କେରଳ ସରକାରଙ୍କ ସଫଳ କୋଭିଡ୍‌ ରଣନୀତି, ୧୩ ଲକ୍ଷ ଛାତ୍ରଛାତ୍ରୀ ସୁରକ୍ଷିତ ପରୀକ୍ଷା ଦେଲେ

ଥିରୁଅନନ୍ତପୁରମ୍‌: କରୋନା ଭାଇରସ ସଂକ୍ରମଣ ଭୟ ସତ୍ତ୍ବେ କେରଳରେ ଦଶମ-ଦ୍ବାଦଶ ଶ୍ରେଣୀର ୧୩ ଲକ୍ଷ ଛାତ୍ରଛାତ୍ରୀ ସଫଳତାର ସହ ପରୀକ୍ଷା ଦେଇଛନ୍ତି ବୋଲି ଅର୍ଥମନ୍ତ୍ରୀ ଡ. ଥୋମାସ ଇସାକ ସୂଚନା ଦେଇଛନ୍ତି। ପରୀକ୍ଷା ଦେଇଥିବା‌ କୌଣସି ଛାତ୍ରଛାତ୍ରୀଙ୍କ ଶରୀରରେ କୋଭିଡ-୧୯ ପଜିଟିଭ ଜଣାପଡ଼ି ନଥିଲା। ପରୀକ୍ଷା ହଲ୍‌ଗୁଡ଼ିକୁ ଉପଯୁକ୍ତ ସାନିଟାଇଜ୍ କରାଯିବା ସହ ଛାତ୍ରଛାତ୍ରୀଙ୍କୁ ମାସ୍କ ବଣ୍ଟନ କରାଯାଇଥିଲା ଏବଂ ଉପଯୁକ୍ତ ସାମାଜିକ ଦୂରତା ରକ୍ଷା କରାଯାଇ ପରୀକ୍ଷା ଅନୁଷ୍ଠିତ ହୋଇପାରିଛି ବୋଲି ଅର୍ଥମନ୍ତ୍ରୀ ପ୍ରକାଶ କରିଛନ୍ତି। ସମସ୍ତ ଛାତ୍ରଛାତ୍ରୀଙ୍କର ଥର୍ମାଲ ସ୍କାନିଂ କରାଯାଇ ପରୀକ୍ଷା ହଲ୍‌ ମଧ୍ୟକୁ ଛଡ଼ାଯାଇଥିଲା। କେରଳ ସରକାର ଯୋଜନାବଦ୍ଧ ଭାବେ ଦଶମ-ଦ୍ବାଦଶ ପରୀକ୍ଷା ପରିଚାଳନା କରିବାରେ ସଫଳ ହୋଇପାରିଛନ୍ତି। ୫ ଦିନ ଧରି ଚାଲିବାକୁ ଥିବା ପରୀକ୍ଷା ପରିଚାଳନା ପୂର୍ବରୁ ୩,୦୦୦ ପରୀକ୍ଷା କେନ୍ଦ୍ର ପାଇଁ କେରଳ ସରକାର ୫,୦୦୦ ଥର୍ମୋମିଟର, ୨୫ ଲକ୍ଷ ମାସ୍କ ଯୋଗାଇ ଦେଇଥି‌ଲେ।

ପରୀକ୍ଷାର ସୁପରିଚାଳନା ପାଇଁ ସମସ୍ତ ପରୀକ୍ଷା କେନ୍ଦ୍ରମାନଙ୍କରେ ଅଧିକ ସଂଖ୍ୟାରେ ସ୍ବାସ୍ଥ୍ୟକର୍ମୀ ଓ ଅତିରିକ୍ତ ଶିକ୍ଷକଙ୍କୁ ନିଯୁକ୍ତ କରାଯାଇଥିଲା ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। ସୂଚନାଯୋଗ୍ୟ, କୋଭିଡ-୧୯ ଲକ୍‌ଡାଉନ ଯୋଗୁଁ ଗତ ମାର୍ଚ୍ଚ ୨୫ରୁ ଦଶମ-ଦ୍ବାଦଶ ପରୀକ୍ଷାକୁ ବାତିଲ କରାଯାଇଥିଲା। ସମଗ୍ର ଦେଶରେ କରୋନା ଭାଇରସ ସଂକ୍ରମଣ ଉଗ୍ର ରୂପ ଧାରଣ କରିଥିବା ବେଳେ ଏବଂ ଅନ୍ୟ କେତେକ ରାଜ୍ୟ ପରୀକ୍ଷା ପରିଚାଳନାରେ ବିଫଳ ହୋଇଥିବା ବେଳେ କେରଳ ସରକାର ସୁବ୍ୟବସ୍ଥିତ ଭାବେ ପରୀକ୍ଷା ପରିଚାଳନା କରି ଉଦାହରଣ ସୃଷ୍ଟି କରିଛନ୍ତି।

ସମ୍ବନ୍ଧିତ ଖବର