ହାଇକୋର୍ଟରେ ୧୩ ବିଚାରପତି ପଦ ଖାଲି : ୧୨ ଜଣଙ୍କ ନାମ ସୁପାରିସ କଲା କଲେଜିୟମ୍‌

ବରିଷ୍ଠତା ଓ ଆୟ ମାନଦଣ୍ଡକୁ ନେଇ ଆପତ୍ତି ଉଠାଇଥିଲେ ଦୁଇ ବରିଷ୍ଠ ସଦସ୍ୟ

ନୂଆଦିଲ୍ଲୀ : ଓଡ଼ିଶା ହାଇକୋର୍ଟରେ ଏବେ ୧୩ଟି ବିଚାରପତି ପଦ ଖାଲି ପଡ଼ିଛି। ମଞ୍ଜୁରୀପ୍ରାପ୍ତ ବିଚରପତି ପଦ ସଂଖ୍ୟା ୨୭ ହୋଇଥିବା ବେଳେ ଏବେ ମୁଖ୍ୟ ବିଚାରପତିଙ୍କ ସମେତ ୧୪ ଜଣ ବିଚାରପତି କାର୍ଯ୍ୟ କରୁଛନ୍ତି। ଚଳିତ ବର୍ଷ ଜଷ୍ଟିସ ବି.କେ. ନାୟକ, ଜଷ୍ଟିସ ଏସ୍‌.ସି.ପରିଜା ଓ ଡକ୍ଟର ଜଷ୍ଟିସ ଡି.ପି.ଚୌଧୁରୀ ଅବସର ନେବା ପରେ ୧୩ଟିି ପଦ ଖାଲି ପଡିଛି। ଶେଷ ଥର ୨୦୧୫ରେ ଓଡ଼ିଶା ହାଇକୋର୍ଟରେ ନୂଆ ବିଚାରପତିଙ୍କୁ ନିଯୁକ୍ତି ଦିଆଯାଇଥିଲା।

ଅନ୍ୟପଟେ ଓଡ଼ିଶା ହାଇକୋର୍ଟ କଲେଜିୟମ ଖାଲି ପଡିଥିବା ବିଚାରପତି ପଦ ପୂରଣ ପାଇଁ ୧୨ଜଣଙ୍କ ନାଁ ସୁପାରିସ କରିଥିବା ଜଣାପଡ଼ିଛି। ହାଇକୋର୍ଟ କଲେଜିୟମର ଦୁଇ ବରିଷ୍ଠ ସଦସ୍ୟ ଅର୍ଥାତ ଦୁଇ ଜଣ ବରିଷ୍ଠ ବିଚାରପତି କେତେକ ପ୍ରସଂଗରେ ଆପତ୍ତି ଉଠାଇବା ସତ୍ୱେ ଏହି ୧୨ଜଣଙ୍କ ନାଁ ସୁପାରିସ କରାଯାଇଛି। ସୁପ୍ରିମକୋର୍ଟ ବିଚାରପତି ଭାବେ ନିଯୁକ୍ତି ପାଇବା ପୂର୍ବରୁ ହାଇକୋର୍ଟର ତତ୍କାଳୀନ ମୁଖ୍ୟ ବିଚାରପତି ଜଷ୍ଟିସ ଭିନିତ ସରନ ଏହି ୧୨ଟି ନାମ ସୁପାରିସ ସଂପର୍କିତ ଫାଇଲକୁ ସ୍ୱୀକୃତି ଦେଇଥିଲେ। ଜିଲ୍ଲା ଜଜ୍‌ ପାହ୍ୟାର ଅଧିକାରୀ ଗୌତମ ଶର୍ମା, ବି.ପି.ରାଉତରାୟ, ଏସ୍‌.ଏନ୍‌. ମିଶ୍ର ଓ ଏ.ମିଶ୍ରଙ୍କ ନାମ ହାଇକୋର୍ଟ ବିଚାରପତି ଭାବେ ନିଯୁକ୍ତି ପାଇଁ ମେ’ ୧୫ ତାରିଖରେ ସୁପାରିସ କରାଯାଇଥିଲା। ଏହା ପୂର୍ବରୁ ମେ’ ୧୦ରେ ଆଇନଜୀବୀ ବି.ଦାଶ, ବି.ପି.ପ୍ରଧାନ, ପି.କେ.ହରିଚନ୍ଦନ, ଏସ୍‌.କେ.ଦାସ, ଭି.ନରସିଂହ, ଟି.କେ.ଶତପଥୀ, ଆର.ପି. କର ଓ କେ.ପି.ମିଶ୍ରଙ୍କ ନାମ ସୁପାରିସ କରାଯାଇଥିଲା। ଓଡ଼ିଶା ହାଇକୋର୍ଟର ତତ୍କାଳୀନ ମୁଖ୍ୟ ବିଚାରପତି ଜଷ୍ଟିସ ଭିନିତ ସରନଙ୍କ ସହିତ ଦୁଇ ବରିଷ୍ଠ ବିଚାରପତି ଜଷ୍ଟିସ ଇନ୍ଦ୍ରଜିତ ମହାନ୍ତି ଓ କୁମାରୀ ଜଷ୍ଟିସ ସଞ୍ଜୁ ପଣ୍ଡା କଲେଜିୟମ ସଦସ୍ୟ ରହିଥିଲେ।

