଚାଲିଛି। ସ୍ବାସ୍ଥ୍ୟ ମନ୍ତ୍ରାଳୟର ରିପୋର୍ଟ ଅନୁଯାୟୀ ବିଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୨୧୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଏବଂ ୩୧ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦,୮୧୫ରେ ପହଞ୍ଚିଛି ଏବଂ ସେଥିରୁ ୯୨୭୨ ସକ୍ରିୟ ମାମଲା ଥିବା ଜଣାପଡ଼ିଛି। ୧୧୮୯ ଜଣ ସଂପୂର୍ଣ୍ଣ ସୁସ୍ଥ ହୋଇ ‌ହସ୍ପିଟାଲରୁ ଫେରିଛନ୍ତି। କରୋନା ଭାଇରସ୍‌ ଯୋଗୁଁ ସର୍ବାଧିକ ୧୦ ଜଣଙ୍କ ମୃତ୍ୟୁ ମହାରାଷ୍ଟ୍ରରେ ହୋଇଛି। ଏଠାରେ ଭାଇରସ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୨୭୧୧ରେ ପହଞ୍ଚିଛି। ଦିଲ୍ଲୀରେ ଗୋଟିଏ ଦିନରେ ସର୍ବାଧିକ ୩୫୬ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରୁ ୩୨୫ ଜଣଙ୍କ ଜମାତ ସହ ସଂପର୍କ ଥିବା ସ୍ପଷ୍ଟ ହୋଇଛି। ଦିଲ୍ଲୀ ନିଜାମୁଦ୍ଦିନ ମରକଜ୍‌ ସହିତ ସଂପୃକ୍ତ ମୋଟ ୧୦୭୧ ଜଣ ଆକ୍ରାନ୍ତ ହୋଇଛନ୍ତି। ପୁନେରେ ଆଜି କରୋନାରେ ୪ ଜଣଙ୍କ ମୃତ୍ୟୁ ଘଟିଛି। ପୁନେରେ ଏ ପର୍ଯ୍ୟନ୍ତ ଭାଇରସ୍‌ରେ ୩୮ ଜଣଙ୍କ ମୃତ୍ୟୁ ହୋଇଛି। ଆନ୍ଧ୍ରପ୍ରଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୭୩ରେ ପହଞ୍ଚିଥିବା ବେଳେ ସେମାନଙ୍କ ମଧ୍ୟରୁ ୯ ଜଣଙ୍କୁ ମୃତ୍ୟୁ ହୋଇଛି। ଗୁଜରାଟରେ ଆଜି ୪୫ଟି ନୂଆ ମାମଲା ଚିହ୍ନଟ ହୋଇଥିବା ବେଳେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୧୭ରେ ପହଞ୍ଚିଛି। ଦେଶରେ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ୧ ଲକ୍ଷରୁ ଅଧିକ ବେଡ୍‌ ବ୍ୟବସ୍ଥା ହୋଇସାରିଛି। କେବଳ କୋଭିଡ ୧୯ ରୋଗୀଙ୍କୁ ଚିକିତ୍ସା ପାଇଁ ସ୍ବତନ୍ତ୍ର ଭାବେ ୬୦୦ରୁ ଅଧିକ ହସ୍ପିଟାଲକୁ ପ୍ରସ୍ତୁତ କରଖାଯାଇଛି। ଭାରତରେ ଲକ୍‌ଡାଉନ୍‌କୁ ୩ ମେ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଥିବାରୁ ଦେଶର ସମସ୍ତ ଅଂଚଳର ସ୍ଥିତି ଅନୁଧ୍ୟାନ କରି ଏହି ସମୟ ମଧ୍ୟରେ ବ୍ୟାପକ ପ୍ରତିକାରମୂଳକ ପଦକ୍ଷେପ ଗ୍ରହଣ କରାଯିବ। ଆଗାମୀ ସପ୍ତାହକ ମଧ୍ୟରେ ଦେଶବ୍ୟାପୀ ବ୍ୟାପକ ନମୁନା ଯାଞ୍ଚ ହେବ ବୋଲି ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂତ୍ରରୁ ଜଣାପଡ଼ିଛି।

୨୮ ଦିନ ପର୍ଯ୍ୟନ୍ତ ଗୋଟିଏ ବି ମାମଲା ନଆସିଲେ ସଂକ୍ରମଣ ଚେନ୍‌ ଭାଙ୍ଗିଛି ବୋଲି କୁହାଯିବ
ନୂଆଦିଲ୍ଲୀ: କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଆଜି କୁହାଯଇଛି ଯେ ଯଦି କୌଣସି ନିର୍ଦ୍ଦିଷ୍ଟ ଅଞ୍ଚଳରୁ ୨୮ ଦିନ ପର୍ଯ୍ୟନ୍ତ କୌଣସି ଗୋଟିଏ ବି ମାମଲା ନଆସେ ତେବେ ସେହି ଅଞ୍ଚଳରେ ସଂକ୍ରମଣର ଚେନ୍‌ ଭାଙ୍ଗିଛି ବୋଲି ସରକାର ସ୍ପ‌ଷ୍ଟ କରିବେ। ସ୍ବାସ୍ଥ୍ୟ ମନ୍ତ୍ରାଳୟ ଯୁଗ୍ମ ସଚିବ ଲବ ଅଗ୍ରୱାଲ୍‌ ଆଜି କହିଛନ୍ତି, ଆମକୁ ସଂକ୍ରମଣର ଚେନ୍‌ ଭାଙ୍ଗିବାକୁ ପଡ଼ିବ। ଯଦି କୌଣସି ସ୍ଥାନରେ ୨୮ ଦିନ ଧରି କୌଣସି ନୂଆ ମାମଲା ନଆସେ ତେବେ ସେହି ଅଞ୍ଚଳରେ ସଂକ୍ରମଣର ଚେନ୍‌ ଭାଙ୍ଗିଛି ବୋଲି କୁହାଯିବ। ଦେଶରେ ଏବେ ୬୦୨ଟି ଡେଡିକେଟେଡ୍‌ କୋଭିଡ୍‌ ୧୯ ହସ୍ପିଟାଲ୍‌ ରହିଛି ଏବଂ ରୋଗୀ ମାନଙ୍କ ପାଇଁ ୧,୦୬,୭୧୯ ଆଇସୋଲେସନ୍‌ ବେଡ୍‌ ଏବଂ ୧୨,୦୨୪ ଆଇସିୟୁ ବେଡ୍‌ ରହିଛି ବୋଲି ସେ କହିଛନ୍ତି। ସେହିପରି ଦେଶରେ କରୋନା ଯୁବଗୋଷ୍ଠୀଙ୍କୁ ଆକ୍ରାନ୍ତ କରୁଥିଲେ ବି ବୟସ୍କଙ୍କ କ୍ଷେତ୍ରରେ ଅଧିକ ମୃତ୍ୟୁ ହେଉଥିବା ସେ କହିଛନ୍ତି। ଆଇସିଏମ୍‌ଆର ଅନୁଯାୟୀ ୨,୩୧୯୦୨ ନମୁନା ପରୀକ୍ଷା କରାଯାଇଛି। ଏପ୍ରିଲ ୧୩ ତାରିଖରେ ବେଳ ୨୧,୬୩୫ ନମୁନା ପରୀକ୍ଷ‌ା କରାଯାଇଛି। ଏଥି ମଧ୍ୟରୁ ୧୮,୬୪୪ଟି ଆଇସିଏମ୍‌ଆର ଲ୍ୟାବ୍‌ ଏବଂ ୨୯୯୧ ଟି ନମୁନା ଘରୋଇ ଲ୍ୟାବ୍‌ରେ ପରୀକ୍ଷା କରାଯାଇଛି। ଦେଶର ସମସ୍ତ କରୋନା ହଟ୍‌ସ୍ପଟ୍‌ରେ ବ୍ୟାପକ ସତର୍କତା ପଦକ୍ଷେପ ଗ୍ରହଣ କରାଯାଇଛି।

ସମ୍ବନ୍ଧିତ ଖବର