ନ୍ୟୁୟର୍କ ସବ୍‌ୱେ ଷ୍ଟେସନ୍‌ରେ ଗୁଳିକାଣ୍ଡ, ୧୬ ଆହତ

ନ୍ୟୁୟର୍କ: ନ୍ୟୁୟର୍କର ବ୍ରୁକଲିନ୍‌ ‌ମେଟ୍ରୋ ଷ୍ଟେସନ୍‌ରେ ଆଜି ଆଖିବୁଜା ଗୁଳିମାଡ଼ ଯୋଗୁଁ ୧୬ ଜଣ ଆହତ ହୋଇଛନ୍ତି। ୧୩ ଜଣ ଯାତ୍ରୀ ଗୁଳିମାଡ଼ରେ ଆହତ ହୋଇଥିବା ବେଳେ ୫ ଜଣଙ୍କ ଅବସ୍ଥା ଅତି ଗୁରୁତର ଥିବା ଜଣାପଡ଼ିଛି। ସମଗ୍ର ରେଳ ଷ୍ଟେସନ ଧୂଆଁରେ ଭରିଯାଇଥିବା ବେଳେ ଆକ୍ରମଣକାରୀକୁ ଧରିବା ପାଇଁ ବ୍ୟାପକ ତଲାସି ଅଭିଯାନ ଜାରି ରହିଛି। ନ୍ୟୁୟର୍କ ପୁଲିସ କହିଛି ଯେ ଏହି ଆକ୍ରମଣ ଜଣେ ବ୍ୟକ୍ତି ଘଟାଇଛି ଏବଂ ତା’ର ସ୍କେଚ୍‌ ଜାରି କରାଯାଇଛି। ତେବେ ଏହି ଆକ୍ରମଣ ଏକ ଆତଙ୍କବାଦୀ କାଣ୍ଡ ନୁହେଁ ବୋଲି ପୁଲିସ କହିଛି। ନ୍ୟୁୟର୍କ ଅଗ୍ନିଶମ ଓ ପୁଲିସ ବିଭାଗ ସୂଚନା ଅନୁଯାୟୀ ଆଜି ସକାଳ ୮.୩୦ରେ ଏହି ଘଟଣା ଘଟିଛି। ଗୁଳିକାଣ୍ଡ ଘଟାଇଥିବା‌ ବ୍ୟକ୍ତି ସମ୍ପୃକ୍ତ ଅଞ୍ଚଳରେ ଏବେ ବି ସକ୍ରିୟ ରହିଥିବାରୁ ଲୋକଙ୍କୁ ସତର୍କ କରାଇ ଦିଆଯାଇଛି। ଲୋକମାନେ ମେଟ୍ରୋ ଟ୍ରେନ୍‌ରେ ବସିଥିବାବେଳେ ଆକ୍ରମଣକାରୀ ସ୍ବୟଂଚାଳିତ ବନ୍ଧୁକରୁ ଗୁଳିମାଡ଼ କରିଥିଲା। ବ୍ରୁକଲିନ ଗୁଳିକାଣ୍ଡ ନେଇ ଆମେରିକା ଏଟର୍ଣ୍ଣି ଜେନେରାଲ୍‌ ମେରିକ ଗାରଲାଣ୍ଡ୍‌ ଏବଂ ହୋମ୍‌ଲାଣ୍ଡ୍‌ ସୁରକ୍ଷା ସଚିବ ସ୍ଥିତି ସମୀକ୍ଷା କରିଛନ୍ତି। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ମଧ୍ୟ ଉକ୍ତ ଘଟଣା ସଂକ୍ରାନ୍ତରେ ଅବଗତ ହୋଇଛନ୍ତି।

ସମ୍ବନ୍ଧିତ ଖବର