ଦେଶରେ ୧୩ ଲକ୍ଷ ଇଲେକ୍ଟ୍ରିକ୍ ଯାନ

ନୂଆଦିଲ୍ଲୀ: ଦେଶରେ ମୋଟ ୧୩ ଲକ୍ଷ ୩୪ ହଜାର ୩୮୫ଟି ବିଦ୍ୟୁତ ଯାନ ଏବଂ ୨୭ କୋଟି ୮୧ ଲକ୍ଷ ୬୯ ହଜାର ୬୩୧ଟି ଅଣ ବିଦ୍ୟୁତ୍ ଯାନ ଗଡ଼ୁଛି। ‌ବିଦ୍ୟୁତ ଯାନ ଓ ଅଣ ବିଦ୍ୟୁତ ଯାନସଂଖ୍ୟାକୁ ମିଶାଇଲେ ଦେଶରେ ମୋଟ ୨୭ କୋଟି ୯୫ ଲକ୍ଷ ୪ ହଜାର ୧୬ଟି ଗାଡ଼ି ଗଡ଼ୁଛି।

ସୂଚନା ଅନୁଯାୟୀ ଦେଶରେ ବିଦ୍ୟୁତ ଗାଡ଼ି ବ୍ୟବହାରକୁ ପ୍ରୋତ୍ସାହନ ଦେବାପାଇଁ ସରକାର ଏକାଧିକ ପଦକ୍ଷେପ ନେଇଛନ୍ତି। ୨୦୧୫ ମସିହାରେ ଫେମ୍ ଇଣ୍ଡିଆ ସ୍କିମ ଆଣିଛନ୍ତି। ବର୍ତ୍ତମାନ ଫେମ୍ ଯୋଜନାର ଦ୍ବିତୀୟ ପର୍ଯ୍ୟାୟ ୫ ବର୍ଷ ପାଇଁ ୨୦୧୯ ଏପ୍ରିଲ ପହିଲାରୁ କାର୍ଯ୍ୟକାରୀ ହେଉଛି। ଏଥିପାଇଁ ୧୦ ହଜାର କୋଟି ଟଙ୍କାର ବଜେଟ୍ ବ୍ୟବସ୍ଥା ରହିଛି।

ଏଥିସହିତ ୨୦୨୧ ମେ’ ୧୨ ତାରିଖରେ ସରକାର ଉତ୍ପାଦନଭିତ୍ତିକ ପ୍ରୋତ୍ସାହନ ଯୋଜନାକୁ ମଞ୍ଜୁରି ଦେଇଛନ୍ତି। ଦେଶରେ ବ୍ୟାଟେରି କିଭଳି ସୁଲଭ ମୂଲ୍ୟରେ ମିଳିବ ସେଥିପାଇଁ ‌ଏହି ଯୋଜନା ହୋଇଛି। ବ୍ୟାଟେରି ମୂଲ୍ୟ କମିଲେ ବିଦ୍ୟୁତ ଯାନ ମୂଲ୍ୟ ହ୍ରାସ ପାଇବ। ଏଥିସହିତ ୨୦୨୧ ସେପ୍ଟେମ୍ବର ୧୫ରେ ବିଦ୍ୟୁତ୍ ଯାନକୁ ମଧ୍ୟ ପିଏଲଆଇ ଯୋଜନାରେ ସାମିଲ କରାଯାଇଛି। ପାଞ୍ଚ ବର୍ଷ ପାଇଁ ଏଥିନିମନ୍ତେ ୨୫,୯୩୮ କୋଟି ଟଙ୍କାର ବଜେଟ୍ ବ୍ୟବସ୍ଥା କରାଯାଇଛି। ବିଦ୍ୟୁତ ଯାନ ଉପରେ ଜିଏସଟିକୁ ୧୨ ପ୍ରତିଶତରୁ ୫ ପ୍ରତିଶତକୁ ହ୍ରାସ କରାଯାଇଛି।

