ଗୌହାଟୀ : ଆସାମର ଜୋରହାଟ ସହରରେ ଜଣେ ୨୩ ବର୍ଷୀୟ ଛାତ୍ର ନେତାଙ୍କୁ ପିଟିପିଟି ହତ୍ୟା କରାଯାଇଛି। ଗତରାତିରେ ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ ପ୍ରାୟ ୫୦-୬୦ ଜଣ ଲୋକ ଏକ ଜନଗହଳି ପୂର୍ଣ୍ଣ ସ୍ଥାନରେ ଛାତ୍ର ନେତା ଅନିମେଶ ଭୂୟାଁ ଏବଂ ତାଙ୍କର ଦୁଇ ବନ୍ଧୁଙ୍କୁ ଅତି ନିର୍ମମ ଭାବରେ ଆକ୍ରମଣ କରୁଛନ୍ତି। ସେତେବେଳେ ସେଠାରେ ଆସାମର ଦୁଇଜଣ ପୁଲିସ କର୍ମଚାରୀ ମଧ୍ୟ ଉପସ୍ଥିତ ଥିଲେ ଏବଂ ସେମାନେ ଏହି ଜଘନ୍ୟ ଅପରାଧର ଅସହାୟ ଦର୍ଶକ ପାଲଟିଥିଲେ।
ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନାନୁଯାୟୀ, ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ଜଣେ ବୃଦ୍ଧଙ୍କୁ ସାହାଯ୍ୟ କରିବାକୁ ଯାଇ ସେମାନେ ଉତ୍ୟକ୍ତ ଜନତାଙ୍କ ଆକ୍ରମଣର ଶିକାର ହୋଇଥିଲେ। ରାସ୍ତାରେ ସ୍କୁଟରରୁ ଖସି ପଡ଼ିଥିବା ବୃଦ୍ଧଙ୍କୁ ସେମାନେ ଉଠାଉଥିବା ବେଳେ ସ୍ଥାନୀୟ ଲୋକେ ଏହି ଦୁର୍ଘଟଣା ପାଇଁ ସେମାନଙ୍କୁ ଦାୟୀ କରି ଆକ୍ରମଣ ଆରମ୍ଭ କରି ଦେଇଥିଲେ। ଅନିମେଶ ଏବଂ ତାଙ୍କ ସାଙ୍ଗମାନେ ନିଜକୁ ନିର୍ଦ୍ଦୋଷ ଯେତେ କହିଥିଲେ ମଧ୍ୟ ଉତ୍ତ୍ୟକ୍ତ ଜନତା ଆଦୌ ଶୁଣି ନଥିଲେ। ଖବର ପାଇ ଜୋରହାଟ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଭାବେ ଆହତ ତିନିଜଣଙ୍କୁ ଉଦ୍ଧାର କରି ଜୋରହାଟ ମେଡିକାଲ୍ କଲେଜ ଆଣ୍ଡ ହସ୍ପିଟାଲକୁ ନେଇ ଯାଇଥିଲେ। ସେଠାରେ ଡାକ୍ତର ଅନିମେଶଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣା ସମଗ୍ର ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି। ଏହି ମାମଲାରେ ପୁଲିସ ୧୩ ଜଣଙ୍କୁ ଗିରଫ କରିଛି। ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ୧୫ ଦିନ ମଧ୍ୟରେ ଏହି ମାମଲାର ଚାର୍ଜସିଟ୍ ଦାଖଲ କରିବାକୁ ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଶିକ୍ଷାମନ୍ତ୍ରୀ ରାନୋଜ ପେଗୁ ଅନିମେଶଙ୍କ ପରିବାର ସଦସ୍ୟଙ୍କୁ ଭେଟି ଦୁଃଖ ପ୍ରକାଶ କରିବା ସହ ସେମାନଙ୍କୁ ନିଶ୍ଚିତ ନ୍ୟାୟ ମିଳିବ ବୋଲି ଆଶ୍ବାସନା ଦେଇଛନ୍ତି। ଅନିମେଶ ଏଏଏସ୍ୟୁ ବ୍ରହ୍ମପୁତ୍ର ଅଞ୍ଚଳ (ଗୋଲାଘାଟ ୟୁନିଟ୍)ର ଶିକ୍ଷା ସମ୍ପାଦକ ଥିଲେ। କୌଣସି କାମରେ ସେ ଦୁଇ ବନ୍ଧୁଙ୍କ ସହ ସୋମବାର ଜୋରହାଟ ଯାଉଥିଲେ। ଆହତ ହୋଇଥିବା ଦୁଇ ଜଣଙ୍କ ମଧ୍ୟରୁ ଜଣେ ଘରୋଇ ଟେଲିଭିଜନ ଚ୍ୟାନେଲ୍ର ସାମ୍ବାଦିକ ମୃଦୁସ୍ମାନ୍ତ ବରୁଆ ଏବଂ ଅନ୍ୟ ଜଣେ ହେଉଛନ୍ତି ସ୍ଥାନୀୟ ଏଏଏସ୍ୟୁ ନେତା ପ୍ରଣୟ ଦତ୍ତା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/12/assam.jpg)