ଇଭିଏମ୍‌କୁ ଅଂଶୁଘାତ!:୧୨୨ ବୁଥ୍‌ରେ ଆଜି

ପୁନଃ ମତଦାନ

ଲକ୍ଷ୍ନୌ: ବୁଧବାର ୟୁପି ଓ ମହାରାଷ୍ଟ୍ରର ୧୨୨ଟି ବୁଥ୍‌ରେ ଉପ ନିର୍ବାଚନ ପାଇଁ ପୁନଃ ମତଦାନ ହେବ। ଉତ୍ତର ପ୍ରଦେଶର କୈରାନାର ୭୩ଟି ବୁଥ୍‌ରେ ଓ ମହାରାଷ୍ଟ୍ରର ଭଣ୍ଡାରା ଗୋନ୍ଦିୟାରେ ୪୯ଟି ବୁଥ୍‌ରେ ପୁନଃ ମତାଦାନ କରାଇବା ପାଇଁ କମିସନ ନିଷ୍ପତ୍ତି ନେଇଛନ୍ତି। ଗତକାଲି ୧୦ଟି ରାଜ୍ୟର ୪ଟି ଲୋକସଭା ଓ ୧୦ଟି ବିଧାନସଭା ଆସନ ପାଇଁ ମତଦାନ ହୋଇଥିବା ବେଳେ ବିଭିନ୍ନ ସ୍ଥାନରେ ଇଭିଏମ୍‌ ଓ ଭିଭିପିଏଟି ଅଚଳ ହୋଇଯିବା ପରେ ଏହାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ଏନେଇ ବିଭିନ୍ନ ରାଜନୈତିକ ଦଳ ନିର୍ବାଚନ କମିସନଙ୍କ ଦ୍ୱାରସ୍ଥ ହୋଇଥିଲେ। ଗତକାଲି ମତଦାନ ସମୟରେ ପ୍ରାୟ ୧୦୩୦ଟି ଭିଭିପିଏଟି ମେସିନରେ ମଧ୍ୟ ତ୍ରୁଟି ପରିଲକ୍ଷିତ ହେବା ପରେ ସେଗୁଡ଼ିକୁ ବଦଳାଯାଇଥିଲା। ମୁଖ୍ୟ ନିର୍ବଚନ କମିସନର ଓପି ରାଓ୍ଵତ ଆଜି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ଗତକାଲିର ମତଦାନ ସମୟରେ କୌଣସି ଇଭିଏମରେ ତ୍ରୁଟି ଦେଖା ଦେଇନଥିଲା। କିଛି ଭିଭିପିଏଟି ଅଚଳ ହୋଇଯାଇଥିବାରୁ ମତଦାନ ବାଧାପ୍ରାପ୍ତ ହୋଇଥିଲା। ସୂର୍ଯ୍ୟାଲୋକ ପଡ଼ିବା, ଠିକ୍‌ ଭାବରେ ବ୍ୟବହାର କରାନଯିବା ଓ ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ସେନ୍‌ସର ଖରାପ ହୋଇଯିବାରୁ କେତେକ ଭିଭିପିଏଟି ଅଚଳ ହୋଇଯାଇଥିଲା ବୋଲି କମିସନର ରାଓ୍ଵତ କହିଛନ୍ତି। ସମସ୍ତ ଉପ ନିର୍ବାଚନ ମଧ୍ୟରେ କୈରାନା ଉପରେ ସମସ୍ତଙ୍କର ନଜର ରହିଛି। ଏହି ଲୋକସଭା ଆସନରେ ବିଜେପି ପ୍ରାର୍ଥୀଙ୍କ ବିରୋଧରେ ଆରଏଲଡି ପ୍ରାର୍ଥଙ୍କୁ କଂଗ୍ରେସ, ଏସ୍‌ପି ଏବଂ ବିଏସ୍‌ପି ସମର୍ଥନ ଜଣାଇଛନ୍ତି।

ସମ୍ବନ୍ଧିତ ଖବର