୩ ଯବାନ ସହିଦ, ୪ ସାଧାରଣ ନାଗରିକ ମୃତ
ଆତଙ୍କବାଦୀମାନେ ସ୍ଥାନୀୟ, ପ୍ରତିବାଦରେ ଲୋକଙ୍କ ବିକ୍ଷୋଭ
ଉପତ୍ୟକାରେ ଫୋନ୍‌ ସେବା ବିଚ୍ଛିନ୍ନ, ରେଳ ଚଳାଚଳ ବାତିଲ

Advertisment

ଶ୍ରୀନଗର : ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ ଦମନ ଲାଗି ସୁରକ୍ଷା ବାହିନୀ ପକ୍ଷରୁ ବଡ଼ ଧରଣର ଅଭିଯାନ ଆରମ୍ଭ ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ ତିନିଟି ସ୍ଥାନରେ ବଡ଼ ଧରଣର ଏନ୍‌କାଉଣ୍ଟରରେ ୧୩ ଜଣ ଆତଙ୍କବାଦୀ ପ୍ରାଣ ହରାଇଥିବା ବେଳେ ଜଣେ ଆତଙ୍କବାଦୀ ଧରାପଡ଼ିଛି। ତେବେ ଏହି କାର୍ଯ୍ୟାନୁଷ୍ଠାନ ବେଳେ ଭାରତୀୟ ସେନାର ତିନି ଜଣ ଯବାନ ସହିଦ ହୋଇଛନ୍ତି। ୪ ଜଣ ସାଧରଣ ନାଗରିକ ମଧ୍ୟ ପ୍ରାଣ ହରାଇଛନ୍ତି ଏବଂ ଅନ୍ୟ ୩୨ ଜଣ ଗୁରୁତର ଆହତ ହୋଇଛନ୍ତି।

ମିଳିଥିବା ସୂଚନା ଅନୁସାରେ ଶନିବାର ବିିଳମ୍ବିତ ରାତିରୁୁ ଦକ୍ଷିଣ କଶ୍ମୀରର ସୋପିଆନ ଏବଂ ଅନନ୍ତନାଗ ଜିଲ୍ଲାର ତିନିଟି ସ୍ଥାନରେ ଏନ୍‌କାଉଣ୍ଟର ବେଳେ ଯେଉଁ ୧୩ ଜଣ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି, ସେମାନଙ୍କ ମଧ୍ୟରୁ ୭ ଜଣ ହିଜବୁଲ ମୁଜାହିଦ୍ଦିନ ଏବଂ ଜଣେ ଲସ୍କର ଆତଙ୍କବାଦୀ ରହିଛି। ଏହାକୁ ନେଇ ସମଗ୍ର କଶ୍ମୀରରେ ଉତ୍ତେଜନା ପ୍ରକାଶ ପାଇଥିବାରୁ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ନିମନ୍ତେ ଟେଲିଫୋନ୍‌ ଏବଂ ଇଣ୍ଟରନେଟ୍‌ ସେବା ବାତିଲ କରି ଦିଆଯାଇଛି।

ସୁରକ୍ଷା କର୍ମୀଙ୍କ ଏହି ଶାଣିତ କାର୍ଯ୍ୟାନୁଷ୍ଠାନ ବେଳେ ଆତଙ୍କବାଦୀଙ୍କ ଗୁଳିରେ ସହିଦ ହୋଇଥିବା ଯବାନମାନେ ହେଲେ ଅରବିନ୍ଦର କୁମାର, ନିଲେଶ ସିଂହ ଏବଂ ସିପାହୀ ହେତରାମ । ସେହିପରି ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ବେଳେ ୪ ଜଣ ସାଧାରଣ ନାଗରିକ ମଧ୍ୟ ଆଖି ବୁଜିଛନ୍ତି।

