ନୂଆଦିଲ୍ଲୀ : ମହାକୁମ୍ଭରୁ ନାଗା ଅଖଡ଼ାଗୁଡ଼ିକ ବାହାରିବା ପରେ ମଧ୍ୟ ଶ୍ରଦ୍ଧାଳୁଙ୍କ ଭିଡ଼ କମିବ କଣ ବଢିବାରେ ଲାଗିଛି। କେବଳ ରବିବାର ଦିନ ୧.୩୬ କୋଟି ଲୋକ ଏହି ସଙ୍ଗମସ୍ଥଳରେ ପହଞ୍ଚିଥିଲେ। ରବିବାର ସ୍ନାନ ପର୍ବ ନଥିବା ସତ୍ତ୍ବେ ଏତେ ସଂଖ୍ୟକ ଲୋକ ଏକାଠି ହୋଇଥିଲେ।
ଏହା ସହ ଜାନୁଆରୀ ୧୩ ତାରିଖରୁ ଚାଲିଥିବା ମହାକୁମ୍ଭ ସମୟରେ ସଙ୍ଗମସ୍ଥଳରେ ସ୍ନାନ କରିଥିବା ଲୋକଙ୍କ ସଂଖ୍ୟା ଏପର୍ଯ୍ୟନ୍ତ ୫୨୮.୩ ନିୟୁତ ଅତିକ୍ରମ କରିଛି। ରବିବାର ଏହି ଭିଡ଼ ହେବ ବୋଲି ମହାକୁମ୍ଭ ପ୍ରଶାସନ ଆଶା କରିନଥିଲା। ତେବେ ମଧ୍ୟାହ୍ନ ବେଳକୁ ଲୋକଙ୍କ ଭିଡ଼ ଦେଖି ପ୍ରଶାସନ ଆଶ୍ଚର୍ଯ୍ୟ ହୋଇଯାଇଥିଲା। ସୌଭାଗ୍ୟବଶତଃ ଆଜିର ସ୍ନାନ ବିନା କୌଣସି ସମସ୍ୟାରେ ସମ୍ପନ୍ନ ହୋଇଥିଲା।
ମହାକୁମ୍ଭ ମେଳା ପ୍ରଶାସନ ପକ୍ଷରୁ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ରବିବାର ସନ୍ଧ୍ୟା ୭ଟା ସୁଦ୍ଧା ମହାକୁମ୍ଭକୁ ଆସୁଥିବା ଶ୍ରଦ୍ଧାଳୁଙ୍କ ସଂଖ୍ୟା ୫୨୮.୩ ନିୟୁତରେ ପହଞ୍ଚିଛି। ମହାକୁମ୍ଭ ମେଳାର ଏଡିଏମ୍ ବିବେକ ଚତୁର୍ବେଦୀଙ୍କ କହିବା ନୁଯାୟୀ, ଗୋଟିଏ ଦିନରେ ୧୩.୬ ନିୟୁତ ଲୋକଙ୍କ ଉପସ୍ଥିତି ଗୁରୁତ୍ୱପୂର୍ଣ୍ଣ। ଆଜି ସ୍ନାନ ପର୍ବ ନଥିବାରୁ ଏହି ସଂଖ୍ୟା ମଧ୍ୟ ଉଲ୍ଲେଖନୀୟ। ସେ ଉଲ୍ଲେଖ କରିଛନ୍ତି ଯେ ଶନିବାର ସନ୍ଧ୍ୟା ସୁଦ୍ଧା ୫୧୪.୭ ନିୟୁତରୁ ଅଧିକ ଲୋକ ମହାକୁମ୍ଭରେ ସ୍ନାନ କରିବାକୁ ଆସିସାରିଛନ୍ତି। ସେପଟେ ରବିବାର ୧୩.୬ ନିୟୁତ ଲୋକ ପହଞ୍ଚିଛନ୍ତି।