ପାଟନା: ମହିଳାଙ୍କୁ ଗର୍ଭବତୀ କରିବା ପାଇଁ ପୁରୁଷମାନଙ୍କୁ ୧୩ ଲକ୍ଷ ଟଙ୍କାର ଅଫର ଦେବା ଅଭିଯୋଗରେ ବିହାରରେ ୮ ଜଣଙ୍କୁ ଗିରଫ କରାଯାଇଛି। ସେମାନେ ‘ଅଲ୍ ଇଣ୍ଡିଆ ପ୍ରେଗ୍ନାଣ୍ଟ ଜବ୍ ସର୍ଭିସ୍’ ନାମରେ ଏକ ରୢାକେଟ୍ ଚଳାଉଥିଲେ ବୋଲି ପୁଲିସ କହିଛି। ବିହାରର ନଓ୍ୱାଡାରେ ଏହି ଗିରଫଦାରୀ କରାଯାଇଛି। ପୁଲିସ କହିଛି ଯେ ଅଭିଯୁକ୍ତମାନେ ହ୍ୱାଟ୍ସଆପ୍ ଓ ସୋସିଆଲ ମିଡିଆ ମାଧ୍ୟମରେ ପୁରୁଷମାନଙ୍କ ସହ ଯୋଗାଯୋଗ କରୁଥିଲେ ଏବଂ ସେମାନଙ୍କୁ ସେମାନଙ୍କ ‘ସେବା’ ବଦଳରେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିବାର ସୁଯୋଗ ଦେଉଥିଲେ। ଇଚ୍ଛୁକ ବ୍ୟକ୍ତିମାନଙ୍କୁ ୭୯୯ ଟଙ୍କା ପଞ୍ଜୀକରଣ ଶୁଳ୍କ ଦେବାକୁ କୁହାଯାଉଥିଲା। ପଞ୍ଜୀକରଣ ପରେ ଗ୍ୟାଙ୍ଗ୍ ସେମାନଙ୍କୁ କିଛି ଫଟୋ ଦେଇ ନିଜ ପସନ୍ଦର ଜଣେ ମହିଳାଙ୍କୁ ବାଛିବାକୁ କହୁଥିଲା, ଯାହାକୁ ସେମାନେ ଗର୍ଭବତୀ କରିବାକୁ ଚାହୁଥିଲେ। ଏହାପରେ ମହିଳା ଜଣକ କେତେ ସୁନ୍ଦର ତାହା ଉପରେ ନିର୍ଭର କରି ସେମାନଙ୍କୁ ୫ରୁ ୨୦ ହଜାର ଟଙ୍କା ପର୍ଯ୍ୟନ୍ତ ସିକ୍ୟୁରିଟି ରାଶି ଜମା କରିବାକୁ କୁହାଯାଉଥିଲା।
ମହିଳା ଗର୍ଭବତୀ ହେଲେ ସେମାନଙ୍କୁ ୧୩ ଲକ୍ଷ ଟଙ୍କା ଦିଆଯିବ ବୋଲି କୁହାଯାଉଥିଲା। ତେବେ ଗର୍ଭବତୀ କରିବାରେ ବିଫଳ ହେଲେ ମଧ୍ୟ ସେମାନଙ୍କୁ ୫ ଲକ୍ଷ ଟଙ୍କା ସାନ୍ତ୍ୱନା ମୂଳକ ମୂଲ୍ୟ ଦେବାକୁ ପ୍ରତିଶ୍ରୁତି ଦିଆଯାଉଥିଲା ବୋଲି କହିଛନ୍ତି ନଓ୍ୱାଡାର ପୁଲିସ ଅଧୀକ୍ଷକ କଲ୍ୟାଣ ଆନନ୍ଦ। ବିହାର ପୁଲିସର ଏକ ସ୍ବତନ୍ତ୍ର ତଦନ୍ତକାରୀ ଦଳ (ଏସ୍ଆଇଟି) ନଓ୍ୱାଡାରେ ଚଢ଼ଉ କରିବା ୮ ଅଭିଯୁକ୍ତଙ୍କୁ ଗିରଫ କରିଛି। ପୁଲିସ ଘଟଣାସ୍ଥଳରୁ ମୋବାଇଲ୍ ଫୋନ୍ ଓ ପ୍ରିଣ୍ଟର ଜବତ କରିଥିବା ବେଳେ ମାଷ୍ଟରମାଇଣ୍ଡ ସମେତ ବାକି ଅଭିଯୁକ୍ତଙ୍କୁ ଖୋଜିବା ଉଦ୍ୟମ ଜାରି ରହିଛି। ପୁଲିସ କହିଛି ଯେ, ଏହି ବ୍ୟକ୍ତିମାନେ ଏକ ଦେଶବ୍ୟାପୀ ସାଇବର ସିଣ୍ଡିକେଟର ସଦସ୍ୟ।