ସୁରକ୍ଷା କର୍ମୀଙ୍କ ଏହି ଆତଙ୍କବାଦୀ ନିପାତ ଅଭିଯାନକୁ ବିରୋଧ କରି ସ୍ଥାନୀୟ ଲୋକେ ପଥରମାଡ଼ କରିଥିବା ବେଳେ ସେମାନଙ୍କୁ ଘଉଡ଼ାଇବା ଲାଗି ଯବାନ ପେଲେଟ୍‌ ମାଡ଼ କରିବାରୁ ୨୫ ଜଣ ସ୍ଥାନୀୟ ଲୋକ ଆହତ ହୋଇଛନ୍ତି। ସେହିପରି ୬ ଜଣ ସାଧାରଣ ନାଗରିକଙ୍କ ଦେହରେ ମଧ୍ୟ ଗୁଳି ବାଜି ସେମାନେ ଗୁରୁତର ଆହତ ହୋଇଛନ୍ତି। ସମଗ୍ର କଶ୍ମୀର ଉପତ୍ୟକାରେ ଉତ୍ତେଜନା ଦେଖାଦେଇଥିବା ବେଳେ ସୋସିଆଲ୍‌ ମଡିିଆ ଜରିଆରେ ହିଂସା ବ୍ୟାପିବା ଆଶଙ୍କା କରି ସତର୍କତା ପଦକ୍ଷେପ ସ୍ୱରୂପ ରବିବାର ଅପରାହ୍ଣରୁ ମୋବାଇଲ୍‌ ସେବାକୁ ବିଚ୍ଛିନ୍ନ କରିଦିଆଯାଇଛି। ସେହିପରି ରେଳ ଚଳାଚଳ ମଧ୍ୟ ବାତିଲ କରିଦିଆଯାଇଛି।

ଜମ୍ମୁ କଶ୍ମୀର ଆରକ୍ଷୀ ମହାନିର୍ଦ୍ଦେଶକ(ଡିଜିପି) ଏସ୍‌ପି ବୈଦ୍ୟ ଗଣମାଧ୍ୟମକୁ ଦେଇଥିବା ସୂଚନାନୁଯାୟୀ, ବିଗତ ୩ ଦିନ ଭିତରେ ଜମ୍ମୁ କଶ୍ମୀରର ୫ଟି ସ୍ଥାନରେ ଅଜଣା ଆତଙ୍କବାଦୀଙ୍କ ଆକ୍ରମଣରେ ଦୁଇ ଜଣ ଏସ୍‌ପିଓ ସହିଦ ହୋଇଥିବା ବେଳେ ଜଣେ ଏସ୍‌ପିଓଙ୍କ ପତ୍ନୀ ଗୁରୁତର ଆହତ ହୋଇଥିଲେ। ତେବେ ସୋପିଆନ୍‌ ଏବଂ ଅନନ୍ତନାଗ ଜିଲ୍ଲାରେ କିଛି ଆତଙ୍କବାଦୀ ଲୁଚି ରହିଥିବା ଖବର ମିଳିଥିଲା। ଫଳରେ ଜମ୍ମୁ କଶ୍ମୀର ପୁଲିସ ଏବଂ ସିଆର୍‌ପିଏପ୍‌ ଯବାନମାନେ ମିଳିତ ଭାବେ ଶନିବାର ରାତିରୁ ତିନିଟି ସ୍ଥାନରେ ପୃଥକ୍‌ ପୃଥକ୍‌ ଭାବେ ଚଢ଼ଉ କରିଥିଲେ।