ଚାର୍ଜର ଏବଂ ଚାର୍ଜିଂ ‌ଷ୍ଟେସନ ଉପରେ ମଧ୍ୟ ଜିଏସଟିକୁ ୧୮ ପ୍ରତିଶତରୁ ୫ ପ୍ରତିଶତକୁ କମାଯାଇଛି। ସଡ଼କ ପରିବହନ ଓ ରାଜପଥ ମନ୍ତ୍ରାଳୟ ପକ୍ଷରୁ ବ୍ୟାଟେରି ଚାଳିତ ଗାଡ଼ିକୁ ସବୁଜ ରଙ୍ଗର ଲାଇସେନ୍ସ ପ୍ଲେଟ୍‌ ପ୍ରଦାନ କରାଯିବା ସହିତ ପରମିଟ୍‌ରୁ ମୁକ୍ତ କରିବା ପାଇଁ ଘୋଷଣା କରାଯାଇଛି। ବିଦ୍ୟୁତ ଯାନ ଉପରୁ ସଡ଼କ ଟିକସ ପ୍ରତ୍ୟାହାର ପାଇଁ ମଧ୍ୟ ରାଜ୍ୟଗୁଡ଼ିକୁ ମନ୍ତ୍ରାଳୟ ପକ୍ଷରୁ ପରାମର୍ଶ ଦିଆଯାଇଛି।

ଫେମ୍ ଇଣ୍ଡିଆ ଯୋଜନାର ପ୍ରଥମ ପର୍ଯ୍ୟାୟରେ ଭାରି ଶିଳ୍ପ ମନ୍ତ୍ରାଳୟ ଦେଶରେ ୫୨୦ଟି ଇଭି ଚାର୍ଜିଂ ଷ୍ଟେସନ ସ୍ଥାପନ ପାଇଁ ମଞ୍ଜୁରି ଦେଇଥିଲା। ସେଥିରୁ ଚଳିତମାସ ୧ ତାରିଖ ସୁଦ୍ଧା ୪୭୯ଟି ଚାର୍ଜିଂ ଷ୍ଟେସନ ସ୍ଥାପନ ହୋଇଛି। ଉକ୍ତ ଯୋଜନାର ଦ୍ବିତୀୟ ପର୍ଯ୍ୟାୟରେ ୨୮୭୭ଟି ଚାର୍ଜିଂ ଷ୍ଟେସନ ୨୫ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ୬୮ଟି ସହରରେ ସ୍ଥାପନ ପାଇଁ ମଞ୍ଜୁରି ଦିଆଯାଇଛି, ଏଥିରେ ଓଡ଼ିଶାରେ ୧୮ଟି ଚାର୍ଜିଂ ‌ଷ୍ଟେସନ ରହିଛି। ତେବେ ଜୁଲାଇ ୧ ତାରିଖ ସୁ୍ଦ୍ଧା ଦେଶରେ ୫୦ଟି ଚାର୍ଜିଂ ଷ୍ଟେସନ ସ୍ଥାପନ ହୋଇଛି।

ଏଥିସହିତ ଦେଶର ୯ଟି ଏକ୍ସପ୍ରେସୱେ ଏବଂ ୧୬ଟି ରାଜପଥରେ ୧୫୭୬ଟି ଚାର୍ଜିଂ ‌ଷ୍ଟେସନ ସ୍ଥାପନ ଲାଗି ମଞ୍ଜୁରି ଦିଆଯାଇଛି। ଏଥିରୁ କୋଲକାତାରୁ ଭୁବନେଶ୍ବର ମଧ୍ୟରେ ୪୪ଟି ଏବଂ ଚେନ୍ନାଇରୁ ଭୁବନେଶ୍ବର ମଧ୍ୟରେ ୧୨୦ଟି ଚାର୍ଜିଂ ଷ୍ଟେସନ ସ୍ଥାପନ ବ୍ୟବସ୍ଥା ହୋଇଛି। ଚଳିତବର୍ଷ ଜାନୁଆରି ସୁଦ୍ଧା ଓଡ଼ିଶାର ୨୬ଟି ରିଟେଲ ଆଉଟଲେଟ୍‌ରେ ଚାର୍ଜିଂ ଷ୍ଟେସନ ସୁବିଧା ରହିଥିବା ଲୋକସଭାରେ ଭାରି ଶିଳ୍ପ ରାଷ୍ଟ୍ରମନ୍ତ୍ରୀ କ୍ରିଷନ ପାଲ ଗୁରଜାର ଲୋକସଭାରେ ଲିଖିତ ଉତ୍ତରରେ ଜଣାଇଛନ୍ତି।

ସମ୍ବନ୍ଧିତ ଖବର