ହାଇଦ୍ରାବାଦ: ସମ୍ବିଧାନର ପ୍ରଣେତା ଡକ୍ଟର ବି ଆର୍‌ ଆମ୍ବେଦକରଙ୍କ ସାମାଜିକ ଅର୍ଥନୈତିକ ନ୍ୟାୟ ଓ ସମସ୍ତଙ୍କ ନ୍ୟାୟ ସମାନ ବିଚାରଧାରା ଉପରେ ବିଶ୍ବାସ କରୁଥିବା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ କହିଛନ୍ତି ଯେ ରାଜ୍ୟ ସଚିବାଳୟରେ ଆମ୍ବେଦକରଙ୍କ ୧୨୫ ଫୁଟର ଏକ ପ୍ରତିମୂର୍ତ୍ତି ପ୍ରସ୍ତୁତ କରାଯାଇଛି। ବୁଦ୍ଧଙ୍କ ପ୍ରତିମୂର୍ତ୍ତିର ବିପରୀତ ପାର୍ଶ୍ବରେ ଥିବା ସେହି ପ୍ରତିମୂର୍ତ୍ତିକୁ ଚଳିତ ମାସ ୧୪ରେ ଉନ୍ମୋଚନ କରାଯିବ। ବିଶିଷ୍ଟ ସ୍ଥପତି ପଦ୍ମ ବିଭୂଷଣ ରାମ ଭାଞ୍ଜି ସୂତାର ଏହି ପ୍ରତିମୂର୍ତିକୁ ତିଆରି କରିଛନ୍ତି। ଏହାର ଡିଜାଇନ୍ ପ୍ରସ୍ତୁତ କରିବା ଏବଂ ତାହାକୁ ନିର୍ମାଣ କରିବା ଲାଗି ଦୁଇ ବର୍ଷ ସମୟ ଲାଗିଥିଲା। ପ୍ରତିମୂର୍ତ୍ତି ଉନ୍ମୋଚନ ସମାରୋହର ପ୍ରସ୍ତୁତି ବିଷୟରେ ଏକ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କରାଯାଇଛି। ମୁଖ୍ୟମନ୍ତ୍ରୀ ଶ୍ରୀ ରାଓଙ୍କ ନେତୃତ୍ବରେ ଅନୁଷ୍ଠିତ ସେହି ବୈଠକରେ ରାଜ୍ୟର ବହୁ ବିଧାୟକ ଓ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ଏହି ଉତ୍ସବରେ ସାରା ରାଜ୍ୟର କୋଣ ଅନୁକୋଣରୁ ଲୋକ ଆସି ଯୋଗଦେବେ। ହେଲିକପ୍ଟରରେ ପ୍ରତିମୂର୍ତ୍ତିରେ ପୁଷ୍ପ ବୃଷ୍ଟି କରାଯିବ। ବୌଦ୍ଧ ସନ୍ୟାସୀଙ୍କୁ ଏଥିପାଇଁ ଆମନ୍ତ୍ରଣ କରାଯିବ। ଏହି କାର୍ଯ୍ୟକ୍ରମରେ ପ୍ରାୟ ୩୮ ହଜାର ଲୋକଙ୍କ ସମାଗମ ହେବ ବୋଲି ଆଶା କରାଯାଉଛି।