ଇମ୍ଫାଲ୍ :  ଆଜି ମଣିପୁରର ଟେଙ୍ଗନୌପାଲ ଜିଲ୍ଲାର ଦୁଇ ଗୋଷ୍ଠୀର ସନ୍ତ୍ରାସବାଦୀଙ୍କ ମଧ୍ୟରେ ଗୁଳି ବିନିମୟରେ ଅତି କମରେ ୧୩ ଜଣଙ୍କର ମୃତ୍ୟୁ ଘଟିଛି ବୋଲି ଜଣାପଡ଼ିଛି। ସୋମବାର ଅପରାହ୍ନରେ ଲିଥୁ ଗ୍ରାମରେ ଏହି ଘଟଣା ଘଟିଥିବା ସୂଚନା ମିଳିଛି।

Advertisment

ଜଣେ ସରକାରୀ ଅଧିକାରୀ କହିଛନ୍ତି ଯେ ମିଆଁମାର ଅଭିମୁଖେ ଯାଉଥିବା ଏକ ସଶସ୍ତ୍ର ଗୋଷ୍ଠୀର ବିଦ୍ରୋହୀଙ୍କୁ ସେ ଅଞ୍ଚଳର ଆଉ ଏକ ପ୍ରଭାବଶାଳୀ ସଶସ୍ତ୍ର ଗୋଷ୍ଠୀ ପକ୍ଷରୁ ଅଚାନକ ଆକ୍ରମଣ କରାଯାଇଥିଲା। ଫଳରେ ୧୩ ଜଣଙ୍କର ମୃତ୍ୟୁ ଘଟିଥିଲା।

ଘଟଣା ସଂପର୍କରେ ସୂଚନା ପାଇବା ପରେ ଗୁଳିବିନିମୟ ସ୍ଥଳରେ ପହଞ୍ଚିଥିବା ସୁରକ୍ଷା ବାହିନୀ ଏପର୍ଯ୍ୟନ୍ତ ୧୩ଟି ମୃତଦେହ ଜବତ କରିଛନ୍ତି।  ଏପର୍ଯ୍ୟନ୍ତ ମୃତକମାନଙ୍କ ପରିଚୟ ଜଣାପଡି ନାହିଁ । କିନ୍ତୁ ସେମାନେ ସ୍ଥାନୀୟ ଲୋକ ନୁହଁନ୍ତି ବୋଲି ସ୍ପଷ୍ଟ ହୋଇଛି। ମଣିପୁରର ଟେଙ୍ଗନୌପାଲ ଜିଲ୍ଲା ମିଆଁମାର ସୀମାକୁ ଲାଗିଛି।

ମଣିପୁରରେ ମୋବାଇଲ୍ ଇଣ୍ଟରନେଟ୍ ନିଷେଧ ଉଠିଲା: ମଣିପୁର ସରକାର ଦୀର୍ଘ ୭ ମାସ ପରେ ରବିବାର (ଡିସେମ୍ବର ୩) ହିଂସା ପ୍ରଭାବିତ ରାଜ୍ୟର ଅଧିକାଂଶ ସ୍ଥାନରେ ମୋବାଇଲ୍ ଇଣ୍ଟରନେଟ୍ ସେବା ଉପରେ ଜାରି ହୋଇଥିବା ପ୍ରତିବନ୍ଧକ ହଟାଇ ଦେଇଛନ୍ତି। ତେବେ ୯ଟି ଜିଲ୍ଲାର ସୀମାନ୍ତ ଅଞ୍ଚଳରେ ଏହି ପ୍ରତିବନ୍ଧକ ଜାରି ରହିବ ବୋଲି ଅଧିକାରୀମାନେ କହିଛନ୍ତି।

ଏହି ମୋବାଇଲ୍ ଇଣ୍ଟରନେଟ୍ ସେବା ଉପରେ ପ୍ରତିବନ୍ଧକ ପ୍ରତ୍ୟାହାର ଡିସେମ୍ବର ୧୮ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ। ସାତ ମାସ ପୂର୍ବେ ମଣିପୁରରେ ମୋବାଇଲ୍ ଇଣ୍ଟରନେଟ୍ ଉପରେ ନିଷେଧାଦେଶ ଜାରି କରାଯାଇଥିଲା।