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, କଲେଜିୟମ୍‌ ମଧ୍ୟରେ ସହମତି ହେଉନଥିବା ଏ ପ୍ରକ୍ରିୟାରେ ବାଧକ ସାଜିଥିଲା। ଏହି ପ୍ରସଙ୍ଗକୁ ନେଇ ଆଇନଜୀବୀ ମଧ୍ୟ ଅସନ୍ତୋଷ ଜାହିର କରି ଆସୁଥିଲେ। ଏଣୁ ଶେଷ ମୁହୂର୍ତରେ ୧୨ଜଣଙ୍କ ନାମ ସୁପାରିସ କରାଯାଇଥିବା କୁହାଯାଉଛି। ତେବେ ହାଇକୋର୍ଟ କଲେଜିୟମର ଏପରି ସୁପାରିସ କେତେ ଦୂର ସୁପ୍ରିମକୋର୍ଟ କଲେଜିୟମ ଗ୍ରହଣ କରୁଛି ତାହା ହୁଏତ ଆଗକୁ ସ୍ପଷ୍ଟ ହେବ।

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ହାଇକୋର୍ଟ ବିଚାରପତି ପଦ ପାଇଁ ନାମ ସୁପାରିସ କରିବାକୁ ମୁଖ୍ୟ ବିଚାରପତିଙ୍କ ସହିତ ଦୁଇ ବରିଷ୍ଠ ବିଚାରପତିଙ୍କୁ ନେଇ କଲେଜିୟମ ଗଠିତ ହୋଇଥାଏ। କଲେଜିୟମରେ ପ୍ରସ୍ତାବିତ ନାମକୁ ନେଇ ଚର୍ଚ୍ଚା ହେବା ପରେ ସହମତି ଆଧାରରେ ନାମ ସୁପାରିସ କରାଯାଇଥାଏ। ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଓ ଦୁଇ ବରିଷ୍ଠ ବିଚାରପତିଙ୍କୁ ନେଇ ଗଠିତ କଲେଜିୟମ ଏହି ପ୍ରସଂଗରେ ଚର୍ଚ୍ଚା କରି ନାମ ଅନୁମୋଦନ କରିଥାନ୍ତି।

ଅନ୍ୟପକ୍ଷରେ ନିକଟରେ ଗୁଜରାଟ, ବମ୍ବେ ଓ କୋଲକାତା ହାଇକୋର୍ଟ କଲେଜିୟମ ସୁପାରିଶ କରିଥିବା କେତେକ ନାମକୁ ସୁପ୍ରିମକୋର୍ଟ କଲେଜିୟମ ଚଳିତ ମାସରେ ଫେରାଇ ଦେଇଛନ୍ତି। ଏଠାରେ ସୂଚନା ଯୋଗ୍ୟ ଯେ ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ର, ଜଷ୍ଟିସ ରଂଜନ ଗୋଗୋଇ ଓ ଜଷ୍ଟିସ ମଦନ ବି. ଲୋକୁରଙ୍କୁ ନେଇ ସୁପ୍ରିମକୋର୍ଟ କଲେଜିୟମ ଗଠିତ ହୋଇଛି।

ସୁପ୍ରିମକୋର୍ଟ ବରିଷ୍ଠ ଓକିଲ ତାଲିକାରେ ଓଡ଼ିଶାରୁ ୫

ଭୁବନେଶ୍ୱର : ୨୦୧୮ ମସିହା ଜୁଲାଇ ୩୧ ତାରିଖ ସୁଦ୍ଧା ସୁପ୍ରିମକୋର୍ଟ ଦ୍ୱାରା ଡେଜିଗ୍‌ନେଟେଡ ୩୫୮ ବରିଷ୍ଠ ଓକିଲଙ୍କ ତାଲିକାରେ ଓଡ଼ିଶାର ୫ ଜଣ ସାମିଲ୍‌ ଅଛନ୍ତି। ଓଡ଼ିଶା ହାଇକୋର୍ଟର ପୂର୍ବତନ ବିଚାରପତି ବାଳକୃଷ୍ଣ ବେହେରା, ଅବସରପ୍ରାପ୍ତ ବିଚାରପତି କୃଷ୍ଣ ପ୍ରସାଦ ମହାପାତ୍ର, ସି.ଏଚ୍‌. ପ୍ରତାପ କୁମାର ମିଶ୍ର, ବି. ପାଣିଗ୍ରାହୀ ଏବଂ ଆଡଭୋକେଟ୍‌ ଅନ୍‌ ରେକର୍ଡ ପି.ଏନ୍‌. ମିଶ୍ର ସୁପ୍ରିମ କୋର୍ଟ ଡେଜିଗନେଟେଡ ବରିଷ୍ଠ ଓକିଲ ତାଲିକାରେ ସ୍ଥାନ ପାଇଛନ୍ତି। ସୁପ୍ରିମକୋର୍ଟ ଡେଜିଗନେଟେଡ ବରିଷ୍ଠ ଓକିଲଙ୍କ ତାଲିକା ସୁପ୍ରିମକୋର୍ଟର େଓ୍ଵବସାଇଟ୍‌ରେ ଅପ୍‌ଲୋଡ୍‌ କରାଯାଇଛି। ବରିଷ୍ଠ ଓକିଲଙ୍କ ଚୟନ ସୁପ୍ରିମ କୋର୍ଟର ପ୍ରଧାନ ବିଚାରପତି, ସୁପ୍ରିମକୋର୍ଟର ଦୁଇ ଜଣ ବରିଷ୍ଠ ବିଚାରପତି, ଭାରତର ଆଟର୍ନି ଜେନେରାଲ ଏବଂ ବାର୍‌ ସଦସ୍ୟଙ୍କୁ ନେଇ ଗଠିତ କମିଟି ଦ୍ୱାରା ଚୟନ କରାଯାଇଥାଏ।

ସମ୍ବନ୍ଧିତ ଖବର