ରାୟପୁର: ଶନିବାର ସନ୍ଧ୍ୟାରେ ବସ୍ତର ଅଞ୍ଚଳର ସୁକମା ଜିଲ୍ଲାରେ ମାଓବାଦୀଙ୍କ ସହ ଗୁଳି ବିନିମୟ ପରେ ୧୩ ଜଣ ନିରାପତ୍ତା କର୍ମଚାରୀ ନିଖୋଜ ହୋଇଯାଇଥିବା ପୁଲିସ କହିଛି ।
ଏହି ଗୁଳି ବିନିମୟ ଘଟଣାରେ ଆହତ ହୋଇଥିବା ଅନ୍ୟ ୧୪ଜଣ ନିରାପତ୍ତା କର୍ମଚାରୀଙ୍କୁ ଶନିବାର ରାତିରେ ଚିକିତ୍ସା ନିମନ୍ତେ ରାୟପୁର ନିଆଯାଇଛି । ସୁକମାର ଉତ୍ତରକୁ ପ୍ରାୟ ୪୦୦ କିଲୋମିଟର ଦୂରରେ ରାଜଧାନୀ ରାୟପୁର ଅବସ୍ଥିତ ।
ଛତିଶଗଡ଼ ପୁଲିସ ମହାନିର୍ଦେଶକ ଡି.ଏମ୍. ଅୱସ୍ଥିଙ୍କ କହିଛନ୍ତି ଯେ ଶନିବାର ଅପରାହ୍ଣ ପ୍ରାୟ ୧ଟା ବେଳେ ଚିନ୍ତାଗୁଫା ଅଞ୍ଚଳର କୋରଜଗୁଡ଼ା ପାହାଡ଼ ନିକଟରେ ଗୁଳି ବିନିମୟ ହୋଇଥିଲା । ସେତେବେଳେ ନିରାପତ୍ତା ବଳର ଏକ ମିଳିତ ଟିମ୍ ସେ ଅଞ୍ଚଳରେ ମାଓବିରୋଧୀ ଅଭିଯାନ ଚଳାଉଥିଲେ । ଅପରାହ୍ଣ ୧ଟା ପରେ ସନ୍ଧ୍ୟାଯାଏଁ ସେଠାରେ ଏକାଧିକ ବାର ଗୁଳି ବିନିମୟ ହୋଇଥିଲା । ନିରାପତ୍ତା ବଳର ଯବାନମାନେ ଅଭିଯାନରୁ ଫେରିବା ପରେ ଜଣାପଡ଼ିଲା ଯେ ସେମାନଙ୍କ ମଧ୍ୟରୁ ରାଜ୍ୟ ପୁଲିସର ୧୩ଜଣ ଯବାନ ଫେରି ନାହାନ୍ତି ଏବଂ ଅନ୍ୟ ୧୪ ଜଣ ଆହତ ହୋଇଛନ୍ତି ।
/sambad/media/post_attachments/wp-content/uploads/2020/03/mao.jpg)
ଡିଷ୍ଟି୍ରକ୍ଟ ରିଜର୍ଭ ଗାର୍ଡ, ସ୍ପେସାଲ ଟାସ୍କ ଫୋର୍ସ ଏବଂ କୋବ୍ରା ବାହିନୀ ଚଳାଇଥିବା ଏହି ମାଓବିରୋଧୀ ଅଭିଯାନରେ ୧୫୦ଜଣ ନିରାପତ୍ତା କର୍ମଚାରୀ ସମ୍ପୃକ୍ତ ଥିଲେ । ନିଖୋଜ ହୋଇଥିବା ୧୩ଜଣ ନିରାପତ୍ତା କର୍ମଚାରୀଙ୍କ ସନ୍ଧାନ ନେବା ଲାଗି ଆଜି ସକାଳେ ଘଟଣାସ୍ଥଳରେ ତଲାସ ଅଭିଯାନ ଆରମ୍ଭ ହୋଇଛି ।