ଅନନ୍ତନାଗ ସହରଠାରୁ ୭ କିମି ଦୂର ଦିଆଲଗାମ୍‌ଠାରେ ମିଳିତ ବାହିନୀ ଉପରକୁ ଆତଙ୍କବାଦୀମାନେ ଗୁଳି ଚଳାଇବାରୁ ଉଭୟ ପକ୍ଷ ମଧ୍ୟରେ ଘମାଘୋଟ ଗୁଳି ବିନିମୟ ହୋଇଥିଲା। ଏଥିରେ ଯବାନଙ୍କ ଗୁଳିରେ ରୌଫ ବସିର୍‌ ସେଖ ନାମକ ଜଣେ ଆତଙ୍କବାଦୀ ନିହତ ହୋଇଥିବା ବେଳେ ତା’ର ସହଯୋଗୀ ଆମୀର୍‌କୁ ଯବାନମାନେ ଜୀବନ୍ତ ଧରିଥିଲେ। ସେହିପରି ସୋପିଆନ୍‌ର ଦ୍ରାଗାଡ଼ ଠାରେ ମଧ୍ୟ ଉଭୟ ପକ୍ଷ ମଧ୍ୟରେ ଭୀଷଣ ଗୁଳିବର୍ଷା ହୋଇଥିଲା। ସେଠାରେ ଯବାନମାନଙ୍କ ଗୁଳିରେ ୭ ଜଣ ଆତଙ୍କବାଦୀ ନିହତ ହୋଇଥିବା ବେଳେ ସେମାନଙ୍କ ପାଲଟା ଗୁଳିରେ ଦୁଇ ଜଣ ଯବାନ ମଧ୍ୟ ସହିଦ ହୋଇଥିଲେ। ନିହତ ଆତଙ୍କବାଦୀ ରୟିସ ଠୋକର ଏବଂ ଇସଫାକ୍‌ ମଲିକ୍‌ ପୂର୍ବରୁ ଭାରତୀୟ ସେନାର ଲେଫ୍ଟନାଣ୍ଟ୍‌ ଉମର୍‌ ଫୟାଜ୍‌ଙ୍କୁ ହତ୍ୟା ଘଟଣାରେ ଜଡ଼ିତ ଥିଲେ ବୋଲି ଜଣାଯାଇଛି। ସୋପିଆନ୍‌ ଜିଲ୍ଲାର କଚଦୁରା ଠାରେ ମଧ୍ୟ ଛପି ରହିଥିବା ଆତଙ୍କବାଦୀମାନେ ଯବାନମାନଙ୍କ ଉପସ୍ଥିତି ଜାଣିପାରି ଗୁଳି ଚଳାଇଥିଲେ। ସେଠାରେ ୩ ଜଣ ଆତଙ୍କବାଦୀଙ୍କୁ ଯବାନମାନେ ନିପାତ କରିଥିବା ବେଳେ ପାଲଟା ଗୁଳିରେ ଜଣେ ଯବାନ ମଧ୍ୟ ସହିଦ ହୋଇଥିଲେ।

ତେବେ ସ୍ଥାନୀୟ ଆତଙ୍କବାଦୀଙ୍କ ଏପରି ନିହତ ହେବା ଖବର ପ୍ରଚାର ମାତ୍ରେ ଲୋକେ ଉତ୍ତ୍ୟକ୍ତ ହୋଇ ଦକ୍ଷିଣ କଶ୍ମୀରର ବିଭିନ୍ନ ସ୍ଥାନରେ ଯବାନମାନଙ୍କ ଉପରକୁ ଆକ୍ରମଣ କରିବା ଆରମ୍ଭ କରିଦେଇଥିଲେ। ଲୋକଙ୍କ ଢେଲାପଥର ମାଡ଼ରୁ ବର୍ତ୍ତିବା ପାଇଁ ସୁରକ୍ଷା କର୍ମୀମାନେ ପେଲେଟ୍‌ ଗୁଳି ଚଳାଇଥିଲେ। ଏଥିରେ ଅତି କମ୍‌ରେ ୨୫ ଜଣ ଆହତ ହୋଇଥିବା ଖବର ମିଳିଛି। ଅପରପକ୍ଷେ, ପ୍ରଭାବିତ ଅଞ୍ଚଳଗୁଡ଼ିକରେ ଶାନ୍ତି ଶୃଙ୍ଖଳା ବଜାୟ ପାଇଁ ବ୍ୟାପକ ପୁଲିସ ମୁତୟନ ହୋଇଛନ୍ତି।