ଜୟପୁର: ରାଜସ୍ଥାନର ପ୍ରତାପଗଡ଼ ଜିଲ୍ଲାରେ ବାହାଘର ପଟୁଆର ମଧ୍ୟକୁ ଏକ ଦ୍ରୁତଗାମୀ ଟ୍ରକ୍ ମାଡ଼ି ଯିବାରୁ ୪ ଜଣ ପିଲାଙ୍କ ସମେତ ୧୩ ଜଣ ଲୋକଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ୟ ୧୮ ଜଣ ଆହତ ହୋଇଛନ୍ତି ବୋଲି ମଙ୍ଗଳବାର ଦିନ ପୁଲିସ କହିଛି।
Sambad is now on WhatsApp
Join and get latest news updates delivered to you via WhatsApp
ସୋମବାର ରାତିରେ ୧୧୩ ନମ୍ବର ରାଜ୍ୟ ରାଜପଥ ଅନ୍ତର୍ଗତ ରାମଦେବ ମନ୍ଦିର ନିକଟରେ ଘଟିଛି। ରାସ୍ତା କଡ଼େ କଡ଼େ ଚାଲିଥିବା ବାହାଘର ପଟୁଆର ମଧ୍ୟକୁ ନିମ୍ବହେରାରୁ ବଂଶଓ୍ଵାରା ଆଡ଼କୁ ଯାଉଥିବା ଟ୍ରକ୍ଟି ମାଡ଼ି ଯାଇଥିଲା ବୋଲି ଚୋଟି ସାଦ୍ରି ଡିଏସ୍ପି ବିଜୟପାଲ ସିଂହ ସାନ୍ଧୁ କହିଛନ୍ତି।
ମୁଖ୍ୟମନ୍ତ୍ରୀ ଅଶୋକ ଗେହ୍ଲଟ୍ ଘଟନା ସମ୍ବନ୍ଧରେ ଶୁଣି ଖୁବ୍ ଦୁଃଖ ପ୍ରକାଶ କରିଛନ୍ତି । ଟୁଇଟ୍ କରି ସେ କହିଛନ୍ତି, ଶୋକସନ୍ତପ୍ତ ପରିବାର ସବୁ ପ୍ରତି ମୋର ଆନ୍ତରିକ ଶୋକବାର୍ତ୍ତା। ଆହତ ଲୋକମାନଙ୍କର ଆଶୁ ଆରୋଗ୍ୟ ନିମନ୍ତେ ପ୍ରାର୍ଥନା କରୁଛି।
ସେ କହିଛନ୍ତି, ଆହତମାନଙ୍କୁ ତୁରନ୍ତ ଚୋଟି ସାଦ୍ରି ସରକାରୀ ଡାକ୍ତରଖାନାକୁ ନିଆଯାଇଥିଲା ଏବଂ ପରେ ସେମାନଙ୍କ ମଧ୍ୟରୁ ସାଙ୍ଘାତିକ ଆହତ ହୋଇଥିବା ୧୫ ଜଣଙ୍କୁ ଉଦୟପୁରସ୍ଥିତ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।
ପଟୁଆର ଯାଉଥିବା କଥା ଟ୍ରକ୍ ଡ୍ରାଇଭର୍ ଜାଣିପାରି ନ ଥିବା କଥା ଡିଏସ୍ପି କହିଛନ୍ତି।
ବ୍ୟବଚ୍ଛେଦ ନିମନ୍ତେ ଶବଗୁଡ଼ିକୁ ଶବାଗାରରେ ରଖାଯାଇଛି। ଘଟଣାର ତଦନ୍ତ ଚାଲିଛି।