୪ ଦିନରେ ୧୩ ଲକ୍ଷ ସଂକ୍ରମିତ: ୨୪ ଘଣ୍ଟାରେ ୩.୫୦ ଲକ୍ଷ ସଂକ୍ରମଣ ମାମଲା, ରେକର୍ଡ ୨୭୬୭ ମୃତ

ନୂଆଦିଲ୍ଲୀ: ଦେଶରେ କରୋନା ମୃତ୍ୟୁ ଦିନକୁ ଦିନ ବଢ଼ି ଚାଲିଛି। ଲଗାତାର ୪ ଦିନ ଧରି ଦେଶରେ ଦୈନିକ ସଂକ୍ରମଣ ମାମଲା ୩ ଲକ୍ଷରୁ ଅଧିକ ରହୁଛି। ବିଗତ ୨୪ ଘଣ୍ଟା ମଧ୍ୟରେ ୩୪୯,୬୯୧ ନୂଆ ମାମଲା ସାମ୍ନାକୁ ଆସିଥିବା ବେଳେ ରେକର୍ଡ ୨୭୬୭ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି । ଅନ୍ୟପକ୍ଷରେ ୨,୧୭,୧୧୩ ଜଣ କରୋନାରୁ ସୁସ୍ଥ ହୋଇଥିବା ବେଳେ ଦେଶରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୨୬,୮୨,୭୫୧ ରହିଛି। ବିଗତ ୪ ଦିନରେ ଦେଶରେ ପ୍ରାୟ ୧୩ ଲକ୍ଷ ଲୋକ କରୋନା ସଂକ୍ରମିତ ହୋଇଛନ୍ତି। ଦେଶରେ ମୋଟ୍‌ କରୋନା ମୃତ୍ୟୁ ୧ ଲକ୍ଷ ୯୨ ହଜାର ୩୧୧ରେ ପହଞ୍ଚିଛି। ଅନ୍ୟପକ୍ଷରେ ୧୬ କୋଟି ୯ ଲକ୍ଷ ୧୬ ହଜାର ଲୋକଙ୍କ ଟିକାକରଣ ହୋଇଛି।

ଦିଲ୍ଲୀରେ ପ୍ରଥମ ଥର ପାଇଁ କରୋନାରେ ଦିନକରେ ୩୫୭ ଜଣଙ୍କର ମୃତ୍ୟୁ ହୋଇଛି। ରାଜଧାନୀରେ କରୋନା ମୃତ୍ୟୁ ନୂଆ ରେକର୍ଡ କରିଛି ଏବଂ ଆଜି ପର୍ଯ୍ୟାନ୍ତ ୧୩,୮୯୮ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି। ମହାରାଷ୍ଟ୍ରରେ ବିଗତ ୨୪ ଘଣ୍ଟାରେ ୬୭୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬୭ ହଜାରରୁ ଅଧିକ ସଂକ୍ରମଣ ମାମଲା ସାମ୍ନାକୁ ଆସିଛି। ମୁମ୍ବାଇରେ ଗତକାଲି ସଂକ୍ରମଣ କମିଛି ଏବଂ ୭ ହଜାର ୨ ଶହ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଦେଶରେ କରୋନା ମୃତ୍ୟୁ ହାର ୧.୩୩ ପ୍ରତିଶତ ରହିଥିବା ବେଳେ ଆରୋଗ୍ୟ ହାର ୮୩ ପ୍ରତିଶତ ରହିଛି। ସକ୍ରିୟ ମାମଲାରେ ୧୫ ପ୍ରତିଶତ ବୃଦ୍ଧି ହୋଇଛି। କରୋନା ସକ୍ରିୟ ମାମଲାରେ ଭାରତ ବିଶ୍ବରେ ଦ୍ବିତୀୟ ସ୍ଥାନରେ ରହିଛି।

ସମ୍ବନ୍ଧିତ ଖବର