ନୂଆଦିଲ୍ଲୀ : ପିଏମ୍ ଗତିଶଣକ୍ତି ଯୋଜନାର ଲକ୍ଷ୍ୟ ଭିତ୍ତିରେ କୋଇଲା ମନ୍ତ୍ରଣାଳୟ ୧୩ଟି ବହୁମୁଖୀ (ମଲ୍ଟି ମୋଡାଲ) ରେଳ ସଂଯୋଗ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ହାତକୁ ନେଇଛି । ପ୍ରତ୍ୟେକ ପ୍ରକଳ୍ପରେ ଥିବା ଭିତ୍ତିଭୂମିର ଅଭାବକୁ ପ୍ରଥମେ ଚିହ୍ନଟ କରାଯାଇ ତା’ ପରେ ନିର୍ମାଣ କାର୍ଯ୍ୟ ହାତକୁ ନିଆଯାଉଛି । ହାଇ ଇମ୍ପ୍ୟାକ୍ଟ ପ୍ରୋଜେକ୍ଟ (ଅତି ପ୍ରଭାବଶାଳୀ ପ୍ରକଳ୍ପ) ଭାବେ ୪ଟି ଚିହ୍ନଟ କରାଯାଇ ଇତିମଧ୍ୟରେ ତାହାର ମାନଚିତ୍ରକୁ ଏନ୍ଏମ୍ପି ପୋର୍ଟାଲରେ ସ୍ଥାନିତ କରାଯାଇଛି । ଏହି ଚାରିଟି ପ୍ରକଳ୍ପ ଓଡିଶା ଓ ଝାଡଖଣ୍ଡରେ କାର୍ଯ୍ୟକାରୀ ହେବ । ସମ୍ପୃକ୍ତ ରେଳପ୍ରକଳ୍ପ ନିର୍ମିତ ହେଲେ କୋଇଲା ଖଣି ଅଞ୍ଚଳରୁ ଦେଶର ବିଭିନ୍ନ ସ୍ଥାନକୁ କୋଇଲ ଯୋଗାଣ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇପାରିବ । ଏହା ଦ୍ୱାରା ବ୍ୟାବସାୟିକ ତ୍ଭିତ୍ତିରେ କୋଇଲ ଉତ୍ତୋଳନ କରୁଥିବା କମ୍ପାନି ଓ କୋଇଲା ପରିବହନ ପାଇଁ ଉତ୍ତମ ସୁବିଧା ପାଇବେ । ରେଳଯୋଗେ କୋଇଲା ପରିବହନ ଅଧିକ ହେଲେ ବାୟୁ ପ୍ରଦୂଷଣ ଯଥେଷ୍ଟ ହ୍ରାସ ପାଇବ ଏବଂ ପରିବେଶ ସୁରକ୍ଷିତ ହେବ ।
Sambad is now on WhatsApp
Join and get latest news updates delivered to you via WhatsApp
କୋଇଲା ପରିବହନ କ୍ଷେତ୍ରରେ ପରିବେଶ ପ୍ରଦୂଷଣକୁ ରୋକିବା ଏବଂ ଖଣି ଅଞ୍ଚଳରୁ ବିଭିନ୍ନ ଲକ୍ଷ୍ୟ ସ୍ଥଳକୁ ତ୍ୱରିତ କୋଇଲା ପହଂଚାଇବା ଉପରେ କେନ୍ଦ୍ର କୋଇଲା ମନ୍ତ୍ରଣାଳୟ ଗୁରୁତ୍ୱ ଦେଇଛି । ଏହି ପ୍ରୟାସରେ ସଡକ ପଥରେ କୋଇଲା ପରିବହନକୁ ଯଥେଷ୍ଟ ହ୍ରାସ କରି ରେଳ ପରିବହନକୁ ବଢାଇବାକୁ ମନ୍ତ୍ରଣାଳୟ ଉଦ୍ୟମ କରୁଛି । ସେଥିପାଇଁ କୋଇଲା ମନ୍ତ୍ରଣାଳୟ ନୂଆ କୋଇଲାଖଣି ଇଲାକାରେ ନୂତନ ବ୍ରଡଗେଜ ରେଳପଥ ନିର୍ମାଣ କରିବାକୁ ଯୋଜନା କରୁଛି । ଏଥିରେ କୋଇଲା ବୋଝେଇ ସ୍ଥଳ ପର୍ଯ୍ୟନ୍ତ ରେଳପଥର ସଂପ୍ରସାରଣ କରଯିବ । ଆବଶ୍ୟକସ୍ଥଳେ କେତେକ ସ୍ଥାନରେ ରେଳଲାଇନକୁ ଦୋହରା ଓ ତିନିଟିକିଆ କରିବାକୁ ମନ୍ତ୍ରଣାଳୟ ଚିନ୍ତା କରୁଛି । ଯଥା ସମ୍ଭବ ଅଧିକରୁ ଅଧିକ କୋଇଲା ପରିବହନ ରେଳଯୋଗେ କରିବାକୁ ବିଚାର କରାଯାଉଛି ।
୨୦୨୧ ଅକ୍ଟୋବରରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ପିଏମ୍ ଗତିଶକ୍ତି ଯୋଜନାର ଶୁଭାରମ୍ଭ ହୋଇଥିଲା । ଏଥିରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟର ମିଳିତ ପ୍ରୟାସରେ ଦେଶର ଭିତ୍ତିଭୂମି କ୍ଷେତ୍ରର ବିକାଶକୁ ଗୁରୁତ୍ୱ ଦିଆଯାଇଥିଲା । ସଂଯୋଗ ଭିତ୍ତିଭୂମିର ବିକାଶ ପାଇଁ ବିଭିନ୍ନ ମନ୍ତ୍ରଣାଳୟ ନିଜ ନିଜ ମଧ୍ୟରେ ସମନ୍ୱୟ ଓ ସହଯୋଗ ରକ୍ଷା କରି ଏହାକୁ କାର୍ଯ୍ୟକାରୀ କରୁଛନ୍ତି । ଏଥିରେ ବିଭିନ୍ନ ଭିତ୍ତିଭୂମି ପ୍ରକଳ୍ପମାନ ନିର୍ମାଣ କରାଯାଉଛି । ଏହି ପ୍ରକ୍ରିୟାରେ ରାଜ୍ୟ ସରକାରମାନଙ୍କୁ ମଧ୍ୟ ସମ୍ପୃକ୍ତ କରାଯାଇଛି ଓ ଏଥିପାଇଁ ବୈଷୟିକ ତଥା ଅନ୍ୟାନ୍ୟ ସହାୟତା ବିଭିନ୍ନ ପ୍ରକଳ୍ପ ନିମନ୍ତେ ଯୋଗାଇ ଦିଆଯାଉଛି ।